Unknown

 

 

 

 

 

 

 

 

 

 

ସାଧନା ଓ ସିଦ୍ଧି

(ପ୍ରଥମ ଭାଗ)

ଶ୍ରୀ କୃଷ୍ଣଚନ୍ଦ୍ର କର

 

ସୂଚୀପତ୍ର

 

୧.

ଭାରତୀୟ ବୈଜ୍ଞାନିକର କୃତିତ୍ୱ

୨.

ବୟ୍‌ରୁ ବୈଜ୍ଞାନିକ

୩.

ସବା ତଳ ପିଲାର ସବୁଠୁଁ ବଡ଼ କାମ

୪.

କଲମ୍ୱସ୍‌ଙ୍କ ଦ୍ୱିତୀୟ ଆବିଷ୍କାର

୫.

ବହି-ବନ୍ଧାରୁ ବିଦ୍ୟୁତ୍‌ ଖେଳ

୬.

ନାରୀ-ବୈଜ୍ଞାନିକର ଶ୍ରେଷ୍ଠ ଦାନ

୭.

ପୃଥିବୀର ଆକର୍ଷଣ

୮.

ମେରୁ ପଥର ଯାତ୍ରୀ

Image

 

ଭାରତୀୟ ବୈଜ୍ଞାନିକର କୃତିତ୍ୱ

 

ପୃଥିବୀର ସୁଖ, ଶାନ୍ତି ଓ ସୁବିଧା ଆଣିବା ଏବଂ ତା ସଙ୍ଗେ ସଙ୍ଗେ ଲୋକଙ୍କର ଅଭାବ, ଅସୁବିଧା ଓ ଦୁଃଖ ଘୁଞ୍ଚାଇବା ବିଜ୍ଞାନର ଗୋଟିଏ ପ୍ରଧାନ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ଆଖିରେ ରଖି ବୈଜ୍ଞାନିକମାନେ ସର୍ବଦା କାମ କରନ୍ତି ଏବଂ ନାନାପ୍ରକାର ନୂଆ ନୂଆ ତଥ୍ୟ ବାହାର କରି ଲୋକମାନଙ୍କର ଜ୍ଞାନ ବଢ଼ିବାରେ ସାହାଯ୍ୟ କରନ୍ତି ।

 

ଆମର ବାସଭୂମି ଏହି ପୃଥିବୀ ଅତି ପ୍ରକାଣ୍ଡ । ଏହା ମଧ୍ୟରେ ଅନେକ ଦେଶ ଅଛି । ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶ ବହୁତ ଛଡ଼ା । କେଉଁ ଦେଶର କେଉଁ ସ୍ଥାନରେ କେତେବେଳେ କେଉଁ ବୈଜ୍ଞାନିକ କି ତଥ୍ୟ ଆଲୋଚନା କରୁଛନ୍ତି, ପୁଣି କିଏ କି ନୂଆ କଥା ଆବିଷ୍କାର କରିଛନ୍ତି, ଏହା ପୃଥିବୀର ସବୁ ଦେଶର ଲୋକେ ଠିକ୍‌ ସମୟରେ ଜାଣିବା ସେତେ ସହଜ ନୁହେଁ । ଏହି ଅସୁବିଧା ଦୂର କରିବାପାଇଁ ଏବଂ ବିଜ୍ଞାନଚର୍ଚ୍ଚାକୁ ଅଧିକ ଆଗେଇ ନେବା ପାଇଁ ବୈଜ୍ଞାନିକମାନେ ଗୋଟିଏ ମହାସଭା ଗଢ଼ିଛନ୍ତି । ତାହାର ନାମ ‘ବିଜ୍ଞାନ କଂଗ୍ରେସ’ । ବିଭିନ୍ନ ବର୍ଷରେ ପୃଥିବୀର ବିଭିନ୍ନ ସ୍ଥାନରେ ଏହି ମହାସଭା ବସେ ଏବଂ ବିଜ୍ଞାନ ସମ୍ୱନ୍ଧରେ ତହିଁରେ ନାନା ଆଲୋଚନା ହୁଏ ।

 

୧୯୦୦ ମସିହାର ଘଟଣା । ସେହି ବର୍ଷ ଫ୍ରାନ୍‌ସର ରାଜଧାନୀ ପାରିସ୍‌ ସହରରେ ବିଜ୍ଞାନ ସମ୍ମିଳନୀ ବସିଥାଏ । ଅଜସ୍ର ଟଙ୍କା ଖର୍ଚ୍ଚ ହୋଇ ପ୍ରକାଣ୍ଡ ମଣ୍ଡପ ତିଆରି ହୋଇଥାଏ ଏବଂ ନାନା ସାଜାସଜ୍ଜାରେ ସ୍ଥାନଟି ଅତି ସୁନ୍ଦର ଦିଶୁଥାଏ । ପୃଥିବୀର ଅନେକ ଦେଶରୁ ବଡ଼ ବଡ଼ ନାମଜାଦା ବୈଜ୍ଞାନିକ ଆସି ସେଠାରେ ରୁଣ୍ଡ ହୋଇଥାଏ । ସେମାନଙ୍କ ମଧ୍ୟରୁ ଯେଉଁମାନେ କିଛି ନୂଆ ଜିନିଷ ଆବିଷ୍କାର କରିଛନ୍ତି, ସେମାନେ ତାର ବିଚିତ୍ର କାହାଣୀ ସମ୍ମିଳନୀରେ ସମସ୍ତଙ୍କୁ ଶୁଣାଇବେ । ହଜାର ହଜାର ଶ୍ରୋତା ସେହି ଅପୂର୍ବ କାହାଣୀ ଶୁଣି ତାଟକା ହୋଇଯିବେ ।

 

ବିଜ୍ଞାନ କହିଲେ ପଦାର୍ଥବିଦ୍ୟା, ରସାୟନବିଦ୍ୟା, ଜ୍ୟୋତିର୍ବିଦ୍ୟା, ଚିକିତ୍ସାବିଦ୍ୟା ଏହିପରି କେତେ ବିଦ୍ୟାକୁ ବୁଝାଏ । ଏ ସବୁ ହେଉଛି ବିଜ୍ଞାନର ଗୋଟିଏ ଗୋଟିଏ ଶାଖା ବା ବିଭାଗ । ଏଥିମଧ୍ୟରୁ ଯେଉଁ ବୈଜ୍ଞାନିକ ଯେଉଁ ବିଭାଗ ବିଷୟରେ ଗବେଷଣା କରିଛନ୍ତି ଓ ଯେଉଁ ଫଳ ପାଇଛନ୍ତି, ତାହାର ଅଦ୍ଭୁତ ରହସ୍ୟ ପ୍ରକାଶ କରିବେ; ପୁଣି ଯନ୍ତ୍ରପାତି ସାହାଯ୍ୟରେ ତାହା ବୁଝାଇଦେବେ । ଏହିରୂପେ ଯେତେ ନୂଆ ଆବିଷ୍କାର ଓ ନୂଆ ଗବେଷଣାର ବିଷୟ ବିଭିନ୍ନ ବୈଜ୍ଞାନିକ ମୁହଁରୁ ଶୁଣାଯିବ, ଶେଷରେ ଗୋଟି ଗୋଟି କରି ସେଗୁଡ଼ିକର ଆଲୋଚନା ହେବ । ଏଇ ହେଲା ବିଜ୍ଞାନ ସମ୍ମିଳନୀର କାମ ।

 

ସେକାଳରେ ଇଉରୋପ ଓ ଆମେରିକା ଏଇ ଦୁଇ ମହାଦେଶରେ ହିଁ ବିଶେଷଭାବରେ ବିଜ୍ଞାନଚର୍ଚ୍ଚା ହେଉଥିଲା । ଅନ୍ୟ ମହାଦେଶମାନଙ୍କରେ ଯାହାର ଚର୍ଚ୍ଚା ହେଉଥିଲା ତାହା କିଛି ନୁହେଁ କହିଲେ ଚଳେ । ବିଜ୍ଞାନ କଂଗ୍ରେସରେ ସେହି ଦୁଇ ମହାଦେଶର ବୈଜ୍ଞାନିକମାନଙ୍କର ବେଶି ପ୍ରତିପତ୍ତି ଥିଲା । ସେଥିପାଇଁ ଏହି ସମ୍ମିଳନୀକୁ ଯେତେ ବୈଜ୍ଞାନିକ ଆସିଛନ୍ତି, ସେମାନେ ପ୍ରାୟ ସମସ୍ତେ ଇଉରୋପ ଓ ଆମେରିକାର ଲୋକ । ଅନ୍ୟାନ୍ୟ ଦେଶରୁ ଯେଉଁ କେତେଜଣ ଆସିଛନ୍ତି, ସେମାନଙ୍କ ସଂଖ୍ୟା ତିନି ଚାରି ଜଣରୁ ଅଧିକ ହେବ ନାହିଁ ।

 

ସମ୍ମିଳନୀର କାର୍ଯ୍ୟ ଆରମ୍ଭ ହେଲା । ପୂର୍ବରୁ ସ୍ଥିର ହୋଇଥିବା କ୍ରମ ଅନୁସାରେ ସଭାପତି ଜଣ ଜଣ କରି ବୈଜ୍ଞାନିକମାନଙ୍କ ନାମ ଧରି ଡାକିଲେ । ମଣ୍ଡପର ଏକ ଭାଗରେ ମଞ୍ଚଟିଏ ତିଆରି ହୋଇଥାଏ, ସଭାପତି ସେହିଠାରେ ଉଚ୍ଚ ଆସନରେ ବସିଥାନ୍ତି । ତାଙ୍କରି କଡ଼କୁ ଲାଗି ଆଉ ଗୋଟିଏ ଉଚ୍ଚ ଆସନ ରହିଥାଏ । ସଭାପତି ଯେଉଁ ବୈଜ୍ଞାନିକଙ୍କୁ ଡାକନ୍ତି, ସେ ଏହି ଆସନକୁ ଆସି ନିଜ ଆବିଷ୍କାର ବା ଗବେଷଣା ବିଷୟ ବର୍ଣ୍ଣନା କରନ୍ତି; ପୁଣି ଯନ୍ତ୍ରଦ୍ୱାରା ନିଜ ପରୀକ୍ଷାର ପ୍ରତ୍ୟକ୍ଷ ପ୍ରମାଣ ଦିଅନ୍ତି ।

 

ଏହିପରି ଅନେକ ବୈଜ୍ଞାନିକ ମଞ୍ଚ ଉପରକୁ ଆସିଲେ ଏବଂ ନିଜ ନିଜର ବକ୍ତୃତା ଦେଲେ । ଶ୍ରୋତାମାନେ ନୀରବ ହୋଇ ଏକ ମନରେ ସେ ସବୁ ଶୁଣୁଥାନ୍ତି ଏବଂ ବକ୍ତା ଯନ୍ତ୍ର ସାହାଯ୍ୟରେ ଯାହା ପରୀକ୍ଷା କରି ଦେଖାଇ ଦେଉଥାନ୍ତି, ତାହା ଏକ ଧ୍ୟାନରେ ଦେଖୁଥାନ୍ତି । ଏହି ଶ୍ରୋତାମାନେ କିଛି ସାଧାରଣ ଲୋକ ନୁହନ୍ତି, ଏକକୁ ଆରେକ ବଳୀ-ସମସ୍ତେ ଜଣେ ଜଣେ ଶ୍ରେଷ୍ଠ ବୈଜ୍ଞାନିକ । ଏହିମାନେ ହିଁ ବକ୍ତାଙ୍କ ଆବିଷ୍କାର ବା ଗବେଷଣାର ବିଚାରକ ।

 

ଅନେକ ବକ୍ତୃତା ହୋଇଗଲା । ଏହି ସମୟରେ ସଭାପତି ଜଣେ ଭାରତୀୟ ବୈଜ୍ଞାନିକଙ୍କୁ ଡାକିଲେ । ସେ ହେଉଛନ୍ତି ଅଧ୍ୟାପକ ଜଗଦୀଶଚନ୍ଦ୍ର ବସୁ । ତାଙ୍କ ନାମ ଶୁଣିଲା ମାତ୍ରେ ସେଠାରେ ଥିବା ବୈଜ୍ଞାନିକମାନେ ହଠାତ୍‌ ମୁହଁ ମୋଡ଼ିଦେଲେ । ଘୃଣା ଓ ଈର୍ଷାରେ ନାକ ଟେକି ପରସ୍ପର ମଧ୍ୟରେ କେତେ ଫୁସୁରୁଫସର ହେଲେ । ଏଡ଼େ ବଡ଼ ବିଜ୍ଞାନ ସମ୍ମିଳନୀରେ ଜଣେ ଭାରତୀୟ କଳା ଲୋକକୁ ଏପରି ସୁଯୋଗ ମିଳିବାର ଦେଖି ଅନେକେ ମଧ୍ୟ ବିସ୍ମିତ ହେଲେ ।

 

ଗୋରା ବୈଜ୍ଞାନିକମାନଙ୍କର ଏ ମନୋଭାବରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ସେତେବେଳେ ଭାରତବର୍ଷରେ ଇଂରେଜମାନଙ୍କର ରାଜତ୍ୱ । ସେମାନେ ପୃଥିବୀର ସଭ୍ୟ ଓ ଉନ୍ନତ ଦେଶମାନଙ୍କ ଅପେକ୍ଷା ଭାରତକୁ ଢେର୍‌ ହୀନ ଅବସ୍ଥାରେ ରଖିଥିଲେ, ପୁଣି ଭାରତବାସୀଙ୍କୁ ଅସଭ୍ୟ ଓ ମୂର୍ଖ ବୋଲି ପାଶ୍ଚାତ୍ୟ ଦେଶମାନଙ୍କରେ ମିଥ୍ୟା ପ୍ରଚାର କରୁଥିଲେ । ଇଉରୋପ ଓ ଆମେରିକାର ଲୋକେ ସେଥିପାଇଁ ଭାରତୀୟମାନଙ୍କୁ ବରାବର ଛୋଟ ଦୃଷ୍ଟିରେ ଦେଖୁଥିଲେ ।

 

ଜଗଦୀଶଚନ୍ଦ୍ର ନିଜ ବସିବା ଜାଗାରୁ ଉଠି ଧୀରେ ଧୀରେ ଆଗେଇ ଚାଲିଲେ ମଞ୍ଚ ଉପରକୁ । ସୁନ୍ଦର ଗମ୍ଭୀର ମୂର୍ତ୍ତି––ଶାନ୍ତ ମୁଖମଣ୍ଡଳରୁ ସତେ ଯେପରି ଜ୍ଞାନର ଉଜ୍ଜ୍ୱଳ ଜ୍ୟୋତି ଫିଟିପଡ଼ୁଥାଏ ।

 

ସମସ୍ତେ ଜଗଦୀଶଚନ୍ଦ୍ରଙ୍କୁ ଚାହିଁଲେ । ଆପତ୍ତି କରିବାକୁ ତ ଉପାୟ ନାହିଁ; ତେଣୁ ମନେ ମନେ ଧରିନେଲେ ଯେ ଏହି ଭାରତୀୟ ବିଚରାଟି ନିଶ୍ଚୟ ଆଜି ମହାସଭାରୁ ଅପମାନ ପାଇ ଫେରଯିବ । ଯେଉଁ ପରାଧୀନ ଭାରତବର୍ଷରେ ଶିକ୍ଷା ସଭ୍ୟତାର ନାମ ଗନ୍ଧ ନାହିଁ, ଉନ୍ନତ ଦେଶମାନଙ୍କ ତାଲିକାରେ ଯାହାର ଆଦୌ ସ୍ଥାନ ନାହିଁ, ସେଠାରେ ଗୋଟାଏ ସାଧାରଣ ଅଧ୍ୟାପକ କି ଆବିଷ୍କାର ବା କରିପାରେ ? ଅପାଳକ ରାଇଜକୁ ବିଜୁଳି ଲକ୍ଷେ ଟଙ୍କା ଭଳି ଭାରତବର୍ଷରୁ ଲୋକଙ୍କୁ ଏ ଚମକାଇ ଦେଇଥାଇପାରେ; କିନ୍ତୁ ବିରାଟ ବିଜ୍ଞାନ ସମ୍ମିଳନୀରେ ୟା କଥା କି କେବେହେଲେ ଠାକିପାରେ ? ୟାର ଆବିଷ୍କାର କି କେବେହେଲେ ଆଲୋଚନାର ଯୋଗ୍ୟ ହୋଇପାରେ ? ଭିନ୍ନ ଭିନ୍ନ ଧରଣର ଶହ ଶହ କଳକାରଖାନା, ଯନ୍ତ୍ର, ବିଜ୍ଞାନାଗାର, ପରୀକ୍ଷାଗାର ଥାଇ ପୁଣି ସବୁ ପ୍ରକାର ସରକାରୀ ସାହାଯ୍ୟ ପାଇ ନୂଆ ତଥ୍ୟଟିଏ ବାହାର କରିବା ପାଶ୍ଚାତ୍ୟ ଦେଶର ମହା ମହା ପଣ୍ଡିତଙ୍କ ପକ୍ଷରେ କାଠକର ପାଠ ହୋଇଉଠୁଛି । ଭାରତବର୍ଷରେ ତ ଏଥିରୁ ଗୋଟିକର, ସୁଦ୍ଧା ସୁବିଧା ନାହିଁ; ଏପରି ଅବସ୍ଥାରେ ଏ ଲୋକଟା ଉନ୍ନତ ଧରଣର କି ବୈଜ୍ଞାନିକ ଗବେଷଣା କରିଥାଇପାରେ ? ଆମେରିକା ଓ ଇଉରୋପର ବୈଜ୍ଞାନିକମାନେ ଏହିପରି କେତେ କଣ ଭାବିଗଲେ ଏବଂ ମନେ ମନେ ଜଗଦୀଶଚନ୍ଦ୍ରଙ୍କୁ ହସରେ ଉଡ଼ାଇଦେଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି କଣ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିଥିଲା, ଏଇ ଭାରତୀୟ ବୈଜ୍ଞାନିକ ଜଣକ ନିଜର ଅଦ୍ଭୁତ ଆବିଷ୍କାରଦ୍ୱାରା ସମସ୍ତ ପୃଥିବୀକୁ ଚମତ୍‌କୃତ କରିଦେବ ।

 

ଜଗଦୀଶଚନ୍ଦ୍ର ଏବେ ମଞ୍ଚ ଉପରେ ଠିଆ ହୋଇ ଧୀର ଅଥବ ଗମ୍ଭୀର କଣ୍ଠରେ ନିଜର ଆବିଷ୍କାର କାହାଣୀ ବର୍ଣ୍ଣନା କରିବାକୁ ଆରମ୍ଭ କଲେ । ସଭା ଏକାବେଳେ ନିସ୍ତବ୍‌ଧ ହୋଇଗଲା । ଶ୍ରୋତାମାନଙ୍କ ଆଖିରେ ପଲକ ପଡ଼ିଲା ନାହିଁ । ସମସ୍ତେ ଏକ ଦୃଷ୍ଟିରେ ବକ୍ତାଙ୍କ ମୁହଁକୁ ଚାହିଁ ରହିଲେ । ସେ ଯେଉଁ ଗବେଷଣାର କଥା ଶୁଣାଇଲେ, ତାହା ସେପର୍ଯ୍ୟନ୍ତ ପାଶ୍ଚାତ୍ୟ ଜଗତର କୌଣସି ବୈଜ୍ଞାନିକଙ୍କ ଧାରଣାକୁ ସୁଦ୍ଧା ଆସି ନ ଥିଲା ।

 

ଅଧ୍ୟାପକ ଜଗଦୀଶଚନ୍ଦ୍ର ବୁଝାଇ କହିଲେ–

 

‘‘ପୃଥିବୀରେ ଯେତେ ପଦାର୍ଥ ଅଛି, ସେ ସବୁକୁ ଚେତନ ଓ ଅଚେତନ ଦୁଇ ଭାଗରେ ବିଭକ୍ତ କରାଯାଇଛି । ମଣିଷ, ଜୀବଜନ୍ତୁ, କୀଟପତଙ୍ଗ, ଏମାନଙ୍କର ଚେତନା ଅଛି ବୋଲି ଏମାନଙ୍କୁ ଚେତନ ଶ୍ରେଣୀରେ ନିଆଯାଇଛି । ଆଉ ଧାତୁ, ଗଛଲତା, ଗୁଳ୍ମ ଏମାନଙ୍କର ଚେତନା ନାହିଁ ବୋଲି ଏମାନଙ୍କୁ ଅଚେତନ କୁହାଯାଉଛି । ଏପର୍ଯ୍ୟନ୍ତ ଚଳି ଆସିଥିବା ଏହି ସତ୍ୟ ଯେ ଭୁଲ୍‌ ଏଥିରେ ତିଳେହେଲେ ସନ୍ଦେହ ନାହିଁ । ବହୁତ ଗବେଷଣା ଓ ପରୀକ୍ଷା କରି ମୁଁ ଦେଖିଛି ଯେ ଗଛଲତା, ଗୁଳ୍ମ ଏମାନଙ୍କର ଜୀବଜନ୍ତୁଙ୍କ ଭଳି ଚେତନା ଅଛି । ଏମାନେ ସୁଖ-ଦୁଃଖ ବୋଧ କରନ୍ତି, ଆଦର ପାଇଲେ ଆନନ୍ଦିତ ହୁଅନ୍ତି, ଆଘାତ ପାଇଲେ ବେଦନା ଅନୁଭବ କରନ୍ତି, ପୁଣି ରୋଗରେ ପଡ଼ି ମୃତ୍ୟୁଦଶା ଭୋଗନ୍ତି । ବହୁ କାଳ ପରୀକ୍ଷା ପରେ ମୁଁ ସିଦ୍ଧାନ୍ତ କରିଛି ଯେ, ଉଦ୍ଭିଦମାନେ ରାତି ୧୧ ଟାରେ ଶୁଅନ୍ତି ଏବଂ ସକାଳ ୮ଟାରେ ନିଦରୁ ଉଠନ୍ତି । କେବଳ ଉଦ୍ଭିଦ କାହିଁକି, ଧାତୁମାନଙ୍କର ମଧ୍ୟ ଜୀବନ ଓ ଚେତନା ଶକ୍ତି ଅଛି । ଏଣୁ ପୃଥିବୀରେ କୌଣସି ଜିନିଷ ଅଚେତନ ନୁହେଁ–ସୃଷ୍ଟିର ପ୍ରତ୍ୟେକ ପଦାର୍ଥ ଜୀବନ୍ତ ଓ ଚେତନ ।’’

 

ଜଗଦୀଶଚନ୍ଦ୍ରଙ୍କ ତୁଣ୍ଡରୁ ଏଭଳି ଆଶ୍ଚର୍ଯ୍ୟ ଧରଣର ନୂଆ କଥା ଶୁଣି ଶ୍ରୋତାମାନେ କାବା ହୋଇଗଲେ ସତ କିନ୍ତୁ କାହାରି ସେଥିରେ ବିଶ୍ୱାସ ଆସିଲାନାହିଁ । ଅଧିକାଂଶ ବୈଜ୍ଞାନିକ ମତ ଦେଲେ, ଭାରତବର୍ଷ ଧର୍ମର ବଳ, ଭଗବାନଙ୍କ ଶକ୍ତି, ଏସବୁ ଚର୍ଚ୍ଚାର ପ୍ରଶସ୍ତ କ୍ଷେତ୍ର । ସୃଷ୍ଟିର ସକଳ ବସ୍ତୁ ଚେତନ, ଏଭଳି ଅସମ୍ଭବ କଳ୍ପନା ସେଠାରେ ନିଷ୍କର୍ମା କବିମାନଙ୍କ ମୁଣ୍ଡକୁ କେବଳ ଜୁଟିଥାଏ । ଯାହା ବାସ୍ତବ ଓ ସତ୍ୟ, ବିଜ୍ଞାନ ତାକୁ ହିଁ ସ୍ୱୀକାର କରେ । ତେଣୁ ଏହି ନୂତନ ବୈଜ୍ଞାନିକଟି ଯନ୍ତ୍ରପାତି ସାହାଯ୍ୟରେ ରୀତିମତ ପରୀକ୍ଷା କରି କଥାଟାକୁ ଯଦି ସମସ୍ତଙ୍କ ଆଗରେ ପ୍ରମାଣ କରିଦେଇପାରିବେ, ତେବେ ଯାଇ ତାଙ୍କ ଗବେଷଣାରେ କିଛି ମୂଲ୍ୟ ଅଛି ବୋଲି ଧରାଯିବ-। ତା ନ ଦେଲେ ତାଙ୍କ ମତ ଉପରେ ଏଠାରେ ଆଦୌ କୌଣସି ଆଲୋଚନ ଦରକାର ନାହିଁ ।

 

ଜଗଦୀଶଚନ୍ଦ୍ର ଏହାହିଁ ଖୋଜୁଥିଲେ । ପରୀକ୍ଷା କରି ଦେଖାଇ ଦେବା ଲାଗି ସେ ଆଗରୁ ପ୍ରସ୍ତୁତ ହୋଇ ରହିଥିଲେ । ତେଣୁ ନିଜ ତିଆରି ସୂକ୍ଷ୍ମ ଯନ୍ତ୍ରମାନ ବାହାର କରି ସେଗୁଡ଼ିକ ସାହାଯ୍ୟରେ ସେ ନୂଆ ତଥ୍ୟର ସତ୍ୟତା ପ୍ରମାଣ କରିବାକୁ ବାହାରିଲେ । ସେ ଦେଖାଇ ଦେଲେ ଯେ ଲାଜକୁଳୀ ପତ୍ରର ମୂଳରେ ଗୋଟିଏ ମାତ୍ର ପେଶୀ ଥାଏ ତେଣୁ ଛୁଇଁଦେବାମାତ୍ରେ ତାହା ବାଙ୍କିଯାଏ । ମାତ୍ର ଆଉ ସବୁ ଗଛର ପତ୍ର ମୂଳରେ ଏକାଧିକ ପେଶୀ ରହିଥିବାରୁ ସେଗୁଡ଼ିକୁ ଛୁଇଁଲେ ବଙ୍କେଇ ହୋଇପାରେ ନାହିଁ । ଏଭଳି ପତ୍ରଗୁଡ଼ିକର ଗୋଟିଏ ପାଖରେ କ୍ଳୋରୋଫର୍ମ ଦେଇ ତାହାପରେ ସେଗୁଡ଼ିକୁ ସେ ଛୁଇଁଲେ । ଦେଖାଗଲା, ସେହି ପତ୍ରଗୁଡ଼ିକ ସଙ୍ଗେ ସଙ୍ଗେ ବାଙ୍କି ଗଲା ।

 

ଏହା ଦେଖି ବିରୋଧୀ ବୈଜ୍ଞାନିକମାନଙ୍କର ମୁହଁ କଳା ପଡ଼ିଗଲା । ଜଗଦୀଶଚନ୍ଦ୍ରଙ୍କ ଉତ୍ସାହ ବେଳକୁବେଳ ବଢ଼ିବାକୁ ଲାଗିଲା । ଏବେ ଧାତୁମାନଙ୍କର ଜୀବନ ଥିବା କଥା ପ୍ରମାଣ କରିବାକୁ ହେବ । ଯନ୍ତ୍ରଦ୍ୱାରା ସେ ଦେଖାଇଦେଲେ ଯେ ଧାତୁ ସବୁ ମଧ୍ୟ ପ୍ରାଣୀଙ୍କ ପରି କ୍ଳାନ୍ତ ହୋଇପଡ଼ନ୍ତି । ଉତ୍ତାପ ଓ ବିଷ ସଂଯୋଗରେ ସେଗୁଡ଼ିକର କାର୍ଯ୍ୟଶକ୍ତି କମିଯାଏ । ବେଶି ପରିମାଣରେ ଅଫିମ ଖାଇଲେ ମଣିଷର ଇନ୍ଦ୍ରିୟ ସବୁ ଅକାମୀ ହୋଇପଡ଼ିବା ଯେପରି ସତ୍ୟ, ବିଷ ଓ ଉତ୍ତାପ ଯୋଗୁଁ ଧାତୁ ସବୁ ଶକ୍ତିଶୂନ୍ୟ ହେବା ସେହିପରି ସତ୍ୟ ।

 

ଏହିରୂପେ ନାନାଭାବରେ ପ୍ରତ୍ୟକ୍ଷ ପରୀକ୍ଷାଦ୍ୱାରା ଜଗଦୀଶଚନ୍ଦ୍ର ପ୍ରମାଣ କରିଦେଲେ ଯେ ପ୍ରାଣୀ, ଉଦ୍ଭିଦ ଓ ଧାତୁ ସବୁଗୁଡ଼ିକ ଏକ ଶ୍ରେଣୀର । ସମସ୍ତଙ୍କର ଜୀବନ ଅଛି, ଚେତନା ଅଛି, କାର୍ଯ୍ୟଶକ୍ତି ଅଛି ଏବଂ ସୁଖ ଦୁଃଖ ଅନୁଭୂତି ଅଛି । ଜୀବ ଓ ଜଡ଼ ବୋଲି ଦୁଇ ଶ୍ରେଣୀ କିଛି ନାହିଁ । ସୃଷ୍ଟିର ବସ୍ତୁ ସମସ୍ତେ ଏକ ଅର୍ଥାତ୍‌ ଜୀବନ୍ତ ।

 

ବିଜ୍ଞାନ-ଜଗତରେ ଏ ଏକ ଅଦ୍ଭୁତ ଅପୂର୍ବ ଆବିଷ୍କାର । ଭାରତର ପ୍ରାଚୀନ ମୁନିଋଷିମାନେ ବିଶ୍ୱର ସମସ୍ତ ବସ୍ତୁରେ ଚେତନାର ଯେଉଁ ଅବ୍ୟକ୍ତ ଲୀଳାକୁ ଧ୍ୟାନବଳରେ ଦିନେ ଦେଖି ପାରିଥିଲେ, ଆଧୁନିକ ଯୁଗର ବୈଜ୍ଞାନିକ ଜଗଦୀଶଚନ୍ଦ୍ର ଏବେ ସେହି କଥାଟିକୁ ଯନ୍ତ୍ର ସାହାଯ୍ୟରେ ପ୍ରମାଣ କରି ପାଶ୍ଚାତ୍ୟ ବୈଜ୍ଞାନିକମାନଙ୍କ ବିଶ୍ୱାସକୁ ପୂରାପୂରି ବଦଳାଇ ଦେଲେ । ସେହି ମହାସଭାର ଶ୍ରୋତାମାନେ ଅତୀତ ଯୁଗର ତପସ୍ୱୀ ଓ ବର୍ତ୍ତମାନ ଯୁଗର ବିଜ୍ଞାନ ସାଧକ ଏ ଦୁଇର ମିଳନ ଭାରତୀୟ ବୈଜ୍ଞାନିକ ଜଗଦୀଶଚନ୍ଦ୍ରଙ୍କଠାରେ ଦେଖି ମୁଗ୍‌ଧ ହୋଇଗଲେ ।

 

ଭାରତବର୍ଷର ସମ୍ମାନ ସମସ୍ତଙ୍କ ଆଖିରେ ବହୁତ ବଢ଼ିଗଲା । ଭାରତକୁ ହୀନଚକ୍ଷୁରେ ଦେଖିବାକୁ କେହି ଆଉ ସାହସ କରି ପାରିଲେ ନାହିଁ । ଭାରତ ଲୋକେ କେବଳ ସାହିତ୍ୟ ସୃଷ୍ଟି କରିପାରନ୍ତି, କାବ୍ୟ କବିତା ଲେଖିପାରନ୍ତି, ଧର୍ମ ପ୍ରଚାର କରିପାରନ୍ତି, କିନ୍ତୁ ବିଜ୍ଞାନର ଗବେଷଣା କରିପାରନ୍ତି ନାହିଁ––ଏ ଧାରଣା ସେହି ଦିନୁଁ ଇଉରୋପ ଓ ଆମେରିକାର ବୈଜ୍ଞାନିକମାନଙ୍କ ମନରୁ ଏକାବେଳେ ଦୂର ହୋଇଗଲା । ବିଜ୍ଞାନଗର୍ବୀ ପାଶ୍ଚାତ୍ୟ ଦେଶ ଏବେ ବୁଝିଲା ଯେ ବିଜ୍ଞାନର ଜୟଯାତ୍ରାରେ ଭାରତବର୍ଷ କାହାରି ପଛରେ ପଡ଼ିନାହିଁ; ସେ ମଧ୍ୟ ସବୁରି ସହିତ ସମାନ ତାଳ ଦେଇ ଆଗେଇ ଚାଲିଛି ।

 

ପୃଥିବୀର ଚାରିଆଡ଼ୁ ଶୁଭେଚ୍ଛାର ବାଣୀ ଓ ଅଜସ୍ର ପ୍ରଶଂସା ଅଜାଡ଼ି ହୋଇପଡ଼ିଲା ଜଗଦୀଶଚନ୍ଦ୍ରଙ୍କ ଉପରେ । ବିଜ୍ଞାନ ମହାସଭା ତାଙ୍କୁ ବିଜୟର ମାଲ୍ୟ ଅର୍ପଣ କଲା । ବକ୍ତୃତା ଶୁଣାଇବାପାଇଁ ତାଙ୍କୁ ଇଉରୋପର ଅନେକ ଦେଶ ନିମନ୍ତ୍ରଣ କଲା । ବିଜ୍ଞାନ ସମ୍ମିଳନୀ ଶେଷ ହେବାପରେ ସେହି ପାରିସ୍‌ ସହରରେ ସେ ତିନୋଟି ବିଭିନ୍ନ ବିଜ୍ଞାନ-ସଭାରେ ନିଜର ନୂତନ ତଥ୍ୟ ବିଷୟରେ ବକ୍ତୃତା ଦେଲେ । ଏହାପରେ କେମ୍ୱ୍ରିଜ ଓ ଅକ୍‌ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ଆମନ୍ତ୍ରଣ ପାଇ ଜଗଦୀଶଚନ୍ଦ୍ର ବିଲାତ ଗଲେ । ସେଠାରେ ଲୋକେ ତାଙ୍କ ଆବିଷ୍କୃତ ଯନ୍ତ୍ରମାନ ଦେଖି ଶତମୁଖରେ ସେଗୁଡ଼ିକର ପ୍ରଶଂସା କରିଥିଲେ ଏବଂ ତାଙ୍କ ବକ୍ତୃତା ଶୁଣି ଚକିତ ହୋଇଯାଇଥିଲେ । ଇଂଲଣ୍ଡ ପରେ ତାଙ୍କୁ ଅଷ୍ଟ୍ରିଆର ରାଜଧାନୀ ଭିଏନା ଯିବାକୁ ପଡ଼ିଲା । ସେଠା ଲୋକେ ମଧ୍ୟ ତାଙ୍କ ମୁହଁରୁ ବକ୍ତୃତା ଶୁଣିବା ପାଇଁ ଟାକି ରହିଥିଲେ । ଜଗଦୀଶଚନ୍ଦ୍ର ଯଥାକାଳରେ ସେମାନଙ୍କର ଆଶା ପୂର୍ଣ୍ଣ କଲେ ।

 

ଏତିକିରେ ସରିଲାନାହିଁ––ଆମେରିକାର ହାର୍ଭାଡ଼୍‌, ଓ୍ୱାଶିଂଟନ, ଚିକାଗୋ, କଲମ୍ୱିଆ, କାଲିଫର୍ଣ୍ଣିଆ ପ୍ରଭୃତି ବିଶ୍ୱ-ବିଦ୍ୟାଳୟ ତାଙ୍କୁ ଆଦରରେ ନିମନ୍ତ୍ରଣ କରିନେଲା । ଜଗଦୀଶଚନ୍ଦ୍ର ଇଉରୋପରୁ ବିଦାୟ ଘେନି ଆମେରିକା ଯାତ୍ରା କଲେ ଏବଂ ସେଠାରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନିଜ ଆବିଷ୍କାର ସମ୍ୱନ୍ଧରେ ବକ୍ତୃତା ଦେଇ ଭାରତର ସମ୍ମାନ ବଢ଼ାଇଲେ ।

 

ଏହିରୂପେ ବିଦେଶ ଭ୍ରମଣ ସାରି ଭାରତର ବରପୁତ୍ର ନିଜ ଜନ୍ମଭୂମିକୁ ବାହୁଡ଼ି ଆସିଲେ-। ଦେଶର ବହୁ ଅନୁଷ୍ଠାନ ତାଙ୍କୁ ସ୍ୱାଗତ କରି ସମ୍ୱର୍ଦ୍ଧନା ଜଣାଇଲା । କଲିକତା ବିଶ୍ୱବିଦ୍ୟାଳୟ ତାଙ୍କୁ ‘ଡକ୍ଟର’ ଉପାଧି ଦେଇ ସମ୍ମାନିତ କଲା ।

 

ବୈଜ୍ଞାନିକ ଜଗଦୀଶଚନ୍ଦ୍ର କେବଳ ଜୀବ ଓ ଜଡ଼ର ଏହି ନୂତନ ତଥ୍ୟ ଆବିଷ୍କାର କରି ନିଜର ଗବେଷଣା କାର୍ଯ୍ୟ ଶେଷ କରି ନ ଥିଲେ । ଏହା ପୂର୍ବରୁ ସେ ବେତାର ଆବିଷ୍କାର କାର୍ଯ୍ୟରେ ଲାଗିପଡ଼ିଥିଲେ ଏବଂ ବିନାତାରରେ କିପରି ସଂବାଦ ଦିଆନିଆ ହୋଇପାରେ, ତାହା ନିଜ ପ୍ରସ୍ତୁତ ବେତାର ଯନ୍ତ୍ର ସାହାଯ୍ୟରେ କଲିକତାର ଜନସାଧାରଣଙ୍କୁ ସେଠାରେ ଟାଉନ୍‌ ହଲ୍‍ର ଏକ ବିରାଟ ସଭାରେ ଦେଖାଇ ଚମତ୍‌କୃତ କରିଦେଇଥିଲେ । ଏହା ୧୮୯୫ ମସିହାର କଥା ।

 

ଠିକ୍‌ ସେହି ସମୟରେ ଇତାଲିର ବୈଜ୍ଞାନିକ ‘ମାର୍କୋନି’ ମଧ୍ୟ ବେତାର ଯନ୍ତ୍ରର ତିଆରି କରିବାରେ ଲାଗିପଡ଼ିଥିଲେ । ତାଙ୍କ ଯନ୍ତ୍ର ବାହାରିବାର ଅନେକ ପୂର୍ବରୁ ଜଗଦୀଶଚନ୍ଦ୍ର ନିଜର ଯନ୍ତ୍ର ବାହାର କରିସାରିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଯେ, ଏଡ଼େ ବଡ଼ ଆବିଷ୍କାର ମର୍ଯ୍ୟାଦା ଭାରତ ପାଇପାରିଲା ନାହିଁ ।୧୮୯୬ ଖ୍ରୀଷ୍ଟବ୍ଦରେ ମାର୍କୋନି ନିଜ ବେତାର ଯନ୍ତ୍ରଟି ସର୍ବସ୍ୱତ୍ୱ ସଂରକ୍ଷଣକରି ତାହାକୁ ନିଜସ୍ୱ କରିନେଲେ । ତାହାରି ଫଳରେ ମାର୍କୋନି ହିଁ ବେତାର ଯନ୍ତ୍ରର ନିର୍ମାତାରୂପେ ଜଗତରେ ଅମର ହେଲେ । ଜଗଦୀଶଚନ୍ଦ୍ର ସେହି ସୌଭାଗ୍ୟର ଅଧିକାରୀ ହୋଇପାରିଲେ ନାହିଁ ।

 

ଏହି ବିଶ୍ୱବିଖ୍ୟାତ ବୈଜ୍ଞାନିକ ୧୮୫୮ ଖ୍ରୀଷ୍ଟାବ୍ଦ ନଭେମ୍ୱର ମାସ ୩୦ ତାରିଖ ଦିନ ଢାକା ଜିଲାର ରାଡ଼ିଖାଲ ଗ୍ରାମରେ ଜନ୍ମିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନଚନ୍ଦ୍ର ବସୁ । ସେ ଜଣେ ସରକାରୀ ଡେପୁଟି ମାଜିଷ୍ଟ୍ରେଟ ଥିଲେ । ଗାଁ ଚାଟଶାଳୀର ପଢ଼ା ଶେଷ କରି ଜଗଦୀଶଚନ୍ଦ୍ର କଲିକତାରେ ଉଚ୍ଚଶିକ୍ଷା ଲାଭ କଲେ ଏବଂ ତାହାପରେ ବିଲାତ ଯାଇ ସେଠା କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟର ବିଜ୍ଞାନ କଲେଜରେ ଚାରି ବର୍ଷ ପଢ଼ି ଖୁବ୍‌ ସୁନାମର ସହିତ ପାସ୍‌ କଲେ । ଭାରତକୁ ଫେରିଆସିବା ପରେ ସେ କଲିକତାର ପ୍ରେସିଡେନ୍‍ସି କଲେଜରେ ପଦାର୍ଥବିଜ୍ଞାନର ଅଧ୍ୟାପକରୂପେ ନିଯୁକ୍ତ ହେଲେ ଏବଂ ସେହିଠାରେ ବୈଜ୍ଞାନିକ ଗବେଷଣା ଆରମ୍ଭ କରି ନାନା ଆବିଷ୍କାରଦ୍ୱାରା ଦେଶବିଦେଶରେ ସୁଖ୍ୟାତ ଅର୍ଜନ କଲେ ।

 

ଭାରତ ସରକାର ତାଙ୍କ ଅସାଧାରଣ ପ୍ରତିଭା ଓ ବୈଜ୍ଞାନିକ ଆବିଷ୍କାରରେ ମୁଗ୍‍ଧ ହୋଇ ତାଙ୍କୁ ୧୯୦୩ ଖ୍ରୀଷ୍ଟାବ୍ଦରେ ସି.ଆଇ.ଇ, ୧୯୧୦ରେ ପି. ଏସ୍‌. ଆଇ. ପୁଣି ୧୯୧୬ ନାଇଟ୍‌ ଉପାଧିରେ ଭୂଷିତକଲେ । ୧୯୧୫ ଖ୍ରୀଷ୍ଟାବ୍ଦରେ ଚାକିରିରୁ ଅବସର ନେଇ ଜଗଦୀଶଚନ୍ଦ୍ର କଲିକତାର ‘ବସୁ ଇନ୍‌ଷ୍ଟିଚ୍ୟୁଟ୍‌’ ନାମକ ଏକ ବିଜ୍ଞାନ ଗବେଷଣା-ମନ୍ଦିର ପ୍ରତିଷ୍ଠା କଲେ । କେବଳ ଭାରତୀୟ ନୁହନ୍ତି, ଅନେକ ପାଶ୍ଚାତ୍ୟ ଦେଶର ଜ୍ଞାନିଲୋକ ମଧ୍ୟ ଏହି ଅନୁଷ୍ଠାନରେ ରହି ନାନା ପ୍ରକାର ଗବେଷଣା କରନ୍ତି ।

 

ଭାରତର ଗୌରବବର୍ଦ୍ଧନକାରୀ ସ୍ୱନାମଧନ୍ୟ ବୈଜ୍ଞାନିକ ଜଗଦୀଶଚନ୍ଦ୍ର ବସୁ ୧୯୩୭ ଖ୍ରୀଷ୍ଟାବ୍ଦର ନଭେମ୍ୱର ମାସ ୨୩ ତାରିଖ ଦିନ ଗିରିଡ଼ିଠାରେ ହଠାତ୍‍ ଅଜ୍ଞାନ ହୋଇ ଇହଲୀଳା ସାଙ୍ଗ କଲେ । ତାଙ୍କର ମରଦେହ ମାଟିରେ ମିଶିଯାଇଛି ସତ, କିନ୍ତୁ ସେ ଯେଉଁ ଅମର ସତ୍ୟ ପ୍ରତିଷ୍ଠା କରିଯାଇଛନ୍ତି, ତାହାହିଁ ତାଙ୍କୁ ଯୁଗାଯୁଗ ପର୍ଯ୍ୟନ୍ତ ଜଗତରେ ଜୀବିତ ରଖିବ ।

Image

 

ବୟ୍‌ରୁ ବୈଜ୍ଞାନିକ

 

ଆଜିକି ଚାରି ଶହ ବର୍ଷରୁ କିଛି ଅଧିକ କାଳର ଘଟଣା । ଇତାଲୀ ନଗରୀର ଗୋଟିଏ ପ୍ରସିଦ୍ଧ ବିଜ୍ଞାନ କଲେଜରେ ଶତ ଶତ ଛାତ୍ର ଅଧ୍ୟୟନ କରୁଥାନ୍ତି । ପ୍ରତି ବର୍ଷ ସେହି କଲେଜରୁ ଅନେକ ଛାତ୍ର ପାସ୍‌ କରନ୍ତି ସତ, କିନ୍ତୁ ବୈଜ୍ଞାନିକ ହେବା କ’ଣ ସମସ୍ତଙ୍କ ଭାଗ୍ୟରେ ଘଟେ ? ଖାଲି ବିଜ୍ଞାନରେ ପାସ କଲେ ମଣିଷକୁ ବୈଜ୍ଞାନିକ ବୋଲାଯାଏ ନାହିଁ । ଯେଉଁ ବ୍ୟକ୍ତି ବର୍ଷ ବର୍ଷ ଲାଗି କୌଣସି ବିଷୟରେ ଧାରାବାହିକ ଭାବରେ ଗବେଷଣା କରି ଶେଷରେ ଗୋଟିଏ ନୂତନ ତଥ୍ୟ ଉଦ୍ଭାବନ କରେ ଏବଂ ଯାହାର ଫଳ ପୃଥିବୀର ଭବିଷ୍ୟତ୍‌ ବଂଶଧରମାନେ ଉପଭୋଗ କରନ୍ତି, ସେହି ବ୍ୟକ୍ତି ହିଁ ପ୍ରକୃତ ବୈଜ୍ଞାନିକ । ସେଭଳି ବୈଜ୍ଞାନିକଙ୍କୁ ଜଗତ କେବେ ଭୁଲିପାରେ କି-?

 

ଇତାଲୀର ସେହି ବିଜ୍ଞାନ କଲେଜରେ ଦିନେ ରସାୟନ ବିଦ୍ୟାର କ୍ଳାସ୍‌ ଚାଲିଥାଏ । ପ୍ରଫେସର୍‌ ମହୋଦୟ ଯାହା ବୁଝାଉଥାନ୍ତି ଛାତ୍ରମାନେ ଖୁବ୍‌ ମନୋଯୋଗ ସହକାରେ ତାହା ବୁଝିବାକୁ ଚେଷ୍ଟା କରୁଥାନ୍ତି । ରସାୟନ ବିଦ୍ୟାଟି ବଡ଼ କଠିନ ବିଦ୍ୟା, ତେଣୁ ପ୍ରଫେସର୍‌ ପଢ଼ାହେଉଥିବା ବିଷୟର ଜ୍ଞାନକୁ ଛାତ୍ରମାନଙ୍କ ମନରେ ବଦ୍ଧମୂଳ କରାଇବାପାଇଁ ନାନାପ୍ରକାର ଉଦାହରଣ ଦେଉଥାନ୍ତି ଏବଂ ଲାବୋରେଟରୀର ଯନ୍ତ୍ରପାତି ସାହାଯ୍ୟରେ ତାହା ଆଖି ଆଗରେ ପ୍ରମାଣ କରି ଛାତ୍ରମାନଙ୍କର ସନ୍ଦେହ ଦୂର କରାଉଥାନ୍ତି । ବିଷୟଟି ଖୁବ୍‌ କୌତୂହଳପୂର୍ଣ୍ଣ ହୋଇଥିବାରୁ ଛାତ୍ରମାନେ ତାହା ଶିଖିବାପାଇଁ ବଡ଼ ଆଗ୍ରହୀ ହୋଇଥାନ୍ତି । ମାତ୍ର ସେମାନଙ୍କ ମୁହଁକୁ ଦେଖିଲେ ବେଶ୍‌ ଜଣାଯାଉଥାଏ ଯେ, ଉକ୍ତ ବିଷୟରେ ସମ୍ୟକ୍‌ ଧାରଣା କରିପାରିଥିଲେ ମଧ୍ୟ ସେମାନେ ଅସଲ କଥାଟାକୁ ଠିକ୍‌ ଭାବରେ ହୃଦୟଙ୍ଗମ କରିପାରୁନାହାନ୍ତି ।

 

ଲାବୋରେଟରୀରେ ପ୍ରଫେସର୍‌ଙ୍କୁ ସାହାଯ୍ୟ କରିବାପାଇଁ ଗୋଟିଏ ଚାକର ବା ‘ବୟ୍‌’ ଥାଏ । କୌଣସି ବିଷୟ ପ୍ରମାଣ କରିବାକୁ ଗଲେ ଅନେକ ଯନ୍ତ୍ରପାତି ଦରକାର ହୁଏ । ମନେକର, ଜଳ କିପରି ତିଆରି ହୁଏ ପ୍ରଫେସର୍‌ ତାହା ଦେଖାଇବାକୁ ବାହାରିଲେ । ହାଇଡ଼୍ରୋଜେନ୍‌ ଦୁଇ ଭାଗ ଓ ଅକ୍‌ସିଜେନ୍‌ ଏକ ଭାଗ ମିଶିଲେ ଜଳ ହୁଏ ବୋଲି ଛାତ୍ରମାନେ ବହିରେ ପଢ଼ୁଛନ୍ତି । ପ୍ରଫେସର୍‌ ସେଇ ଦୁଇଟିକୁ ଏକାଠି ମିଶାଇ ଜଳ ତିଆରି କରିବାର ପ୍ରଣାଳୀ ଦେଖାଇଦେବାକୁ ଗଲାବେଳେ ଯେଉଁ ଯନ୍ତ୍ରପାତିର ସାହାଯ୍ୟ ନିଅନ୍ତି, ବୟ୍‌ଟି ଯଥାସମୟରେ ସେହି ସବୁ ଯନ୍ତ୍ରପାତି ପ୍ରଫେରସ୍‌ଙ୍କୁ ଯୋଗାଇଦିଏ । ଏହା ହିଁ ହେଲା ବୟ୍‌ର କାମ । ସେଦିନ ପ୍ରଫେସର୍‌ ଦେଖିଲେ ବୟ୍‌ଟି ମଧ୍ୟ ପଢ଼ା ହେବା ବିଷୟ-ପ୍ରତି ଭାରି ଆଗ୍ରହ ଦେଖାଇଲାପରି ବରାବର କାନ ପାତି ରହିଛି ।

 

କିଛି କାଳ ଚାଲିଗଲା । ପୁଣି ସେହି ରସାୟନ ବିଦ୍ୟାର କ୍ଳାସରେ ଆଉ ଦିନେ ଗୋଟାଏ କୌତୁକପ୍ରଦ ଘଟଣା ଘଟିଲା । ପ୍ରଫେସର୍‌ ନିଜେ ଅକ୍‌ସିଜେନ୍‌ ତିଆରି କରିବାର ପ୍ରଣାଳୀ ଛାତ୍ରମାନଙ୍କୁ ଦେଖାଇ ଦେଉଥାନ୍ତି । ବୟ୍‌ଟି ତାଙ୍କପାଖରେ ରହି ସାହାଯ୍ୟ କରୁଥାଏ । ଅକ୍‌ସିଜେନ୍‌ ତିଆରି କାର୍ଯ୍ୟଶେଷ ହେଲାପରେ ପ୍ରଫେସର୍‌ ସେହି ବିଷୟରେ ନୋଟ୍‌ ଡାକିଲେ । ଛାତ୍ରମାନେ ଏକାଧ୍ୟାନରେ ବସି ନିଜ ନିଜ ରଫ୍‌ ଖାତାରେ ତାହା ଲେଖିବାକୁ ଲାଗିଲେ । ଲେଖିବା ଛଡ଼ା କାହାରି କୌଣସି ଆଡ଼କୁ ଲକ୍ଷ୍ୟ ନାହିଁ । ଏହି ସମୟରେ ବୟ୍‌ ଉପରେ ହଠାତ୍‌ ପ୍ରଫେସର୍‌ଙ୍କ ନଜର ପଡ଼ିଗଲା । ସେ ଦେଖିଲେ, ବୟ୍‌ଟି କ୍ଳାସ୍‌ ଦରଜା ସେପାଖରେ ବାରଣ୍ଡାରେ ଠିଆହୋଇ ଖଣ୍ଡିଏ କାଗଜରେ କଣ ଟିପିବାରେ ଲାଗିଛି ।

 

ପ୍ରଫେସର୍‌ ସେତେବେଳେ ବୟକୁ କିଛି କହିଲେ ନାହିଁ । ସେ ପୂର୍ବପରି ନୋଟ୍‌ ଡାକିବାକୁ ଲାଗିଲେ ଏବଂ ମଝିରେ ମଝିରେ ବୟ୍‌ଟି ଆଡ଼କୁ କେହି ନ ଜାଣି ପାରିବା ଭଳି ଦୃଷ୍ଟି ପକାଇଲେ । ଆଶ୍ଚର୍ଯ୍ୟର କଥା, ସେ ଯେତେଥର ଲକ୍ଷ୍ୟକଲେ, ସେତେଥର ଦେଖିଲେ ଯେ ତାଙ୍କ କହିବା କଥାଗୁଡ଼ିକ ତୁଣ୍ଡରୁ ବାହାରିବା ସଙ୍ଗେ ସଙ୍ଗେ ବୟ୍‌ ସେସବୁ ତରତର ହୋଇ ଟିପିନେଉଛି ।

 

ପ୍ରଫେସର୍‌ ତଥାପି କିଛି କହିଲେ ନାହିଁ । କଲେଜ ଛୁଟି ହେଲା । ଛାତ୍ରମାନେ ନିଜ ନିଜ କ୍ଳାସ ଛାଡ଼ି ଯେ ଯୁଆଡ଼େ ଚାଲିଗଲେ । ବୟ୍‌ଟି ଲବୋରେଟରୀ ଘର ବନ୍ଦ କରିସାରି କଲେଜ ଛାଡ଼ିବାବେଳେ ପ୍ରଫେସର୍‌ ତା ପାଖକୁ ଆସି ପଚାରିଲେ-

 

‘‘ମୁଁ ନୋଟ୍‌ ଡାକିଲାବେଳେ ତୁମେ ଦରଜା ପାଖ ବାରଣ୍ଡାରେ ଠିଆ ହୋଇ କଣ କରୁଥିଲ କି ?’’

 

ଏହି ପ୍ରଶ୍ନ ଶୁଣି ବୟ୍‌ଟି ଟିକିଏ ଅସ୍ତବ୍ୟସ୍ତ ହୋଇଗଲା ଏବଂ ଥଙ୍ଗ ଥଙ୍ଗ ହୋଇ କହିଲା––

 

‘‘କିଛି ନାହିଁ ସାର ।’’ ବୟ୍‌ର୍‌ ଏଭଳି ଉତ୍ତର ଦେବାର ଭଙ୍ଗୀରୁ ପ୍ରଫେସର୍‌ ଜାଣିଲେ, ଏଥିରେ ନିଶ୍ଚୟ କିଛି ରହସ୍ୟ ଅଛି । ସେ ହସହସ ମୁହଁରେ ପୁଣି ପଚାରିଲେ––

 

‘‘ଏପରି ସଙ୍କୁଚିତ ହୋଇଯାଉଛ କାହିଁକି ? ପ୍ରକୃତ କଥାଟି କଣ କୁହ । ମୋତେ ଜଣାପଡ଼ୁଥିଲା, ତୁମେ କଣ ଲେଖିବାରେ ବ୍ୟସ୍ତ ଥିଲ ।’’

 

ଏଥର ବୟ୍‌ ଆଉ ସତ୍ୟ କଥାଟିକୁ ଲୁଚାଇ ରଖିପାରିଲା ନାହିଁ । ବାଧ୍ୟ ହୋଇ ଉତ୍ତର ଦେଲା––

 

‘‘ସାର୍‌, ଆପଣ ଯେଉଁ ନୋଟ୍‌ ସବୁ ଡାକୁଥିଲେ, ମୁଁ ସେଇଗୁଡ଼ିକ ମୋ ଟିପାଖାତାରେ ଟିପିନେଉଥିଲି ।’’

 

ପ୍ରଫେସର୍‌ ଅତ୍ୟନ୍ତ ଆଗ୍ରହରେ ପଚାରିଉଠିଲେ––

 

‘‘କାହିଁ ସେ ଟିପା ଖାତାଟି ବାହାର କଲ, ମୁଁ ଦେଖେ କଣ ସବୁ ତହିଁରେ ଲେଖିଛ ?’’ ବୟ୍‌ ପକେଟରୁ ଟିପା ଖାତାଟି କାଢ଼ି ପ୍ରଫେସର୍‌ଙ୍କ ହାତକୁ ବଢ଼େଇ ଦେଲା । ପ୍ରଫେସର୍‌ ସେହି ଖାତାର ପ୍ରଥମ ପୃଷ୍ଠାରୁ ଆରମ୍ଭ କରି ଯେତେ ପର୍ଯ୍ୟନ୍ତ ଲେଖା ହୋଇଥିଲା, ସବୁ ପୃଷ୍ଠା ଉପରେ ଥରେ ଆଖି ପକାଇ ଦେଇଗଲେ । ଆଶ୍ଚର୍ଯ୍ୟରେ ତାଙ୍କ ଆଖି ଖୋଷିହୋଇଗଲା । ଦେଖିଲେ, ଆଜିପର୍ଯ୍ୟନ୍ତ କ୍ଳାସ୍‌ରେ ସେ ଯେତେ ନୋଟ୍‌ ଲେଖାଇଛନ୍ତି, ବୟ୍‌ଟି ସବୁଯାକ ଲେଖି ରଖିଛି, ଗୋଟିଏ ହେଲେ ତହିଁରୁ ଛାଡ଼ିନାହିଁ ।

 

ପିଲାଟି ବିଷୟରେ ପ୍ରଫେସର୍‌ଙ୍କ ଧାରଣା ସେହି ମୁହୂର୍ତ୍ତରୁ ଏକାବେଳେ ବଦଳିଗଲା । ସେ ତାକୁ ବିଜ୍ଞାନ ସମ୍ୱନ୍ଧରେ ଗୋଟିକ ପରେ ଗୋଟିଏ ପ୍ରଶ୍ନ ପଚାରିବାକୁ ଲାଗିଲେ । ପିଲାଟି ଆଦୌ ଚିନ୍ତା ନ କରିସଙ୍ଗେ ସଙ୍ଗେ ଅତି ପ୍ରାଞ୍ଜଳଭାବରେ ସେହି ସବୁ ପ୍ରଶ୍ନର ଉତ୍ତର ଦେଇଦେଲା । ସେତେବେଳକୁ ତାର ବୟସ ମୋଟେ ଷୋହଳ କି ସତର ବର୍ଷ ହେବ । ପ୍ରଫେସର୍‌ ତାର ଜ୍ଞାନ ଦେଖି ଅବାକ୍‌ ହୋଇଗଲେ । ପ୍ରଫେସର୍‌ଙ୍କ ପ୍ରଶ୍ନ ଶେଷ ହେଲା ପରେ ପିଲାଟି ଓଲଟି ତାଙ୍କୁ ଗୁଡ଼ିଏ କଠିନ କଠିନ ବିଷୟରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରି ଆହୁରି ଅବାକ୍‌ କରାଇଦେଲା ।

 

ପ୍ରଫେସର୍‌ ଏବେ ଜାଣିଲେ, ଏ ପିଲାଟି ସାମାନ୍ୟ ପିଲା ନୁହେଁ । ଏତେ ଅଳ୍ପ ବୟସରେ ଏହାର ମୁଣ୍ଡକୁ ଏତେ ଜଟିଳ ତଥ୍ୟର ଚିନ୍ତା ଆସିଲା କୁଆଡ଼ୁ ? ତାହେଲେ ଏ ନିଶ୍ଚୟ ନିଜେ ନିଜେ ଅନେକ ପ୍ରକାର ଗବେଷଣା କରୁଛି । ଯେଉଁ ସବୁ ବିଷୟରେ ସିଦ୍ଧାନ୍ତ କରି ନ ପାରିଛି, ଆଜି ସେହି ସବୁ ବିଷୟରେ ତାଙ୍କୁ ପ୍ରଚାରି ସନ୍ଦେହ ମୋଚନ କରିବାକୁ ସାହସୀ ହୋଇଛି ।

 

ଏଭଳି ଅସାଧାରଣ ପିଲା ବଣର ମାଳତୀ ପରି ଝଡ଼ିପଡ଼ିବା ଉଚିତ ନୁହେଁ ଭାବି ତା ଆରଦିନ ପ୍ରଫେସର୍‌ ମହୋଦୟ କଲେଜର ପ୍ରିନ୍‌ସପାଲ୍‌ଙ୍କ ନିକଟକୁ ଯାଇ ତା ସମ୍ୱନ୍ଧରେ ସବୁକଥା କହିଲେ । ପିଲାଟିର ଅଦ୍ଭୁତ ପ୍ରତିଭାର ପରିଚୟ ପାଇ ପ୍ରିନ୍‌ସପାଲ ତାହାକୁ ସେହି କଲେଜରେ ଛାତ୍ରରୂପେ ଗ୍ରହଣ କରିବାର ଆଦେଶ ଦେଲେ । ବିଶ୍ୱର ଶିକ୍ଷା ଇତିହାସରେ ଉକ୍ତ ଘଟଣାଟି ଚିରସ୍ମରଣୀୟ ହେଲା । ଷୋହଳ ସତର ବର୍ଷ ବୟସର ସେହି ତରୁଣ ମେଧାବୀ ଲବୋରେଟରୀ-ବୟ୍‌ଟି ପୃଥିବୀର ସର୍ବପ୍ରଥମେ ସେଦିନ କଲେଜର ଛାତ୍ରମାନଙ୍କ ସଙ୍ଗରେ ଏକାଠି ବସି ନିୟମିତ ଛାତ୍ରରୂପେ ଶିକ୍ଷା ପାଇବାର ଅଧିକାର ପାଇଲା ।

 

ସେଦିନର ସେହି ବୟ୍‌ଟି ଏବେ କଲେଜର ଜଣେ ଶ୍ରେଷ୍ଠ ବୁଦ୍ଧିଜୀବୀ ଛାତ୍ର । ସେ ଯଥାସମୟରେ ଖୁବ୍‌ କୃତିତ୍ୱର ସହିତ ପାସ୍‌ କରି କଲେଜ ଛାଡ଼ିଲା । ତା ସହିତ ଯେଉଁମାନେ ପାସ୍‌ କରିଥିଲେ, ସେମାନେ ଜୀବିକାର୍ଜନ ପାଇଁ ନାନା ପ୍ରକାର ପନ୍ଥା ଧରି କିଏ କୁଆଡ଼େ ଗଲେ, କିନ୍ତୁ ଏ ପିଲାଟିର ଶିକ୍ଷା ସେଇଠି ଶେଷ ହେଲାନାହିଁ । ଶିକ୍ଷାର କି କେବେହେଲେ ଶେଷ ଅଛି ? ଯେ ଜ୍ଞାନ ଆହରଣ କରିବାକୁ ଇଚ୍ଛା କରିବ ସାରା ଜୀବନ କଟିଗଲେ ମଧ୍ୟ ଜ୍ଞାନ ସମୁଦ୍ରରୁ ସେ କଣିକାଏ ସୁଦ୍ଧା ସଂଗ୍ରହ କରିପାରିବ ନାହିଁ । ଏହି କଥା ଭାବି ପିଲଟି ଘରେ ଗୋଟିଏ ଛୋଟ ଧରଣର ଲାବୋରେଟରୀ ସ୍ଥାପନ କଲା ଏବଂ ତାହାରି ଭିତରେ ବସି ନାନପ୍ରକାର ଗବେଷଣା ଚଳାଇଲା ।

 

ସେକାଳରେ ସମସ୍ତଙ୍କର ବିଶ୍ୱାସ ଥିଲା ଯେ ପୃଥିବୀ ସ୍ଥିର ଏବଂ ସୂର୍ଯ୍ୟ ପ୍ରତ୍ୟହ ତାର ଚାରିପଟରେ ଥରେ ବୁଲେ । ସୂର୍ଯ୍ୟ ପୃଥିବୀର ଯେଉଁ ପଟରେ ଥାଏ ସେହି ପଟରେ ଦିନ ହୁଏ ଏବଂ ତାର ଅପର ପଟରେ ରାତି ହୁଏ । ସୂର୍ଯ୍ୟର ଏହି ପ୍ରଦକ୍ଷିଣ ଫଳରେ ଦିନ ଓ ରାତି ପଛକୁ ପଛ ପୃଥିବୀରେ ଲାଗିରହିଛି ।

 

ସେହି ପିଲାଟି କ୍ରମେ ବୟସ୍କ ବ୍ୟକ୍ତିରେ ପରିଣତ ହେଲେ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସେ ଜଣେ ବୈଜ୍ଞାନିକର ମର୍ଯ୍ୟାଦା ପାଇଲେ । ସୂର୍ଯ୍ୟର ଗତି ସମ୍ୱନ୍ଧରେ ବହୁକାଳ ଧରି ଗଭୀର ଚିନ୍ତା କଲାପରେ ତାଙ୍କ ମନରେ ଦୃଢ଼ ବିଶ୍ୱାସ ହେଲା ଯେ, ଲୋକମାନଙ୍କର ଧାରଣା ଏକାବେଳେ ଭୁଲ୍‌ । ସୂର୍ଯ୍ୟ କଦାପି ଗତି କରୁ ନାହିଁ, ତାହା ସର୍ବଦା ସ୍ଥିର ଅଛି । ପୃଥିବୀ ହିଁ ସୂର୍ଯ୍ୟର ଚାରି-ପାଖରେ ବୁଲୁଛି । ନାନାପ୍ରକାର ପରୀକ୍ଷାଦ୍ୱାରା ସେ ଏଥିର ଅଭ୍ରାନ୍ତ ପ୍ରମାଣ ପାଇଲେ ଏବଂ ସେହି ସତ୍ୟକୁ ନିଜର ଶେଷ ସିଦ୍ଧାନ୍ତ ବୋଲି ସ୍ଥିର କଲେ ।

 

ଦେଶସାରା ସମସ୍ତେ ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ଆଜି-ପର୍ଯ୍ୟନ୍ତ ଯେଉଁ ଭ୍ରାନ୍ତ ମତ ପୋଷଣ କରିଆସିଛନ୍ତି, କିପରି ତାହା ସେମାନଙ୍କର ମନରୁ ଦୂର ହେବ ଏଥର ତାହାହିଁ ହେଲା ତାଙ୍କର ଏକମାତ୍ର ଚିନ୍ତାର ବିଷୟ । ସେ ନିଜ ମତର ପ୍ରଚାର ପାଇଁ ବିଭିନ୍ନ ପତ୍ରପତ୍ରିକାରେ ପ୍ରବନ୍ଧମାନ କ୍ରମାନ୍ୱୟେ ଲେଖିବାକୁ ଲାଗିଲେ ଏବଂ ନାନା ବଳିଷ୍ଠ ପ୍ରମାଣ ଦେଇ ସୂର୍ଯ୍ୟ ଯେ ସ୍ଥିର ଅଛି ଓ ପୃଥିବୀ ତା ଚାରିକଡ଼ରେ ଘୂରୁଛି, ଏହାର ପୂରାପୂରି ସାବ୍ୟସ୍ତ କରିଦେଲେ ।

 

ଏଭଳି ନୂଆ କଥାଟାଏ ପତ୍ରପତ୍ରିକାମାନଙ୍କରେ ପ୍ରକାଶିତ ହେବାଫଳରେ ସମଗ୍ର ଦେଶରେ ଗୋଟାଏ ଚାଞ୍ଚଲ୍ୟ ଖେଳିଗଲା । ବୈଜ୍ଞାନିକ ମହଲରେ ମଧ୍ୟ ଚହଳ ପଡ଼ିଗଲା । ଲୋକ ସେହିସବୁ ପ୍ରବନ୍ଧରେ ଦିଆଯାଇଥିବା ଅକାଟ୍ୟ ପ୍ରମାଣ ଦେଖି ପୂର୍ବ ବିଶ୍ୱାସ ପ୍ରତି ଆସ୍ଥାହୀନ ହେବାର କଥା କିନ୍ତୁ ସେହି ଚିରାଚରିତ ବିଶ୍ୱାସ ସେମାନଙ୍କ ମନରେ ଏପରି ବଦ୍ଧମୂଳ ହୋଇଯାଇଥିଲା ଯେ ସହଜରେ ସେମାନେ ଏହି ନୂତନ ତଥ୍ୟକୁ ସତ୍ୟରୂପ ଗ୍ରହଣ କରିବାକୁ ରାଜି ହେଲେନାହିଁ ।

ପୁଣି ସେ ସମୟରେ ଏସବୁ ବଡ଼ ବଡ଼ କଥା ରାଜାଙ୍କଦ୍ୱାରା ସମର୍ଥିତ ନ ହେଲେ ସତ୍ୟ ବୋଲି ଗୃହୀତ ହେଉ ନ ଥିଲା । ତେଣୁ ସେହି ପ୍ରବନ୍ଧମାନ ଶେଷରେ ଇତାଲୀ ଦେଶର ରାଜାଙ୍କ ଆଗରେ ଉପସ୍ଥାପିତ କରାଗଲା । ରାଜା ସେଗୁଡ଼ିକ ପଢ଼ିବାମାତ୍ରେ ରାଗରେ ନିଆଁ ପାଲଟି ଗଲେ ଏବଂ ଅବିଳମ୍ୱେ ଆଦେଶ ଦେଲେ––

‘‘ଯେଉଁ ବୈଜ୍ଞାନିକ ଏଭଳି କଥା ପ୍ରଚାର କରୁଛି, ତାକୁ ରାଜଦରବାରକୁ ଧରିଆଣ । ମୋର ଯେଉଁ କଥା ବିଶ୍ୱାସ ନାହିଁ, ତାହା ସତ୍ୟରୂପେ କଦାପି ଗ୍ରହଣୀୟ ନୁହେଁ । ତେଣୁ ସେହି ବୈଜ୍ଞାନିକକୁ ରାଜଦ୍ରୋହୀ ବୋଲି ଧରାଯିବ ଏବଂ ସେଥିପାଇଁ ଉଚିତ ଶାସ୍ତି ମଧ୍ୟ ଦିଆଯିବ ।’’

ସେ ଯୁଗରେ ରାଜାମାନଙ୍କର ପ୍ରତିପତ୍ତି ଅଖଣ୍ଡ ଥିଲା । ସେମାନେ ଯାହା କହୁଥିଲେ, ତାହା ବେଦର ଗାର ବୋଲି ସମସ୍ତଙ୍କୁ ବାଧ୍ୟହୋଇ ମାନିବାକୁ ପଡ଼ୁଥିଲା । ନ ହେଲେ ଆଜୀବନ ରାଜଦଣ୍ଡ ଭୋଗିବାକୁ ହେଉଥିଲା । ତେଣୁ କାଳ ବିଳମ୍ୱ ନ କରି ରାଜାଙ୍କ ଲୋକେ ଯାଇ ବୈଜ୍ଞାନିକଙ୍କୁ ବାନ୍ଧି ଆଣି ରାଜସଭାରେ ହାଜର କରାଇଲେ ।

ବୈଜ୍ଞାନିକଙ୍କୁ ଦେଖି କ୍ରୋଧପୂର୍ଣ୍ଣ ସ୍ୱରରେ ରାଜା କହିଲେ––‘‘ଆବହମାନ କାଳରୁ ପ୍ରତିଷ୍ଠିତ ସତ୍ୟ ଉପରେ କୁଠାରାଘାତ କରି ତୁମେ ଘୋର ଅପରାଧ କରିବା ସଙ୍ଗେ ସଙ୍ଗେ ରାଜସମ୍ମାନ ପ୍ରତି ଅବଜ୍ଞା ପ୍ରଦର୍ଶନ କରିଛ । ତେଣୁ ନିଜର ମତ ପରିବର୍ତ୍ତନ କରି ଏଠାରେ ସର୍ବସମକ୍ଷରେ ଘୋଷଣା କର ଯେ, ପୃଥିବୀ ସ୍ଥିର ଏବଂ ସୂର୍ଯ୍ୟ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କରୁଛି-। ତାହେଲେ ତୁମକୁ ଏ ଉଭୟବିଧ ରାଜଦ୍ରୋହ ଅପରାଧରୁ ନିଷ୍କୃତ ଦିଆଯିବ । ଯଦି ଏହା ଘୋଷଣା କରିବାକୁ ପଶ୍ଚାତ୍‌ପଦ ହୁଅ, ତାହେଲେ ଏହି ମୁହୂର୍ତ୍ତରେ ତୁମକୁ କାରାଗାରର ନିଭୃତ ଅନ୍ଧକାର କକ୍ଷରେ ନିକ୍ଷେପ କରାଯିବ ।’’

 

ଏହି ତର୍ଜନବାଣୀ ଶୁଣି ବୈଜ୍ଞାନିକ କିଛିକ୍ଷଣ ନୀରବରେ ଚିନ୍ତାକଲେ ଏବଂ ସମଗ୍ର ଦେଶବାସୀଙ୍କ ନିକଟରୁ ଧର୍ମାବତାରରୂପେ ପୂଜା ପାଉଥିବା ସେହି ରାଜାଙ୍କର ସମ୍ମାନ ରକ୍ଷାପାଇଁ ବାଧ୍ୟହୋଇ ଇଚ୍ଛା ବିରୁଦ୍ଧରେ କହିଲେ––

 

‘‘ଧର୍ମରାଜ ! ମୁଁ ଯାହା ପତ୍ରପତ୍ରିକାରେ ଲେଖିଛି, ତାହା ଭୁଲ୍‌ । ଏପର୍ଯ୍ୟନ୍ତ ଚଳିଆସିଥିବା ବିଶ୍ୱାସ ହିଁ ଠିକ୍‌ ବୋଲି ଏଠାରେ ସ୍ୱୀକାର କରୁଛି । ସୂର୍ଯ୍ୟ ହିଁ ଗତିଶୀଳ ତାହା ଗତିହୀନ ପୃଥିବୀକୁ ପ୍ରଦକ୍ଷିଣ କରୁଛି ।’’

 

ରାଜା ସନ୍ତୁଷ୍ଟ ହୋଇ ବୈଜ୍ଞାନିକଙ୍କୁ ମୁକ୍ତି ଦେଲେ । ବୈଜ୍ଞାନିକ ଘରକୁ ଫେରିଆସି ବଡ଼ ଚିନ୍ତିତ ହେଲେ । ବର୍ଷ ବର୍ଷ ଧରି ପରୀକ୍ଷା ଓ ଗବେଷଣା କରିବା ପରେ ସେ ଯେଉଁ ସତ୍ୟର ପ୍ରମାଣ ପାଇଥିଲେ, ଆଜି ରାଜଦଣ୍ଡ ଭୟରେ ତଥା ରାଜସମ୍ମାନ ଖାତିରିରେ ତାହାକୁ ମିଥ୍ୟା ବୋଲି ନିଜ ମୁଖରେ ସ୍ୱୀକାର କଲେ । ଏହାଠାରୁ ବଳି କାପୁରୁଷତା ଆଉ କଣ ଥାଇପାରେ ? ବିବେକ ତାଙ୍କୁ ବାରମ୍ୱାର ଦଂଶନ କଲା । ବିଜ୍ଞାନ-ଜଗତରୁ କୁସଂସ୍କାର ଦୂର କରିବାପାଇଁ ଏବଂ ପୃଥିବୀବାସୀଙ୍କୁ ନୂତନ ଆଲୋକର ସନ୍ଧାନ ଦେବାପାଇଁ ସେ ବ୍ୟାକୁଳ ହୋଇ ଉଠିଲେ ସତ୍ୟକୁ ଗୋପନ କରି ରଖିବା ପାପ ବୋଲି ତାଙ୍କର ମନେ ହେଲା । ସେ ସ୍ଥିର ହୋଇ ଘରେ ରହି ନପାରି ତତ୍‌କ୍ଷଣାତ୍‌ ସେହି ରାଜସଭାକୁ ଛୁଟିଗଲେ ଏବଂ ଅତି ଦୃଢ଼ତାର ସହିତ ନିର୍ଭୟରେ କହିଲେ––

 

‘ମହାରାଜ ! ଅଳ୍ପ ସମୟ ପୂର୍ବେ ମୁଁ ଯାହା ଆପଣଙ୍କ ଆଗରେ କହିଯାଇଥିଲି ତାହା ସମ୍ପୂର୍ଣ୍ଣ ମିଥ୍ୟା । ମୁଁ ଯାହା ପ୍ରମାଣ କରି ପତ୍ରିକା ସାହାଯ୍ୟରେ ରାଜ୍ୟବାସୀଙ୍କୁ ଜଣାଇଛି, ତାହାହିଁ ନିରାଟ ସତ୍ୟ । ପୃଥିବୀ ଯେ ସୂର୍ଯ୍ୟର ଚାରିପଟେ ଘୂରୁଛି, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।’’

 

ବୈଜ୍ଞାନିକ ତାଙ୍କର ମତକୁ ବଜାୟ ରଖିବାରୁ ରାଜସମ୍ମାନରେ ବ୍ୟାଘାତ ଆସିଲା । ଅଦୂରଦର୍ଶୀ ରାଜା ଏଥିରେ ନିଜକୁ ଅପମାନିତ ମନେକରି ଭୟଙ୍କର ରାଗିଗଲେ ଏବଂ ବୈଜ୍ଞାନିକଙ୍କୁ କାରାଗାରରେ ଆବଦ୍ଧ କରିବାକୁ ଆଦେଶ ଦେଲେ । ଫଳରେ ବୈଜ୍ଞାନିକ କାରାବାସ ବରଣ କଲେ । ବହୁକାଳପରେ ରାଜା ନିଜର ଭ୍ରମ ବୁଝିପାରିଲେ ଏବଂ ବୈଜ୍ଞାନିକଙ୍କ ପ୍ରମାଣିତ ସତ୍ୟକ ଅଭ୍ରାନ୍ତ ବୋଲି ସ୍ୱୀକାର କରି ତାଙ୍କୁ କାରାଦଣ୍ଡରୁ ମୁକ୍ତି ଦେଲେ ।

 

ବୈଜ୍ଞାନିକ ଯେଉଁ ଘରେ ବାସ କରୁଥିଲେ, ତାହାର ଅଳ୍ପ ନିକଟରେ ଖ୍ରୀଷ୍ଟୀୟ ଧର୍ମଯାଜକମାନଙ୍କର ଗୋଟିଏ ଗୀର୍ଜା ଥିଲା । ୧୫୮୪ ମସିହାରେ କଥା । ଦିନେ ସନ୍ଧ୍ୟାବେଳେ ସେ ନିଜ ଘରର ବାରଣ୍ଡାରେ ଏକାକୀ ବସି କୌଣସି ଗୋଟିଏ ବିଷୟରେ ଚିନ୍ତା କରୁଥାନ୍ତି । ହଠାତ୍‌ ସେହି ସମୟରେ ଗୀର୍ଜାର ଛାତ ଉପରେ ଝୁଲୁଥିବା ଏକ ପ୍ରଦୀପ ଉପରେ ତାଙ୍କର ଦୃଷ୍ଟି ପଡ଼ିଗଲା-। ସେ ଦେଖିଲେ ପ୍ରଦୀପଟି ସମାନ ଗତିରେ ଦୋଳୁଛି, ଅର୍ଥାତ୍‌ ଥରେ ଗୋଟିଏ ସ୍ଥାନରେ ଦୋଳିବାକୁ ଆରମ୍ଭ କରି ପୁଣି ସେଠାକୁ ଫେରି ଆସିବାକୁ ଯେତେ ସମୟ ନେଉଛି, ଆଉଥରେ ସେହିପରି ଦୋଳି-ସାରି ପୂର୍ବ ସ୍ଥାନକୁ ଆସିବ କୁ ଠିକ୍‌ ସେତିକି ସମୟ ନେଉଛି ।

 

ଏ ଘଟଣାରେ ବୈଜ୍ଞାନିକଙ୍କ ମନରେ ଗୋଟାଏ ନୂଆ କୌତୂହଳ ଜାଗରିତ ହେଲା । ସେ ବାରମ୍ୱାର ପ୍ରଦୀପଟିର ଦୋଳନ କ୍ରିୟା ପର୍ଯ୍ୟବେକ୍ଷଣ କଲେ ଏବଂ ଉକ୍ତ ବିଷୟରେ ଅନେକ ସମୟ ପର୍ଯ୍ୟନ୍ତ ନିବିଷ୍ଟ ମନରେ ଚିନ୍ତାକରି ବସିଲେ । ସେହି ଚିନ୍ତା ଫଳରେ ଗୋଟିଏ ନୂଆ ଉପାୟରେ ପରୀକ୍ଷା କରିବାକୁ ତାଙ୍କର ଇଚ୍ଛା ହେଲା । ସେ ନିଜର ନାଡ଼ିକୁ ଚିପିଧରିଲେ ଏବଂ ନାଡ଼ିର ଗତି ସଙ୍ଗେ ପ୍ରଦୀପର ଗତିକୁ ମିଳାଇବାକୁ ଲାଗିଲେ । ଶେଷରେ ତାଙ୍କର ପରୀକ୍ଷା ସାର୍ଥକ ହେଲା । ସେହି ପରୀକ୍ଷାରୁ ଏକ ନୂତନ ତଥ୍ୟ ଲାଭକରି ସେ ଦୋଳନ ଯନ୍ତ୍ର ବା ଦୋଳକ ପ୍ରସ୍ତୁତ କଲେ । ବିଜ୍ଞାନ-ଜଗତକୁ ଏହା ହେଲା ତାଙ୍କର ଆଉ ଗୋଟିଏ ମହତ୍‌ ଦାନ ।

 

ଏହି ଦୋଳକ ପେଣ୍ଡୁଲମ୍‌ ଉଦ୍ଭାବିତ ହେବାରୁ ପୃଥିବୀରେ ଘଣ୍ଟାର ପ୍ରଚଳନ ସମ୍ଭବପର ହେଲା । ଆଜିକାଲି ନାନା ପ୍ରକାରର ଓ ନାନା ଆକାରର ଘଣ୍ଟା ବା ଘଡ଼ିତିଆରି ହୋଇ ଘରେ ଘରେ ବ୍ୟବହୃତ ହେଉଛି । ଏହିସବୁ ଘଡ଼ିକୁ ଦେଖିବାବେଳେ ସ୍ୱତଃ ମନରେ ପ୍ରଶ୍ନ ଉଠେ––ଏହି ମହୋପକାରୀ ଯନ୍ତ୍ରର ଉଦ୍ଭାବକ କିଏ ? କଲେଜ ଲବୋରେଟରୀର ସାମାନ୍ୟ ବୟ୍‌ଟି ଯେ ଦିନେ ଜଣେ ଖ୍ୟାତନାମା ବୈଜ୍ଞାନିକ ହୋଇ ବିଶ୍ୱବାସୀଙ୍କର ଏତେବଡ଼ କଲ୍ୟାଣ ସାଧନ କରିପାରିଥିଲା, ଏହା ଭାବିଲେ ବାସ୍ତବିକ୍‌ ବିସ୍ମୟରେ ବୁଡ଼ିଯିବାକୁ ହୁଏ ।

 

ଏହି ପ୍ରାତଃସ୍ମରଣୀୟ ବୈଜ୍ଞାନିକଙ୍କର ନାମ ଜାଣିବାକୁ କିଏ ବା ଉତ୍କଣ୍ଠିତ ନ ହେବ ? ଏହାଙ୍କ ନାମ ‘ଗାଲିଲିଓ’ ।

 

୧୫୬୪ ମସିହାରେ ଇଟାଲୀ ଦେଶର ପାଇସା ନଗରୀରେ ଗ୍ୟାଲିଲିଓଙ୍କର ଜନ୍ମ ହୋଇଥିଲା । ଏହି ସୁପ୍ରସିଦ୍ଧ ପାଶ୍ଚାତ୍ୟ ଜ୍ୟୋତିର୍ବିଦ୍‌ ନିଜର ଅସାମାନ୍ୟ ପ୍ରତିଭା ବଳରେ ଜ୍ୟୋତିଷଶାସ୍ତ୍ରର ସୂକ୍ଷ୍ମ ଆଲୋଚନା କରି ବହୁ ମୂଲ୍ୟବାନ୍‌ ତଥ୍ୟ ବାହାର କରିଥିଲେ । ଯେଉଁ ଦୂରବୀକ୍ଷଣ ଯନ୍ତ୍ର ପ୍ରତ୍ୟେକ ବୈଜ୍ଞାନିକର ଏବେ ସହାୟ ହୋଇଛି ଗାଲିଲିଓ ହିଁ ସେହି ଯନ୍ତ୍ରର ସର୍ବପ୍ରଥମ ଉଦ୍ଭାବନକର୍ତ୍ତା । ବୈଜ୍ଞାନିକମାନଙ୍କର ନିତ୍ୟନମସ୍ୟ ଏହି ମହାପୁରୁଷ ସାରାଜୀବନ କଠୋର ଅଧ୍ୟବସାୟ ଦ୍ୱାରା ଜଗତର ଅଶେଷ ମଙ୍ଗଳ ସାଧନ କରି ୧୬୪୨ ମସିହାରେ ଇହଲୋକରୁ ବିଦାୟ ନେଇଥିଲେ ।

Image

 

ସବା ତଳ ପିଲାର ସବୁଠୁଁ ବଡ଼ କାମ

 

ଅନେକେ ଭାବନ୍ତି, ଶ୍ରେଷ୍ଠ ଜ୍ଞାନୀ ବା ବିଜ୍ଞାନୀ ବୋଲି ପୃଥିବୀରେ ଯେଉଁମାନେ ଖୁବ୍‌ ନାଁ କରିଛନ୍ତି, ସେମାନେ ସମସ୍ତେ ପିଲାଦିନେ ଭାରି ବୁଦ୍ଧିମାନ୍‌ ଥିବେ । ଶ୍ରେଣୀରେ ସମସ୍ତଙ୍କଠୁ ବେଶି ଭଲ ପଢ଼ୁଥିବେ ଓ ସେମାନଙ୍କ ସ୍ମୃତି ଶକ୍ତି ଖୁବ୍‌ ପ୍ରଖର ଥିବ । ମାତ୍ର ଏ ଧାରଣା ଠିକ୍‌ ନୁହେଁ । ଯେତେ ଲୋକଙ୍କୁ ଆମେ ବିଶ୍ୱବିଖ୍ୟାତ ବୋଲି ଜାଣୁ, ସେମାନଙ୍କ ମଧ୍ୟରୁ ଅନେକେ ବାଲ୍ୟକାଳରେ କ୍ଳାସ୍‌ର ‘ଲାଷ୍ଟ ବୟ୍‌’ ବା ସବା ତଳପିଲା ଥିଲେ ଓ ମନେ ରଖିବା ଶକ୍ତି ଟିକିଏ ହେଲେ ସେମାନଙ୍କର ନ ଥିଲା । ଦୁଷ୍ଟାମିରେ ସେମାନେ ସମସ୍ତଙ୍କୁ ଟପି ଯାଇଥିଲେ ।

 

ଟମ୍‌ ଠିକ୍‍ ଏହି ଧରଣର ଗୋଟିଏ ପିଲା । ତାର ଚଗଲା ଢଙ୍ଗ ଓ ଭୁଲା ମନ ଦେଖି କି ବାପା ମା, କି ସ୍କୁଲ ମାଷ୍ଟର ସମସ୍ତେ ହତାଶ ହୋଇଯାଇଥିଲେ । ଭାବିଲେ, ସାତଜନ୍ମରେ ବି ତାର ପାଠଶାଠ ହେବନାହିଁ କି ବୁଦ୍ଧି ବୃତ୍ତି ଫେରିବ ନାହିଁ । କିନ୍ତୁ ସେଇ ଟମ୍‌ ବଡ଼ଦିନେ ଯେତେବେଳେ ବଡ଼ ବଡ଼ କାମ କଲା, ତାହା ଦେଖି ଲୋକେ ତାଟକା ହୋଇଗଲେ । କେହି ସହଜରେ ବିଶ୍ୱାସ କରିପାରିଲେ ନାହିଁ ଯେ ପିଲାଦିନେ ସେ ଏତେ ଦୁଷ୍ଟ ଥିବ ଏବଂ କ୍ଳାସର ସବା ଶେଷ ବେଞ୍ଚର ସବାତଳ ପିଲାଙ୍କ ଦଳରୁ ଜଣେ ହୋଇଥିବ ।

 

ଆମେରିକାର ଓହିଓ ବୋଲି ଗୋଟିଏ ସହର । ତାହାରି ଏକ ପ୍ରାନ୍ତର ନାମ ମିଲାନ୍‌ । ସେଠାରେ ଥାଏ ଗୋଟିଏ ଚଷାଘର । ଚଷା, ଚଷା ଭାରିଯା ଓ ଚାକରଟିଏ, ଏଇ ତିନିଜଣଙ୍କ ଛଡ଼ା ଘରେ ଆଉ କେହି ନ ଥାନ୍ତି । ସେଇ ଛୋଟିଆ କୁଡ଼ିଆ ଘରଟି ୧୮୪୭ ଖ୍ରୀଷ୍ଟାବ୍ଦରେ ଭରି ଉଠିଲା ଗୋଟିଏ ନବଜାତ ଶିଶୁର ପ୍ରଥମ କ୍ରନ୍ଦନ ରୋଳରେ । ସୁନ୍ଦର ଗଢ଼ଣ, କୁନ୍ଦିଲା ପରି ଦେହ ସେଇ ଶିଶୁଟିର । ବାପ ମାଆଙ୍କର ଦୁଃଖ ଗଲା । ଅତି ଶ୍ରଦ୍ଧାରେ ତାକୁ ସମସ୍ତେ ଡାକିଲେ ‘ଟମ୍‌’ ।

 

ଦିନ ଗଡ଼ିଲା, ବୟସ ବି ବଢ଼ିଲା । ଟମ୍‌ ଟିକିଏ ବଡ଼ ହୋଇଯିବାମାତ୍ରେ ନାଚିକୁଦି ଘରବାଡ଼ି କମ୍ପାଇବାକୁ ଲାଗିଲା । ବେଳକୁବେଳ ତାର ଦୁଷ୍ଟାମି ଏତେ ବଢ଼ିଗଲା ଯେ ମା ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ଯେତେ ତାକୁ ଆଖି ଆଗରେ ରଖି ଶାସନ କରିବାକୁ ଚେଷ୍ଟାକଲେ ବି କିଛି ଫଳ ହେଲା ନାହିଁ । ମାଆ ଟିକିଏ ଅନ୍ୟ ଆଡ଼କୁ ଆଖି ବୁଲାଇଲେ ଟମ୍‌ ଚୁପ୍‌ଟିକିନା ପଦାକୁ ଖସିଯାଏ । ଘରଠାରୁ କିଛି ଦୂରରେ ଥିବା ଖାଲୁଆ ରାସ୍ତା କଡ଼ରେ ବସି ଚଗଲାମି ଆରମ୍ଭ କରିଦିଏ । ମାଆ ଦେଖନ୍ତି ତ, ପୁଅ ପାଖରେ ନାହିଁ । ଏ କୋଠରି ସେ କୋଠରି ଖୋଜନ୍ତି, ବାଡ଼ି ଭିତରେ ପଶି ଦରାଣ୍ଡନ୍ତି––କେଉଁଠି ଟମ୍‌ ମିଳେ ନାହିଁ । ମାଆ କାମଦାମ ପଛକୁ ପକାଇ ଦାଣ୍ଡରେ ଯାଇ ଖୋଜନ୍ତି-। ଏଣେ ତେଣେ ବୁଲି ଶେଷରେ ରାସ୍ତାକଡ଼ରୁ ପୁଅକୁ ଧରି ଟାଣି ଟାଣି ଘରକୁ ଆଣନ୍ତି । ବହୁତ ତାକୁ ଗାଳି ଦିଅନ୍ତି, ଚିଡ଼ି କରି ମଧ୍ୟ ଛାଟରେ ପିଟନ୍ତି । ସମୟ ସମୟରେ ସେ ଏତେ ବିରକ୍ତ ହୋଇଯାନ୍ତି କୁକୁରବନ୍ଧା ଶିକୁଳିରେ ଟମ୍‌କୁ ବାନ୍ଧିଦେଇ ଘରେ ପକାଇ ରଖନ୍ତି ।

 

ପୁଅର ଏଭଳି ବଗୁଲିଆ ଢଙ୍ଗ ଓ ବୁଲାଖୋର ଦେଖି ବାପା ଚିନ୍ତିତ ହେଲେ । ପଢ଼ିବା ବୟସ ଆସିଲା, ତଥାପି ତାର ମନ ବଦଳିଲା ନାହିଁ । ଘରେ ରହିଲେ ତାର ଦୁଷ୍ଟାମି ଆହୁରି ବଢ଼ିଯିବ, ଏହା ଭାବି ବାପା ତାକୁ ପୋଟହ୍ୟୁରନର ଏକ ସ୍କୁଲରେ ଭର୍ତ୍ତି କରାଇଦେଇ ବୋର୍ଡ଼ିଂରେ ରହିବାର ବନ୍ଦୋବସ୍ତ କରିଦେଲେ । ସେତେବେଳେ ଟମ୍‍ର ବୟସ ନଅ ବର୍ଷ ।

 

ଟମ୍‌ ଏବେ ମହା ଅଡ଼ୁଆରେ ପଡ଼ିଲା । ଘରେ ମନଇଚ୍ଛା ଯେତେବେଳେ ଯାହା କରିବାର ସୁବିଧା ଥିଲା, ସେତକ ଏଠି ରହିଲା ନାହିଁ । ସ୍ୱାଧୀନତାଟିକ ଚାଲିଯିବାରୁ ତାକୁ ଆଉ କିଛି ସୁଖ ଲାଗିଲା ନାହିଁ । ପିଞ୍ଜରା ଭିତରେ ଚଢ଼େଇ ରହିଲେ ତାର ଯେଉଁ ଅବସ୍ଥା, ଟମ୍‌ର ଅବସ୍ଥା ଠିକ୍‌ ସେହିପରି ହେଲା । ବେଳ ହୋଇଗଲେ ସେ ଖାଇପିଇ ସ୍କୁଲକୁ ଯାଏ । ବହିପତ୍ର ପାଖରେ ଥାଏ ସିନା, ଦିନେହେଲେ ତାକୁ ଫିଟାଏ ନାହିଁ । କ୍ଳାସ୍‌ରେ ସବା ପଛ ବେଞ୍ଚରେ ବଗୁଲିଆ ପିଲାଙ୍କ ଦଳରେ ବସି ରହେ । ମାଷ୍ଟର ଯାହା ପଢ଼ାନ୍ତି, କିଛି ଶୁଣେ ନାହିଁ,…..ବୁଝେଇଲେ ମଧ୍ୟ କିଛି ବୁଝିପାରେ ନାହିଁ ଏବଂ ସ୍କୁଲ ଛୁଟି ହେଲେ ବୋର୍ଡ଼ିଂକୁ ଡଗ ଡଗ ହୋଇ ପଳେଇଯାଏ ।

 

ପରୀକ୍ଷା ହୁଏ । ଟମ୍‌ ପରୀକ୍ଷା ଖାତାଟି ଧରି ଘଣ୍ଟାଏ ଖଣ୍ଡେ ବସି ବସି ଖାତା ଫେରାଇଦେଇ ପଳାଇ ଆସେ । କିଛି ତ କେବେ ପଢ଼ି ନଥାଏ, ପରୀକ୍ଷାରେ ଆଉ ଲେଖିବ କ’ଣ-? ଏହିପରି କେତେ ପରୀକ୍ଷା ଗଲା, ସବୁ ପରୀକ୍ଷାରେ ଟମ୍‌ ଫେଲ୍‌ । ଶେଷକୁ ଶିକ୍ଷକମାନେ ସ୍କୁଲରୁ ତାର ନାମ କାଟିଦେଲେ ଏବଂ ତାକୁ ଘରକୁ ନେଇଯିବାଲାଗି ବାପାଙ୍କୁ ଜଣାଇଦେଲେ । କହିଲେ––ଏଇଟା ନିହାତି ବୋକା ଆଉ ନିର୍ବୁଦ୍ଧିଆ ପିଲା । କ୍ଳାସରେ ଗୋଟିଏ ପ୍ରଶ୍ନର ସୁଦ୍ଧା ଉତ୍ତର ଦେଇପାରେନାହିଁ । ଦୁଷ୍ଟାମି ବେଳକୁ ଗୋଡ଼ହାତରେ ବିଜୁଳି ଖେଳିଯାଏ, ତୁଣ୍ଡରେ ବାଟୁଳି ବାଜେନାହିଁ, ଅଥଚ ପାଠ ପଚାରିଲେ ମୁହଁରୁ ପଦେ ହେଲେ କଥା ବାହାରେ ନାହିଁ । ଏଭଳି ପିଲାର କି କେବେହେଲେ କୌଣସି ବିଦ୍ୟା ହୋଇପାରେ ?

 

ବାପା ଆଉ କ’ଣ କରିବେ, ବାଧ୍ୟ ହୋଇ ପୁଅକୁ ଘରକୁ ଫେରାଇ ଆଣିଲେ ଏବଂ ତାଠାରୁ ସବୁ ଆଶା ଛାଡ଼ିଦେଇ ବସିଲେ । ସାଇପଡ଼ିଶାରେ ପଢ଼ୁଆ ପିଲାଏ ଟମ୍‌କୁ ଦେଖି ଥଟ୍ଟା କଲେ, ‘‘ଗୁଣବନ୍ତ ପୁଅ । ଘରକୁ ଫେରି ଅଇଲ । ଯାହା ତ କଲ କଲ ବାପାମାଆଙ୍କର ନାଆଁ ପକେଇଲ କାହିଁକି ?’’ ଏ କଥାରେ ଟମ୍‌ ମୋଟେ କାନ ଦେଲା ନାହିଁ । ଫୁଟିକି ମାରି ତା ରାସ୍ତାରେ ସେ ଚାଲିଗଲା ।

 

ମାଆଙ୍କ ମନରେ ଦୁଃଖର ଅନ୍ତ ରହିଲା ନାହିଁ । କିପରି ପୁଅ ମଣିଷ ହେବ, କେବଳ ଏହି କଥା ତାଙ୍କର ସବୁବେଳେ ଚିନ୍ତା ହେଲା । ଏବେ ବାଲ୍ୟସୀମା ଟପି ଟମ୍‌ କୈଶୋରରେ ଗୋଡ଼ ଦେଲାଣି । ମାଆ ତାକୁ ପାଖରେ ବସାଇ କେତେ ବୁଝାଇଲେ, ପାଠରେ ମନ ଦେବାକୁ କହିଲେ । କେଜାଣି କେମିତି ସେଇଥିରେ ଟମ୍‌ର ମନ ବଦଳିଗଲା । ସେ କହିଲା, ‘‘ମା, ମୁଁ ସ୍କୁଲରେ ପଢ଼ିବି ନାହିଁ, ତୁମ ପାଖରେ ପଢ଼ିବି ।’’

 

ମାଆ ଏଥିରେ ରାଜି ହେଲେ ଏବଂ ସେହିଦିନୁ ଟମ୍‌ର ପଢ଼ା ଭାର ନିଜ ହାତକୁ ନେଲେ-। ଟମ୍‌ ସୁନାପିଲାଟି ପରି ଏଣିକି ମାଆଙ୍କ ପାଖରେ ଲେଖାପଢ଼ା କଲା । କ୍ରମେ ତାର ପଢ଼ିବା ନିଶା ଏତେ ବଢ଼ିଗଲା ଯେ, ଖଣ୍ଡକୁ ଖଣ୍ଡ ସେ କେତେ ବହି ଯେ ପଢ଼ି ସାରିଦେଲା, ତାର ହିସାବ ନାହିଁ । ଯେତେ ଜ୍ଞାନ, ସବୁ ବହି ଭିତରେ ଥାଏ, ଏହାହିଁ ତାର ଧାରଣା । ତେଣୁ ନୂଆ ବହିଟିଏ ପାଇଲେ ଆନନ୍ଦରେ ତା ବୁକୁ ଫୁଲିଉଠେ । ସେ ଅତି ତରବରରେ ପୃଷ୍ଠାପରେ ପୃଷ୍ଠା ଓଲଟାଇ ପଢ଼ିବାକୁ ଲାଗେ । ସେଥିରୁ କେତେ ବୁଝେ, କେତେ ବୁଝେ ନା; ତଥାପି ବହିଟି ଶେଷ ନ ହେବାଯାଏ, ସେ ଥୟ ପଡ଼େ ନାହିଁ । କେତେବେଳେ ମନ ହେଲେ ବୁଝି ନ ହେବା ବିଷୟଟି ମାଆଙ୍କୁ ପଚାରେ । ମା ଭଲଭାବରେ ବୁଝାଇ ଦିଅନ୍ତି । ସେତେବେଳକୁ ଟମ୍‌ର ବୟସ ଏଗାର କି ବାରବର୍ଷ ହେବ ।

 

ଏଥିଭିତରେ ମାଆଙ୍କ ପଢ଼ାଇବା ଗୁଣରେ ଟମ୍‌ର ବହୁତ ବିଷୟରେ ଜ୍ଞାନ ହୋଇଯାଇଛି । ଯେଉଁ ବହିରେ କଳକବ୍‌ଜା, ଯନ୍ତ୍ରପାତି କି ବିଜ୍ଞାନ କଥା ଲେଖା ଥାଏ, ସେହି ବହି ପଢ଼ିବାଲାଗି ତାର ଆଗ୍ରହ ସବୁଠାରୁ ବେଶି ହୁଏ ।

 

କ୍ରମେ ତାର କିଶୋର ପ୍ରାଣରେ ଉଠିଲା ଗୋଟିଏ ନୂଆ ଢେଉ । ବୈଜ୍ଞାନିକଟିଏ ହେବାପାଇଁ ତାର ଭାରି ଇଚ୍ଛା ହେଲା । ତେଣୁ ଘରେ କ’ଣ ବାହାରେ କ’ଣ ଯେତେବେଳେ ଯେଉଁଠି ଯାହା ଦେଖେ, ତାରି ବିଷୟରେ ବହୁତ କଥା ଭାବେ । ଚୁଲୀ ଉପରେ ବସିଥିବା କେଟିଲିର ମୁହଁଦେଇ ଧୁଆଁ ବାହାରିଲେ ଟମ୍‌ ଦୌଡ଼ିଯାଏ ତା ପାଖକୁ । ଗୋଡ଼ ଉପରେ ଗୋଡ଼ ପକାଇ ମୁରବି ଭଳି ସେଇଠି ବସିରହେ ଏବଂ କିପରି ଧୂଆଁ ବାହାରୁଛି, ତାହାକୁ ନିରେଖିକରି ଦେଖେ । ମନରେ ତାର କେତେ କୌତୂହଳ ଖେଳିଯାଏ, କେତେ ପ୍ରଶ୍ନ ଉଠେ । ସେ ସେହି ପ୍ରଶ୍ନର ଉତ୍ତର ନିଜେ ନିଜଠାରୁ ପାଇବାର ଚେଷ୍ଟାକରେ । ଦରକାର ହେଲେ ପରୀକ୍ଷା କରି ଦେଖେ । ପୂରା ସନ୍ତୁଷ୍ଟ ନ ହେଲା ପର୍ଯ୍ୟନ୍ତ ମୋଟେ ସମ୍ଭଳା ପଡ଼େନାହିଁ ।

 

ଟମ୍‌ ଜାଣିଥାଏ ଯେ ହଂସ, କୁକୁଡ଼ା ପ୍ରଭୃତି ପକ୍ଷୀ ଡିମ୍ୱରୁ ଛୁଆ ବାହାର କରିବାପାଇଁ ଡିମ୍ୱ ଉପରେ ବସି ରହନ୍ତି । ଟମ୍‌ର ଘରେ ଗୁଡ଼ିଏ ହଂସ ଥାଆନ୍ତି । ସେଥିମଧ୍ୟରୁ ଗୋଟିଏ ହଂସ ଥରେ ଡିମ୍ୱ ଦେଲା ଏବଂ ତାରି ଉପରେ ଅନେକ ଦିନଯାଏ ବସିରହିଲା । ତାହା ଦେଖି ଟମ୍‌ ଭାବିଲା, ଡିମ୍ୱରୁ କିପରି ଛୁଆ ବାହାରେ; ସେ ନିଜେ ପରୀକ୍ଷା କରି ଜାଣିବ । ସଙ୍ଗେ ସଙ୍ଗେ ସେ ହଂସଟି ପାଖକୁ ଦୌଡ଼ିଗଲା ଏବଂ ସେଠାରୁ ଘଉଡ଼ାଇ ଦେଲା । ହଂସ ଉଡ଼ିଗଲା ପରେ ନିଜେ ଯାଇଁ ଡିମ୍ୱଟି ଉପରେ ବସି ରହିଲା । ଦିନ ପରେ ଦିନ ଗଡ଼ିଗଲା, ତଥାପି ଡିମ୍ୱ ଫୁଟିଲା ନାହିଁ କି ଛୁଆ ବାହାରିଲା ନାହିଁ । ଶେଷକୁ ଡିମ୍ୱ ପଚି ଘୋଳ ହୋଇଗଲା । ଏବେ ଟମ୍‌ ଜାଣିଲା ଯେ, ନିଜେ ହଂସ ତା ଡିମ୍ୱକୁ ଉଷୁମ ନ କଲେ, ତହିଁରୁ କଦାପି ଛୁଆ ବାହାରିବ ନାହିଁ ।

 

ଅଜଣା କଥା ଜାଣିବା ପାଇଁ ଟମ୍‌ର କୌତୂହଳ ଦିନକୁ ଦିନ ବଢ଼ିବାକୁ ଲାଗିଲା । ଦୁଷ୍ଟ ଟମ୍‌ ଏବେ ଶିଷ୍ଟ ଟମ୍‌ ହୋଇଯାଇଛି । ନିଜ ରହିବା ଘର ବାରଣ୍ଡାର ଏକ କୋଣରେ ସେ ଗୋଟିଏ ଛୋଟ ଗବେଷଣା-ଗୃହ ତିଆରି କରି ସାରିଲାଣି । ମାଆଙ୍କଠାରୁ ଯେତେବେଳେ ଯାହା ପଇସା ପାଏ, ତାକୁ ସଞ୍ଚି ରଖେ । ସେଇ ପଇସାରେ ଛୋଟିଆ ଛୋଟିଆ ଯନ୍ତ୍ରପାତି, ଆଉ ଅଳ୍ପ ଦାମ୍‌ର ରାସାୟନିକ ଜିନିଷମାନ କିଣିଆଣେ । ନିଜେ ଜଣେ ଛୋଟ ବୈଜ୍ଞାନିକ ସାଜି ସେଇ ସବୁ ସାହାଯ୍ୟରେ ପରୀକ୍ଷା ଚଳାଏ । ସମସ୍ତେ ଦେଖନ୍ତି, ଟମ୍‌ ଏତେ କାର୍ଯ୍ୟବ୍ୟସ୍ତ ଯେ ଟିକିଏ ହେଲେ ତାକୁ ଫୁରୁସତ୍‌ ନାହିଁ କି କାହାରି ସହିତ କଥାଭାଷା ହେବାକୁ ତରନାହିଁ । ତାର ଏଭଳି ଢଙ୍ଗ ଦେଖି ଲୋକେ ମନେ ମନେ ହସନ୍ତି ଏବଂ ତାକୁ ଆଡ଼ପାଗଳା ବୋଲି ଭାବନ୍ତି ।

 

ଦିନାକେତେ ଏହିପରି ଗଲା । ହଠାତ୍‌ ଥରେ ତା ମୁଣ୍ଡକୁ ଗୋଟାଏ କଥା ଢୁକିଲା । ଖଣ୍ଡିଏ ବିଜ୍ଞାନ ବହି ପଢ଼ି ତହିଁରୁ ସେ ଜାଣିଲା-ବେଲୁନ୍‌ ମଧ୍ୟରେ ଗ୍ୟାସ୍‌ ଭର୍ତ୍ତି ହୋଇଥାଏ ବୋଲି ତାହା ଆକାଶକୁ ଉଠିଯାଇ ଉଡ଼ିବୁଲେ । ଟମ୍‌ ଭାବିଲା, ସେ ନିଜେ ଏହା ପରୀକ୍ଷା କରି ଦେଖିବ ।

 

ପରୀକ୍ଷାର ମୂଳ ହେଲା ବେଲୁନ୍‌ । ସେ ଏବେ ବେଲୁନ୍‌ଟିଏ କେଉଁଠୁଁ ଯୋଗାଡ଼ କରିବ-? କିଛି ସମୟ ବହୁତ ଭାବିଲା । ଭାବି ଭାବି ସ୍ଥିର କଲା, ବେଲୁନ୍‌ ବଦଳରେ ବେଲୁନ୍‌ ଭଳିଆ ଯେ କୌଣସି ଫମ୍ପା ଜିନିଷଟିଏ ହେଲେ ବି ଚଳିବ । ତା ଭିତରେ ଗ୍ୟାସ୍‌ ପଶିଲେ ହେଲା ।

 

ଟମ୍‌ ଘର ଚାକର ‘ମାଇକେଲ ଓଟ୍‌ସ’କୁ ବେଲୁନ୍‌ କରିବ ବୋଲି ଠିକଣା କଲା । କୌଣସି ଉପାୟରେ ତାର ପେଟଟାକୁ ଫମ୍ପା କରିଦେଲେ ପରୀକ୍ଷା ଆରମ୍ଭ କରିହେବ । ‘ସିଡଲିଜ୍‌ ପାଉଡର’ ଏକ ପ୍ରକାର ଜୋଲାପ ଔଷଧ । ପାଣିରେ ପକାଇଲେ ତହିଁରୁ ଭରଭର ହୋଇ ଗ୍ୟାସ୍‌ ବାହାରେ । ଟମ୍‌ ବିଚାରିଲା, ମାଇକେଲ୍‌ ଏହି ଔଷଧ ଖାଇଦେଲେ ତାର ପେଟ ଭିତରେ ଛାଆଁକୁ ଗ୍ୟାସ୍‌ ଭର୍ତ୍ତି ହୋଇଯିବ । ତାହାରି ବଳରେ ମାଇକେଲ ଉପରକୁ ଉଠିଯାଇ ଆକାଶରେ ଉଡ଼ିବ ।

 

ଏହା ବିଚାରି ଟମ୍‌ ଗୁଡ଼ାଏ ସିଡ୍‌ଲିଜ୍‌ ପାଉଡର ଆଣି ମାଇକେଲ୍‌କୁ ଖାଇବାକୁ କହିଲା । ମାଇକେଲ୍‌ କିନ୍ତୁ ମନା କଲା । ସେ ଯେତେ ନାହିଁ କଲେ ବି ଟମ୍‌ ଛାଡ଼ିଲା ନାହିଁ । ଚାକର ଇଚ୍ଛା ବିରୁଦ୍ଧରେ ତା ପାଟିକୁ ମେଲାକରି ଜବରଦସ୍ତି ପାଉଡ଼ର ଯାକ ତହିଁ ଭିତରେ ପୂରାଇଦେଲା । ମାଇକେଲ୍‌ ବିଚରା ଆଉ କରିବ କ’ଣ, ବାଧ୍ୟ ହୋଇ ତାହା ଖାଇଦେଲା । ଏଥର ଟମ୍‌ ତା ପାଖରେ ଟାକି ବସିଲା, ଦେଖିବ, କିପରି ମାଇକେଲ୍‌ ଉପରକୁ ଉଠିଯିବ ଆଉ ଶୂନ୍ୟରେ ଉଡ଼ିବୁଲିବ ।

 

ଅଳ୍ପ କିଛି ସମୟ ଯାଇଛି, ମାଇକେଲ ବଡ଼ ପାଟିରେ ଚିତ୍କାର କରିଉଠିଲା । ଏତେଗୁଡ଼ାଏ ଏ ଜୋଲାପ ଔଷଧ ଭଲ ଦେହରେ କେହି କଣ ଖାଏ ? ପେଟ ଭିତରେ ଏକାବେଳକେ ମନ୍ଥି ହୋଇଗଲା । ଯନ୍ତ୍ରଣା ଏତେ ଭୀଷଣ ହେଲା ଯେ, ମାଇକେଲ୍‌ ମରିଗଲା ପରି ହୋଇ ତଳେ ଖାଲି ଏପଟରୁ ସେପଟ ଗଡ଼ିଲା ।

 

ଏହା ଦେଖି ଟମ୍‌ ଭାବିଲା, ପେଟଭିତର କଳ ବୋଧହୁଏ କିଛି ବିଗିଡ଼ିଯାଇଛି କିମ୍ୱା ତା ପରୀକ୍ଷାରେ କିଛି ତ୍ରୁଟି ରହି ଯାଇଛି ସେଥିପାଇଁ ସେ ମାଇକେଲ୍‌ର ହାତ ଗୋଡ଼କୁ ବହେ ଟଣାଟଣି କରିଦେଲା ଏବଂ ତାପରେ ତାର ପେଟ ଉପରେ ହାତ ରଖି ଟିକେ ଟିକେ କରି ପାଣି ଢାଳିଲା । ବିଶ୍ୱାସ କଲା ଏଥର ନିଶ୍ଚୟ ମାଇକେଲ୍‌ ଶୂନ୍ୟକୁ ଉଠିଯିବ । ମାତ୍ର ଅବସ୍ଥା ବେଳକୁ ବେଳ ଖରାପ ଆଡ଼କୁ ଗଲା । ମାଇକେଲ ଯନ୍ତ୍ରଣାରେ ଛଟପଟ ହୋଇ ଅସରା ଅସରା କାନ୍ଦିବାକୁ ଲାଗିଲା ।

 

ଟମ୍‌ ଭୟରେ ଘାବରା ହୋଇଗଲା । ମାଇକେଲ୍‍ ବେଲୁନ୍‌ ହୋଇ ଆକାଶରେ ଉଡ଼ିବ ବୋଲି ସେ ଯେଉଁ ଆଶା ରଖିଥିଲା, ତା ମନରୁ ସେହି ଆଶା କୁଆଡ଼େ ଉଭେଇ ଗଲା । ମାଇକେଲ୍‌ କିପରି ସାଷ୍ଟାମ ହେବ, ଏବେ ଏହାହିଁ ହେଲା ତାର ପ୍ରଧାନ ଚିନ୍ତା । ଏତକ କାଣ୍ଡ ସେ ନିଜେ ଭିଆଇଛି, ତେଣୁ ନାନାପ୍ରକାର ମାଇକେଲ୍‌କୁ ବୁଝେଇ ସୁଝେଇ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲା ।

 

ଏ ଶୁଖିଲା ସାନ୍ତ୍ୱନାରେ କ’ଣ ମାଇକେଲ୍‌ର ପେଟ ଯନ୍ତ୍ରଣା କମିଯିବ ? ସେ କଷ୍ଟ ସହି ନପାରି ଅଧିକ ପାଟିକରି ଉଠିଲା । ସେହି ପାଟି ଶୁଣି ଟମ୍‌ର ବାପା ମାଆ ଦୌଡ଼ି ଆସିଲେ । ମାଇକେଲ୍‌ ଅବସ୍ଥା ଦେଖି ତାଙ୍କର ହଲକ ଶୁଖିଗଲା । ମାଇକେଲ୍‌ ତାଙ୍କ ଆଗରେ ସବୁ ଘଟଣା କହିଗଲା ।

 

ଟମ୍‌ କାଇଲମାକୁଲ ହୋଇ କାନ୍ଥକୁ ଆଉଜି ଠିଆହୋଇଥାଏ । ବାପା ତାର ଏ ଦୁଷ୍ଟବୁଦ୍ଧି ଦେଖି ରାଗରେ ନିଆଁ ପାଲଟି ଗଲେ । ସଙ୍ଗେ ସଙ୍ଗେ ଗୋଟିଏ ଚାବୁକ ଆଣି ଟମ୍‌ ପିଠିରେ ପାୟ୍ଁ ପାୟ୍ଁ ପିଟିଦେଇ ଗଲେ । ନୋଳା ଫାଟି ରକ୍ତ ଝରଝର ବୋହି ପଡ଼ିଲା । ପିଠି ଚମଡ଼ା ଫୁଲି ଲାଲ ହୋଇଗଲା । ତଥାପି ଟମ୍‌ କିଛି କହିଲା ନାହିଁ । ବାପା ସିନା ଏହି କାମକୁ ଦୁଷ୍ଟାମି ବୋଲି ଭାବିଲେ, ଟମ୍‌ କିନ୍ତୁ ଜାଣେ ଯେ, ସେ ତାର ଜ୍ଞାନ ବଢ଼ାଇବାକୁ ଗୋଟାଏ ପରୀକ୍ଷା କରୁଥିଲା । ଲୋକେ ଏ ଘଟଣା ଶୁଣିଲେ, କହିଲେ, ଟମ୍‌ଟା ଗୋଟାଏ ନିର୍ଧୁମ୍‌ ପାଗଳ । ଟମ୍‌ ଭାବିଲା ପ୍ରକୃତରେ ସେ ପାଗଳ । ପାଗଳପରି ଗୋଟାଏ କାମରେ ଲାଗି ନ ପଡ଼ିଲେ କେବେ କି କୌଣସି ସୁଫଳ ମିଳିପାରେ ।

 

ବିଜ୍ଞାନର ରହସ୍ୟ ସବୁ ଜାଣିବାକୁ ଏଣିକି ଟମ୍‌ର ମନ ଆହୁରି ବେଶି ଧାଇଁଲା । ଘର ବାରଣ୍ଡାର ଗବେଷଣା-ଗୃହରେ ବସି ଦିନେ ସେ କ’ଣ ପରୀକ୍ଷା କରୁଥାଏ । ଏହି ସମୟରେ ବାପା କିଛି ଟଙ୍କା ଦେଇ ତାକୁ କହିଲେ, ‘‘ଟମ୍‌! ଆଜି ଟିକସ୍‌ ଦେବାର ଶେଷ ତାରିଖ । ଏହି ଟଙ୍କାତକ ନେଇ ତୁ କଚେରିରେ ଦାଖଲ କରିଦେଇ ଆ ।’’

 

ବାପାଙ୍କ କଥା ମାନି ଟମ୍‌ ଟଙ୍କା ଘେନି କଚେରିକୁ ଗଲା । ସେଠି ଦେଖିଲା ଭାରି ଭିଡ଼ । ଶହ ଶହ ଲୋକ ଖଜଣା ଧରି ଧାଡ଼ିବାନ୍ଧି ଠିଆ ହୋଇଛନ୍ତି । ଟମ୍‌ ଯାଇ ସେଇ ଧାଡ଼ିରେ ଠିଆହେଲା । ଧାଡ଼ିର ଆଗପଟୁ ଜଣ ଜଣ ହୋଇ ଲୋକେ ଖଜଣା ଦେଉଥାନ୍ତି ଏବଂ ରସିଦ ନେଇ ଚାଲିଯାଉଥାନ୍ତି । ଟମ୍‌ର ଖଜଣା ଦେବାର ବେଳ ଡେରିରେ ଆସିବା ଜାଣି ସେ ନିଜର ଅଧା କରି ଆସିଥିବା ପରୀକ୍ଷାଟି ବିଷୟରେ ଭାବିବାକୁ ଲାଗିଲା । ଏହିପରି ଅନେକ ସମୟ ଚାଲିଗଲା । ସେ ତାର ଭାବନାରେ ଏପରି ଭୋଳ ହୋଇଗଲା ଯେ ଖଜଣା ଦାଖଲ କରିବା କଥା ଏକାବେଳକେ ଭୁଲିଗଲା । ଏଥିମଧ୍ୟରେ ତାର ପାଳି ପଡ଼ିଗଲା, ତଥାପି ସେ ତାହା ଜାଣିପାରିଲା ନାହିଁ– ସେହିପରି ଗୋଟାଏ ଆଡ଼କୁ ଚାହିଁ ଚିନ୍ତା କରୁଥାଏ ।

 

ଯେତେ ଲୋକ ଆସିଥିଲେ, କେବଳ ଟମ୍‌କୁ ଛାଡ଼ି ସମସ୍ତଙ୍କର ଖଜଣା ଦାଖଲ ହୋଇଗଲା । ଖଜଣା ନେଉଥିବା କର୍ମଚାରୀ ଦେଖିଲେ, ପିଲାଟି ବୋକାଙ୍କ ପରି ଠିଆ ହୋଇ ରହିଛି । ସେ ଟମ୍‌ ପାଖକୁ ଆସି ତାର ନାମ ପଚାରିଲେ, ତେବେ ବି ଟମ୍‌ର ପାଟିରୁ ପଦେ ହେଲେ କଥା ବାହାରିଲା ନାହିଁ । ତା ମୁଣ୍ଡରେ ତ ପରୀକ୍ଷା-ଭୂତ ପଶିଛି, କର୍ମଚାରୀଙ୍କ ପ୍ରଶ୍ନ କାନରେ ପଶୁଛି କାହୁଁ ? ପ୍ରକୃତରେ ସେତେବେଳକୁ ତା ନିଜ ନା ବି ସେ ଭୁଲି ଯାଇଥିଲା, ତେଣୁ ବକ ବକ ହୋଇ କର୍ମଚାରୀଙ୍କ ମୁହଁକୁ ଚାହିଁ ରହିଲା । ଯୋଗକୁ ଟମ୍‌ର ପଡ଼ିଶା ଜଣେ ସେଇ ବାଟଦେଇ ଯାଉଥିଲେ-। ସେ ଟମ୍‌କୁ ତାର ନାମ ମନେ ପକାଇଦେଲେ । ତେବେ ଯାଇ ଟମ୍‌ ନିଜର ନାଁ କହିଲା ଓ ଖଜଣା ଦାଖଲ କରି ଘରକୁ ଫେରିଲା । ପଡ଼ିଶା ଜଣଙ୍କ ଯଦି ସେଠି ଆସି ହାବୁଡ଼ି ନ ଥାନ୍ତେ, ତେବେ ସେ ଦିନ ଟମ୍‌ ଯେକି ଅପଦସ୍ଥ ହୋଇଥାନ୍ତା, କହିଲେ ନ ସରେ । ତାର କିପରି ଭୋଳା ମନ, ଆଉ ବିଜ୍ଞାନର ନାନା ରହସ୍ୟ ଜାଣିବା ପାଇଁ ସେ କିପରି ପାଗଳ, ତାହା ଏହି ଘଟଣାରୁ ବେଶ୍‌ ଜଣାଯାଏ ।

 

ବୟସ ବଢ଼ିବା ସଙ୍ଗେ ସଙ୍ଗେ ରୀତିମତ ବୈଜ୍ଞାନିକ ହେବାର କଳ୍ପନା ଟମ୍‌ର କ୍ରମେ ବଢ଼ିଲା । ସେ ଭାବିଲା ବଡ଼ ବଡ଼ ପରୀକ୍ଷା କରିବାକୁ ହେଲେ ବଡ଼ ଧରଣ ଦାମିକା ଯନ୍ତ୍ରପାତି ପାଖରେ ଥିବା ଦରକାର । ସେସବୁ କିଣିବାକୁ ବହୁତ ଅର୍ଥ ଲୋଡ଼ା । ଏତେ ଅର୍ଥ ତାକୁ କୁଆଡ଼ୁ ମିଳିବ ? ଭାବି ଭାବି ଶେଷରେ ସେ ଚାକରି କରି ଟଙ୍କା ରୋଜଗାର କରିବାକୁ ଠିକ୍‌ କଲା ।

 

ବିଦ୍ୟାବୁଦ୍ଧି ବା ସ୍କୁଲପଢ଼ା ତ କିଛି ନାହିଁ, ଭଲ ଚାକିରି ବା କିଏ ଦେବ ? ଟମ୍‌ ବାପା ମାଆଙ୍କ ଅନୁମତି ନେଇ ରେଳଗାଡ଼ିରେ ଖବର କାଗଜ ବିକା ଆରମ୍ଭ କଲା । ସେଥିରୁ ଯାହା ମିଳିଲା, ତାକୁ ଜମେଇ ରଖିଲା । ହାତରେ ଯେମିତି କିଛି ପାଣ୍ଠି ହୋଇଗଲା, ସେଥିରୁ ଯନ୍ତ୍ରପାତି, କଳକବ୍‌ଜା, ଶିଶି, ବୋତଲ ଔଷଧପତ୍ର, ଏହିପରି କେତେ କଣ କିଣିଲା । ରେଳଡ଼ବାରେ ତାକୁ ରହିବାଲାଗି ଗୋଟିଏ ଜାଗା ଦିଆଯାଇଥାଏ । ଟମ ସେହି ଡବାର ଏକ କୋଣରେ ନିଜର ଜିନିଷପାତି ରଖି ନାନାପ୍ରକାର ପରୀକ୍ଷା କରିବାରେ ମାତିଗଲା । ଏହିରୂପେ ସେଠି ସେ ନିଜର ଗୋଟାଏ ଗବେଷଣା ଘର ତିଆରି କରିନେଲା ।

 

କିଛି ଦିନ ଗଲା । ଥରକର କଥା । ରେଳଗାଡ଼ି ଧାଇଁଥାଏ, ଏଣେ ଟମ୍‌ର ବୈଜ୍ଞାନିକ ପରୀକ୍ଷା କାମ ବି ଡବାଭିତରେ ଚାଲିଥାଏ । କେତେକ ରାସାୟନିକ ଦ୍ରବ୍ୟ ଏକାଠି ମିଶାଇ ପରୀକ୍ଷା କରୁ କରୁ ହଠାତ୍‌ ତହିଁରୁ ନିଆଁ ବାହାରି ଡବାରେ ଲାଗିଗଲା । ଏପରି ପ୍ରଳୟ କାଣ୍ଡ ଦେଖି ଡବାର ଯାତ୍ରୀମାନେ ଖୁବ୍‌ ଜୋରରେ ପାଟିକରି-ଉଠିଲେ । ସେହି ଗୋଳମାଳ ଶବ୍ଦ ଶୁଣି ଗାର୍ଡ ସାହେବ ଗାଡ଼ି ଅଟକାଇ ଧାଇଁଆସିଲେ ଏବଂ ଟମ୍‌ ଯେଉଁ ଡବାରେ ଥିଲା, ସେଇଠି ଗୋଳମାଳ ହେଉଥିବାର ଦେଖି ତା ଭିତରକୁ ପଶିଗଲେ । ସଙ୍ଗେ ସଙ୍ଗେ ସେ ଟମ୍‌ର ସବୁ ଯନ୍ତ୍ରପାତି, ଶିଶିବୋତଲ ଓ ଅନ୍ୟାନ୍ୟ ଦ୍ରବ୍ୟ ପଦାକୁ ଫୋପାଡ଼ି ଦେଲେ ଏବଂ ଟମ୍‌କୁ ବହେ ପିଟି, କାନ ରଗଡ଼ି, ରଗଡ଼ି ଗାଡ଼ିରୁ ତଡ଼ିଦେଲେ । ରେଳଷ୍ଟେସନର ହତା ମାଡ଼ିବାକୁ ମଧ୍ୟ ମନା କରି ଦିଆଗଲା-

 

ସେହି କାନ ରଗଡ଼ାରେ ଟମ୍‌ର କାନଭିତରେ ପରଦା ସବୁ ଛିଡ଼ିଗଲା । ତାହାରି ଫଳରେ ତାର ଶୁଣିବା ଶକ୍ତି ଏକାବେଳକେ ଲୋପ ପାଇଲା । ଟମ୍‌ କାଲ ହୋଇଯିବାରୁ ଅନେକେ ବଡ଼ ଦୁଃଖିତ ହେଲେ ଏବଂ ଚିକିତ୍ସାଦ୍ୱାରା କାନ ଭଲ କରାଇବାପାଇଁ ତାକୁ ଉପଦେଶ ଦେଲେ । କିନ୍ତୁ ଟମ୍‌ ସେ ସବୁ କଥା କିଛି ଶୁଣିଲା ନାହିଁ, ଓଲଟି କହିଲା-

 

‘‘କାଲ ହେବାଦ୍ୱାରା ମୋର ଭଲ ହୋଇଛି । ମୁଁ ଯଦି କାନରେ ଶୁଣିପାରିବି, ତା ହେଲେ ଚାରିଆଡ଼ର ଶବ୍ଦରେ ମୋ କାମ ଭଣ୍ଡୁର ହୋଇଯିବ । ମୁଁ ମୋର ପରୀକ୍ଷା କାର୍ଯ୍ୟରେ ଘଣ୍ଟା ଘଣ୍ଟା ଧରି ଲାଗି ରହିପାରିବ ନାହିଁ । ମୋର ମନେହୁଏ, ଭଗବାନ ମୋ ଦ୍ୱାରା କିଛି ବଡ଼ କାମ କରାଇବାପାଇଁ ମୋତେ ଏପରି କାଲ କରି ଦେଲେ ।’’

 

ଖୁବ୍‌ କମ୍‌ ଲୋକଙ୍କ ମନରେ ଏପରି ବିଶ୍ୱାସ ହୁଏ । ଯେ ଏହିପରି ଭାବି କାମରେ ଦୃଢ଼ ହୋଇ ଲାଗିପଡ଼େ, ପ୍ରକୃତରେ ସେ ଦିନେ ପୃଥିବୀରେ ବଡ଼ ହୁଏ ଏବଂ ବହୁତ ଭଲକାମ କରି ଜୀବନ ସାର୍ଥକ କରେ ।

 

ଟମ୍‌ର ଏବେ ଯୋଡ଼ିଏ ଘଟଣା ମନେ ପଡ଼ିଲା––ସେଦିନ ମାଇକେଲ୍‌କୁ ବେଲୁନ କରିବାକୁ ଯାଇ ବାପାଙ୍କଠାରୁ ଖାଇବା ଚାବୁକ୍‌ ପାହାର, ଆଉ ଆଜି ରେଳଗାଡ଼ିରେ ପରୀକ୍ଷା କରିବାକୁ ଯାଇ ଗାର୍ଡସାହେବଙ୍କଠାରୁ ଖାଇବା ମାଡ଼ ଓ କାନମୋଡ଼ା । ଏଥିରୁ ସେ ବହୁତ ଉତ୍ସାହ ପାଇଲା ଏବଂ ଏହାହିଁ ତାର ବୈଜ୍ଞାନିକ ଜୀବନର ମୂଳଦୁଆ ହେଲା ବୋଲି ମନେ ମନେ ନିଶ୍ଚୟ କଲା ।

 

ପ୍ରକୃତରେ ଏହି ସ୍ୱପ୍ନ ଭବିଷ୍ୟତରେ ସତ୍ୟ ହେଲା । ଯେଉଁ ବାଳକ ବୈଜ୍ଞାନିକ ଟମ୍‌କୁ ସମସ୍ତେ ଦୁଷ୍ଟ, ଆଡ଼ବାୟା ଓ ପାଗଳ ବୋଲି ଭାବି ଛି-ଛାକର କରୁଥିଲେ, ପରେ ସେଇ ହେଲା ଜଣେ ଶ୍ରେଷ୍ଠ ବୈଜ୍ଞାନିକ । ସମଗ୍ର ପୃଥିବୀ ତାରି ଗଳାରେ ପିନ୍ଧାଇଲା ଅମୂଲ୍ୟ ଜୟମାଲ୍ୟ । ବିଜ୍ଞାନ ଜଗତ ତାକୁ ହିଁ ଦେଲା ସର୍ବଶ୍ରେଷ୍ଠ ଅଭିନନ୍ଦନ ।

 

ଏହି ଟମ୍‌ ପରବର୍ତ୍ତୀ ଜୀବନରେ ହେଲା ବିଶ୍ୱବିଖ୍ୟାତ ବୈଜ୍ଞାନିକ ‘ଥୋମାସ୍‌ ଆଲ୍‌ଭା ଏଡ଼ିସନ୍‌’ । ବିଜ୍ଞାନର ଅମର ଇତିହାସରେ ଏଡ଼ିସନ୍‌ ଚିରଦିନ ପାଇଁ ଅଧିକାର କଲେ ଏକ ଗୌରବମୟ ଉଜ୍ଜ୍ୱଳ ପୃଷ୍ଠା ।

 

ଜୀବନର ପ୍ରଥମ ଭାଗଟି ଏହିପରି ଭାବରେ କଟିଗଲା ପରେ ଏଡ଼ିସନ୍‌ ବିଜ୍ଞାନର ପ୍ରକୃତ ଆଲୋକ ପାଇଲେ । ସେ ଗୋଟିକ ପରେ ଗୋଟିଏ ଯନ୍ତ୍ର ବାହାର କରିବାକୁ ଲାଗିଲେ । ନିଜର ଜୀବନକାଳ ମଧ୍ୟରେ ଛୋଟ ବଡ଼ ମିଶାଇ ଏକ ହଜାର ତିନିଶହ ନୂତନ ଯନ୍ତ୍ର ଓ ଜିନିଷ ସେ ତିଆରି କରି ସେଗୁଡ଼ିକୁ ରେଜିଷ୍ଟ୍ରି କରିଥିଲେ । ପୃଥିବୀରେ ଏତେ ଯନ୍ତ୍ର ଆଉ କେହି କରିପାରି ନାହାନ୍ତି । ଏହାହିଁ ଏଡ଼ିସନ୍‌ଙ୍କର ପ୍ରଧାନ ବିଶେଷତ୍ୱ ।

 

୧୮୭୬ ମସିହାରେ ଫନୋଗ୍ରାଫ୍‌ ବୋଲି ସେ ଏକ ନୂତନ ଧରଣର ଯନ୍ତ୍ର ତିଆରି କଲେ । ତାହା ଗୀତ, ନାଚ, ବକ୍ତୃତା ପ୍ରଭୃତିର ଶବ୍ଦକୁ ଗ୍ରହଣ କରିପାରିଲା । ଏହି ଯନ୍ତ୍ରକ ଉନ୍ନତି ହୋଇ ପରେ ଗ୍ରାମୋଫୋନ୍‌ ବା କଳଗାଉଣା ତିଆରି ହେଲା ।

 

ଯେଉଁ ସିନେମା ବା ଚଳଚ୍ଚିତ୍ର ଆଜିକାଲି ପ୍ରାୟ ପ୍ରତି ସହରରେ ଦେଖିବାକୁ ମିଳୁଛି, ତାହାର ପ୍ରଥମ ଯନ୍ତ୍ରର ସ୍ରଷ୍ଟା ହେଉଛନ୍ତି ଏଡ଼ିସନ୍‌ । ୧୮୮୯ ମସିହା ଅକ୍ଟୋବର ୬ ତାରିଖରେ ସେ ଏହି ଯନ୍ତ୍ରଟି ତିଆରି କରି ତାହାରି ସାହାଯ୍ୟରେ ପରଦା ଉପରେ ଛବି ଦେଖାଇଥିଲେ । ଆହୁରି ଚାରି ପାଞ୍ଚ ବର୍ଷ ଯନ୍ତ୍ରଟିର ଉନ୍ନତିରେ ଲାଗିରହି ସେ ୧୮୯୪ ମସିହାରେ ତାହାକୁ ପୂର୍ଣ୍ଣାଙ୍ଗ କଲେ । ସେହି ବର୍ଷ ଅପ୍ରେଲ ମାସରେ ନିଉୟର୍କ ସହରରେ ପ୍ରଥମ ସିନେମା ଚିତ୍ର ଦେଖାଇବାକୁ ସେ ସମର୍ଥ ହେଲେ । ସେତେବେଳେ ସେହି ଚିତ୍ରରେ ଅଭିନୟକାରୀ ମାନଙ୍କର କଥାବାର୍ତ୍ତା ଓ ସ୍ୱର ଖଞ୍ଜା ଯାଇ ନ ଥିଲା । ଏଡ଼ିସନ୍‌ଙ୍କ ଫନୋଗ୍ରାଫ୍‌ ଯନ୍ତ୍ରର କାଇଦାକୁ ଗ୍ରହଣ କରି, ପରେ କଥାବାର୍ତ୍ତା ଗୀତ ଆଦି ଶୁଭିବା ପାଇଁ ଗୋଟିଏ ଯନ୍ତ୍ର ତିଆରି କରାଗଲା ଏବଂ ଚିତ୍ର ଦେଖାଇବା ଯନ୍ତ୍ର ସହିତ ସେହି ଶବ୍ଦ ଶୁଣାଇବା ଯନ୍ତ୍ରକୁ ଏପରି ଭାବରେ ଯୋଡ଼ି ଦିଆଗଲା ଯେ, ପରଦା ଉପରେ ଛବିଗୁଡ଼ିକ ଚାଲିବା ସଙ୍ଗେ ସଙ୍ଗେ ଅଭିନୟକାରୀ-ମାନଙ୍କର ସ୍ୱର, ଭାଷା ଏକ ସମୟରେ ଉପଭୋଗ କରି ହେଲା । ଏହାରି ନାମ ହେଲା ‘ଟକି’ ବା ‘କଥାକୁହା ଛବି’ ।

 

ଏହାଛଡ଼ା ଏଡ଼ିସନ୍‌ ବିଜୁଳି ଆଲୋକର ବତି, ଟେଲିଫୋନ୍‌ ଯନ୍ତ୍ର, ଇଲେକ୍‌ଟ୍ରିକ୍‌ ଟ୍ରେନ୍‌ ପ୍ରଭୃତି ତିଆରି କଲେ । କଳକାରଖାନାମାନଙ୍କରେ ଉତ୍ପାଦନର ପରିମାଣ ବଢ଼ାଇବା ପାଇଁ ସେ ନୂତନ ଧରଣର ନାନାପ୍ରକାର ଡାଇନାମୋ, ମୋଟର ଓ ଜେନେରେଟର ମଧ୍ୟ ସୃଷ୍ଟି କଲେ । ଏହାଦ୍ୱାରା କାରଖାନାଗୁଡ଼ିକ ଅଧିକ ଶକ୍ତିର କାର୍ଯ୍ୟ କରିପାରିଲା ଏବଂ ତାହାରି ଫଳରେ ଶିଳ୍ପର ଢେର ଉନ୍ନତି ହେଲା ।

 

ଏହିରୂପେ ଏଡ଼ିସନ୍‌ ଗଭୀର ନିଷ୍ଠା ଓ ସଂକଳ୍ପର ସହିତ ସାରା ଜୀବନ ସାଧନାରେ କଟାଇ ୧୯୩୧ ମସିହାରେ ସଂସାରରୁ ବିଦାୟ ନେଲେ । ତାଙ୍କ ପରି ଏଡ଼େ ବଡ଼ ସାଧକ ଆଉ କେହି ଜନ୍ମିଛନ୍ତି ବୋଲି ମନେ ହୁଏନାହିଁ । ଏଥିପାଇଁ ସମଗ୍ର ବିଶ୍ୱ ଆଜି ତାଙ୍କ ପ୍ରତିଭାର ପୂଜା କରୁଅଛି ।

Image

 

Unknown

କଲମ୍ୱସଙ୍କ ଦ୍ୱିତୀୟ ଆବିଷ୍କାର

 

ସୁନାର ଭାରତ । ସମସ୍ତ ସୁଖ-ସୌଭାଗ୍ୟର ଖଣି । ସେହି ଦେଶରେ ନଈ-ଝରଣାର ପାଣି ପଣାଠାରୁ ବଳି ସ୍ୱାଦୁ ! ଅସଂଖ୍ୟ ପ୍ରକାର ଗଛଲତାରେ ଝୁଲେ ଅମୃତଠାରୁ ଆହୁରି ମଧୁର ରାଶି ରାଶି ପାଚିଲା ଫଳ । ନାନା ଫସଲର ସବୁଜ ଶୋଭାରେ ମାଟିମାଆର ବୁକୁ ସବୁବେଳେ ହସହସ । ଧନ ଦଉଲତ, ମଣି ମାଣିକ, ହୀରାଜହରତର ଭଣ୍ଡାର ସେହି ଦେଶ ।

 

ରୂପକଥାର କାହାଣୀ ପରି ଏହିସବୁ ବିଚିତ୍ର କଥା ସାରା ଇଉରୋପରେ ଲୋକେ କୁହାକୁହି ହୁଅନ୍ତି । ଏଭଳି ସୁନ୍ଦର ଦେଶର ରୂପ କେବଳ ମନେ ମନେ କଳ୍ପନା କରନ୍ତି, ମାତ୍ର ତାକୁ ଦେଖିବାର ଉପାୟ କାହିଁ ।

 

ସେତେବେଳେ ଭାରତକୁ ଆସିବାର ପଥ ବାହାର ଦୁନିଆକୁ ଜଣା ନ ଥାଏ । ଇଉରୋପୀୟମାନେ ବ୍ୟବସାୟୀ ଜାତି । ଦୂର ରାଇଜରେ ବଣିଜବେପାର କରି ସେ ସବୁ ଦେଶରୁ ଧନଦ୍ରବ୍ୟ ଆଣି ନିଜ ନିଜ ଦେଶରେ ଧନଭଣ୍ଡାର ବଢ଼ାଇବା ସେମାନଙ୍କର ଥିଲା ଉଦ୍ଦେଶ୍ୟ । ତେଣୁ ସେମାନେ ଭାରତବର୍ଷର ଅସରନ୍ତି ଧନସମ୍ପତ୍ତି ଓ ସୁନାମର କାହାଣୀ ଶୁଣି ଭାବିଲେ––ଯଦି କୌଣସି ପ୍ରକାରେ ଭାରତ ସହିତ ବ୍ୟବସାୟ ସମ୍ପର୍କ ଜମି ଉଠିପାରନ୍ତା, ତାହାହେଲେ ଇଉରୋପର ଭାଗ୍ୟ ବଦଳିଯାନ୍ତା । ମାତ୍ର ଭାରତ କେଉଁଠାରେ ? ସେଠାକୁ ଯିବାର ରାସ୍ତା କିଏ ? ଜଳପଥରେ ଗୋଟାଏ ସହଜ ରାସ୍ତା ଆବିଷ୍କୃତ ନ ହେବାଯାଏ ବ୍ୟବସାୟ ବା ହୋଇପାରିବ କିପରି-?

 

ଏଇ ଚିନ୍ତା ଇଉରୋପର ଅନେକ ଲୋକଙ୍କୁ ବହୁକାଳଯାଏ ଅସ୍ଥିର କଲା । ଶେଷରେ କ୍ରିସ୍ତୋଫର୍‍ କଲମ୍ୱସ୍‌ ନାମରେ ଜଣେ ନାବିକ ସ୍ଥିର କଲେ––

 

ଜୀବନ ଯାଉ ପଛକେ ସେ ବିଶାଳ ଭାରତ ଭୂମିକୁ ଯିବେ ଏବଂ ଗୋଟିଏ ସହଜ ଜଳପଥ ଆବିଷ୍କାର କରିବେ । ସ୍ପେନର ରାଣୀ ଇସାବେଲା ତାଙ୍କୁ ଏ ଦିଗରେ ଯଥେଷ୍ଟ ସାହାଯ୍ୟ ଓ ଉତ୍ସାହ ଦେଲେ । ଦୁଃସାହସୀ କଲମ୍ୱସ୍‌ ନୀଳସମୁଦ୍ରର ସୀମାହୀନ ବକ୍ଷରେ ନିଜର ଯାତ୍ରା ଆରମ୍ଭ କରିଦେଲେ ।

 

କିନ୍ତୁ ସେହି ଜଳଯାତ୍ରାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରିଲା ନାହିଁ । କଲମ୍ୱସ୍‌ ଭାରତ ଖୋଜିବାକୁ ଆସିଥିଲେ ହେଁ ଭାରତକୁ ଖୋଜି ପାଇଲେ ନାହିଁ । ଭାରତ ବଦଳରେ ସେ ଆବିଷ୍କାର କଲେ ଏକ ନୂତନ ମହାଦେଶ––ଆମେରିକା । ଭାରତକୁ ଆସିବାର କୌଣସି ଜଳପଥର ସନ୍ଧାନ ମଧ୍ୟ ପାଇପାରିଲେ ନାହିଁ; କେବଳ ଆବିଷ୍କାର କରି ଆସିଲେ କେତେଗୁଡ଼ିଏ ନୂଆ ଦ୍ୱୀପ, ଆଉ କେତୋଟି ନୂଆ ସାଗର, ଉପସାଗର ।

 

କ୍ରିଷ୍ଟୋଫର କଲମ୍ୱସ୍‌ ଏଥିପାଇଁ ଆଜି ପୃଥିବୀରେ ଅମର । ତାଙ୍କର ଏହି ଆବିଷ୍କାର କାହାଣୀ ଅଜଣା ହୋଇ କାହାକୁ ଆଉ ନାହିଁ । ଇତିହାସ ଏ କଥା ଜାଣେ, ଭୂଗୋଳ ବି ଜାଣେ । କିନ୍ତୁ କଲମ୍ୱସ୍‌ଙ୍କର ଅନ୍ୟ ଏକ ଆବିଷ୍କାରକୁ ପୃଥିବୀ ଆଦୌ ମର୍ଯ୍ୟାଦା ଦେଇ ନାହିଁ କହିଲେ ଚଳେ-

 

ସେହି ଦ୍ୱିତୀୟ ଆବିଷ୍କାରଟି କଣ ?

 

ଅନେକେ ଭାବିବେ, ତାହା ନିଶ୍ଚୟ କୌଣସି ଦେଶ ବା ନଦୀ, ଉପନଦୀ କିମ୍ୱା କୌଣସି ପାହାଡ଼ ପର୍ବତ, ଅଥବା କୌଣସି ସୁନାରୂପାର ଖଣି ହୋଇଥିବ । କିନ୍ତୁ ପ୍ରକୃତରେ ଏଥିମଧ୍ୟରୁ କୌଣସିଟି ନୁହେଁ । ତାଙ୍କର ଆବିଷ୍କାରଟି ହେଉଛି ଗୋଟିଏ ଅତି ସାମାନ୍ୟ ବସ୍ତୁ । ହେଲେ କଣ ହେବ, ସେହି ସାମାନ୍ୟ ବସ୍ତୁଟି ପାଇଁ ପୃଥିବୀର ଧନଭଣ୍ଡାରରେ କୋଟି କୋଟି ଟଙ୍କା ଜମିଚାଲିଛି, ପୁଣି କୋଟି କୋଟି ପୁଅଝିଅଙ୍କ ମୁହଁରେ ହସଖୁସିର ଚାନ୍ଦିନୀ ଫୁଟିଉଠୁଛି ।

 

ସେହି ଛୋଟିଆ ଜିନିଷର ନାମ ଶୁଣିବାକୁ ନିଶ୍ଚୟ ସମସ୍ତଙ୍କର କୌତୂହଳ ଜନ୍ମୁଥିବ । ସେଇଟି ହେଉଛି ଗୋଟିଏ ଫଳ––ତାର ନାଆଁ ‘କ୍ୟାକାଓ’ । ପୃଥିବୀ ତହିଁରୁ ପାଇଛି ଯୋଡ଼ିଏ ଅପୂର୍ବ ଜିନିଷ, ଗୋଟିଏ ହେଉଛି ‘କୋକୋ’ ଓ ଆରଟି ହେଉଛି ‘ଚକୋଲେଟ୍‌’ ।

 

ନୂତନ ମହାଦେଶ ଆମେରିକାରେ ପାଦ ଦେଲାପରେ କଲମ୍ୱସ୍‌ଙ୍କ ମନ ଅପାର ଆନନ୍ଦରେ ନାଚି ଉଠିଲା । ସେ କିଛିକାଳ ପାଗଳ ପରି ଚାରିଆଡ଼େ ବୁଲି ତାର ବଣଜଙ୍ଗଲ, ନଦୀ, ଉପନଦୀ, ପର୍ବତ, ଟାଙ୍ଗର ଆଦିର ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ । ସେହି ବୁଲିବା ଭିତରେ ଗୋଟିଏ ନୂଆ ଗଛ ପ୍ରତି ତାଙ୍କର ଆଖି ବେଶି ଟାଣି ହୋଇଗଲା । ତହିଁରେ ଗୋଟାଏ ବିଶେଷତ୍ୱ ଥିଲା––କଢ଼, ଫୁଲ ଓ ଫଳ ତିନିଗୋଟିଯାକ ପ୍ରାୟ ଏକ ସମୟରେ ଗୋଟିଏ ଗଛରେ ସବୁଠି ସେ ଦେଖିଲେ । ଏଭଳି ଗଛ ଆଗରୁ ସେ କେଉଁଠି ଦେଖି ନ ଥିଲେ, କି ଏ ପ୍ରକାର ଗଛକଥା କାହାରିଠାରୁ କେବେ ଶୁଣି ନ ଥିଲେ । ପରେ ଜାଣିଲେ, ଏହାର ନାମ ହେଉଛି କ୍ୟାକାଓ ଗଛ ।

 

ଆମ ଦେଶର ପଣସ ପରି କ୍ୟାକାଓ ଫଳ ସବୁ ଏହି ଗଛର ଗଣ୍ଠିରୁ ଓ ଡାଳଦେହରୁ ବାହାରେ । ଗଛରେ ବାରମାସି ଫଳ ଧରେ । ପ୍ରତ୍ୟେକ ଗଛରେ ଏତେ ଫଳ ଖୁନ୍ଦିହୋଇଥାଏ ଯେ, ଗଣିବା ଅସମ୍ଭବ । ଏହି ଗଛଗୁଡ଼ିକ ପ୍ରାୟ କୋଡ଼ିଏ ଫୁଟ ଉଚ୍ଚ ହୁଏ ଏବଂ ପ୍ରାୟ ପଚାଶ ବର୍ଷ ବଞ୍ଚେ । ଫଳ ସବୁ ପ୍ରଥମେ ସବୁଜ ରଙ୍ଗର ହୁଏ ଓ ପାଚିଲାବେଳକୁ ଲାଲ ପଡ଼ିଯାଏ । ଫଳର ଆକାର ପ୍ରାୟ ଅଢ଼େଇ ସେ: ମି:ରୁ ୨୭ ସେ: ମି: ପର୍ଯ୍ୟନ୍ତ ଲମ୍ୱ ଏବଂ ଏହା ଭିତରେ ୨୦ ଟିରୁ ୪୦ଟି ପର୍ଯ୍ୟନ୍ତ ମଞ୍ଜି ଥାଏ ।

 

କ୍ୟାକାଓ ଗଛ ଓ ତାର ଫଳ ସମ୍ୱନ୍ଧରେ ଅଧିକ ଜାଣିବାକୁ କଲମ୍ୱସ୍‌ଙ୍କର ଖୁବ୍‌ ଆଗ୍ରହ ହେଲା । ସେ ଦେଖିଲେ, ସେଠାରେ ଅସଭ୍ୟ ନିଗ୍ରୋମାନେ ସେହି ଗଛରୁ ଫଳ ସବୁ ତୋଳି ଆଣୁଛନ୍ତି ଏବଂ ସେସବୁକୁ ଦୁଇ ଦୁଇ ଫାଳକରି ଭିତରର ଶସକୁ କାଢ଼ି ନେଉଛନ୍ତି, ତାପରେ ଶସଗୁଡ଼ିକୁ ଏକାଠି ଠୁଳାଇ ଖରାରେ କିଛିଦିନ ଭଲକରି ଶୁଖାଇ ଦେଉଛନ୍ତି । ଶୁଖି ଖଡ଼ଖଡ଼ ହୋଇଗଲେ ନିଗ୍ରୋମାନେ ତାହାକୁ ଚୋବାଇ ଚୋବାଇ ଖାଉଛନ୍ତି । କେହି କେହି ବା ଶୁଖିଲା ଶସକୁ ଗୁଣ୍ଡ କରି ସେହି ଚୁନାକୁ ଖାଦ୍ୟରୂପେ ବ୍ୟବହାର କରୁଛନ୍ତି ।

 

କଲମ୍ୱସ୍‌ ଏହି ଶସର ଆଉ ଏକ ପ୍ରକାର ବ୍ୟବହାର ମଧ୍ୟ ଦେଖିଲେ । ଅସଭ୍ୟ ଲୋକେ ଫଳରୁ ଶସ କାଢ଼ି ତାହାକୁ ପାଣିରେ ପକାଇ ସିଝାଉଛନ୍ତି । ଭଲରୂପେ ସିଝି ଗଲାପରେ ତାହା ଏକ ପାନୀୟରେ ପରିଣତ ହେଉଛି । ନିଗ୍ରୋ ନାରୀମାନେ ତାହା ପିଇ ଖୁବ୍‌ ଆନନ୍ଦ ପାଉଛନ୍ତି । ପାଟିକୁ ସାମାନ୍ୟ ଟିକେ ପିତୁଳିଆ ଲାଗିଲେ ହେ ପାନୀୟଟି ବେଶ୍‌ ଉପକାରୀ ବୋଲି ମନେ ହେଲା । କଲମ୍ୱସ୍‌ ନିଜେ ସେଥିରୁ ଟିକିଏ ପିଇ ଦେଖିଲେ, କିଛି ସମୟ ପରେ ତାଙ୍କ ଦେହର କ୍ଳାନ୍ତି ଦୂର ହୋଇଗଲା । ମନଟା ବି ଖୁବ୍‌ ଫୁର୍ତ୍ତି ଜଣାଗଲା । ଜାଣିଲେ, ଏଥିରେ ନିଶ୍ଚୟ ଉତ୍ତେଜକ ଗୁଣ ଅଛି ।

 

ସେଠା ନିଗ୍ରୋମାନଙ୍କ ମଧ୍ୟରେ କ୍ୟାକାଓ ଫଳର ଆଦର ଏତେ ବେଶି ଯେ କହିଲେ ନ ସରେ । ଦିନରାତି ସେମାନେ ଶୁଖିଲା ଶସକୁ ଖାଦ୍ୟରୂପେ ପାଆନ୍ତି ଏବଂ ଶସ ସିଝା ପାଣିକୁ ପାନୀୟରୂପେ ପିଅନ୍ତି । ଗୋଟିଏ ଜିନିଷରୁ ଦୁଇ ପ୍ରକାର ଉପକାର ମିଳୁଥିବାର ଦେଖି କଲମ୍ୱସ୍‌ ତାହାର ଲୋଭ ସମ୍ଭାଳି-ପାରିଲେ ନାହିଁ । ଆମେରିକା ଆବିଷ୍କାର କରି ନିଜ ଦେଶକୁ ଫେରି ଗଲାବେଳେ ଗୁଡ଼ିଏ କ୍ୟାକାଓ ଫଳ ସଂଗ୍ରହ କରି ସଙ୍ଗରେ ଘେନିଗଲେ ।

 

ଏହା ୧୦୯୨ ମସିହାର କଥା । କଲମ୍ୱସ୍‌ଙ୍କଠାରୁ ଆମେରିକା ମହାଦେଶର କାହାଣୀ ଶୁଣି ସ୍ପେନ୍‌ର ଲୋକେ ଭାରି ଖୁସି ହେଲେ । ରାଣୀ ଇସାବେଲା ଏହି ଆବିଷ୍କାରପାଇଁ ତାଙ୍କୁ ବହୁତ ପୁରସ୍କାର ମଧ୍ୟ ଦେଲେ । କିନ୍ତୁ କଲମ୍ୱସ୍‌ ଯେଉଁ କ୍ୟାକାଓ ଫଳ ଆଣି ରାଣୀଙ୍କୁ ଓ ଆଉ କେତେକ ପ୍ରଧାନ ଲୋକଙ୍କୁ ଉପହାର ଦେଲେ, ସେଥିପାଇଁ ତାଙ୍କୁ କୌଣସି ପୁରସ୍କାର ମିଳିଲା ନାହିଁ । ଏହି ଫଳଟି ଦିନେ ଯେ ପୃଥିବୀର ଗନ୍ତାଘରକୁ କୁଢ଼କୁଢ଼ ଧନ ଯୋଗାଇବ, ଏହା ସେତେବେଳେ କାହାରି କଳ୍ପନାକୁ ଆସିପାରିଲା ନାହିଁ । ତାଙ୍କର ସେହି ଦ୍ୱିତୀୟ ଆବିଷ୍କାରଟି ପ୍ରତି କେହି ଆଦୌ ଗୁରୁତ୍ୱ ଦେଲେନାହିଁ । ଇଉରୋପର ଅନେକ ଦେଶର ଲୋକେ ଘଟଣାଟି ଜାଣି ମଧ୍ୟ ନ ଜାଣିଲା ଭଳି ନୀରବ ରହିଲେ । କ୍ୟାକାଓର ପ୍ରକୃତ ପରିଚୟ ପାଇବାକୁ ସେତେବେଳେ କୌଣସି ଦେଶ ଆଗ୍ରହ ପ୍ରକାଶ କଲାନାହିଁ । ଅନେକ ଦିନଯାଏ ପୃଥିବୀର କୌଣସି ଅଞ୍ଚଳରେ ତାହାର ଆଦର ମଧ୍ୟ ହେଲାନାହିଁ ।

 

ଏଥିମଧ୍ୟରେ ୧୫୨୬ ମସିହାରେ ସ୍ପେନ୍‌ ଦେଶର ହର୍ଣ୍ଣାଣ୍ଡୋକଟେଜ୍‌ ନାମକ ଜଣେ ନାବିକ ଉତ୍ତର ଆମେରିକାର ମେକ୍‌ସିକୋ ଦେଶକୁ ଯାଇଥିଲେ । ଆମେରିକାର ଜଙ୍ଗଲ ହିଁ କ୍ୟାକାଓ ଗଛର ଘର ବୋଲି କଲମ୍ୱସ୍‌ଙ୍କ ଆବିଷ୍କାର କାହାଣୀରୁ ସେ ଆଗରୁ ଜାଣିଥିଲେ; ତେଣୁ ସେଠାରୁ ସେ ଗୁଡ଼ିଏ କ୍ୟାକାଓ ମଞ୍ଜି ଘେନି-ଆସିଥିଲେ ଏବଂ ତାହିଁରୁ ପାନୀୟ ତିଆରି କରିବାର ପ୍ରଣାଳୀ ମଧ୍ୟ ଶିଖି ଆସିଥିଲେ । ସ୍ପେନ୍‌ର ଧନିଲୋକେ ପ୍ରଥମେ ଏହି ପାନୀୟର ବ୍ୟବହାର ଶିଖିଲେ । ସପ୍ତଦଶ ଶତାବ୍ଦୀରେ ଇଟାଲୀ, ଫ୍ରାନ୍‌ସ ଓ ଜର୍ମାନୀର ବଡ଼ଲୋକମାନେ ତାହା ଅନୁକରଣ କଲେ ।

 

ଏହି ସମ୍ୱାଦ ଇଂଲଣ୍ଡରେ ଯାଇ ପହଞ୍ଚିଲା । ସେଠା ଲୋକେ ସର୍ବପ୍ରଥମେ କ୍ୟାକାଓ କଥା ବିଶେଷ ଭାବରେ ଚିନ୍ତା କଲେ ଏବଂ ତାହାକୁ କିପରି ଗୋଟାଏ ପ୍ରଧାନ ବ୍ୟବସାୟରେ ପରିଣତ କରିବେ ସେହି ବିଷୟରେ ମୁଣ୍ଡ ଖେଳାଇଲେ । ଇଂରେଜମାନେ ବେପାରୀ ଜାତି ହିସାବରେ ପୃଥିବୀପ୍ରସିଦ୍ଧ । ତେଣୁ ସେହିମାନେ ହିଁ କ୍ୟାକାଓ କାରବାରକୁ ଏକଚାଟିଆ କରିନେବାପାଇଁ ପହିଲେ ଚେଷ୍ଟା କଲେ; ସେଥିରେ ପ୍ରକୃତରେ ସଫଳ ହେଲେ ମଧ୍ୟ ।

 

ଏ ଦିଗରେ ଅନ୍ୟାନ୍ୟ ଦେଶର ଆଖି ଫିଟିବା ପୂର୍ବରୁ ୧୬୫୭ ମସିହା ଜୁନ୍‌ ୧୬ ତାରିଖ ଦିନ ବିଲାତରେ ଏକ ବିଖ୍ୟାତ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ଗୋଟିଏ ବିଜ୍ଞାପନ ବାହାରିଲା । ସମସ୍ତଙ୍କ ଆଖି ସେହି ବିଜ୍ଞାପନ ଉପରେ ପଡ଼ିଲା । ତାହାକୁ ପଢ଼ି ଲୋକେ ଜାଣିଲେ ଯେ, ଲଣ୍ଡନ ହସରରେ ‘କୋକୋ’ ନାମକ ଏକପ୍ରକାର ନୂଆ ପାନୀୟ ପ୍ରସ୍ତୁତ ହେଉଛି । ପ୍ରଧାନ ପ୍ରଧାନ ରେଷ୍ଟୁରେଣ୍ଟ୍‌ ବା ଜଳଖିଆ-ଦୋକାନମାନଙ୍କରେ ତାହା ପିଇବାକୁ ମିଳିପାରିବ । ଚାହା ଅପେକ୍ଷା କୋକୋ କେତେ ଗୁଣରେ ଭଲ ପାନୀୟ ।

 

ଚାହୁଁ ଚାହୁଁ ଦୋକାନମାନଙ୍କରେ ଲୋକ ଏତେ ଭିଡ଼ ହୋଇଗଲେ ଯେ, ସେମାନଙ୍କୁ କୋକୋ ଯୋଗାଇବା ଦୋକାନଦାରମାନଙ୍କ ପକ୍ଷରେ ଏକାବେଳେ ଅସମ୍ଭବ ହୋଇଉଠିଲା । ଦିନକୁ ଦିନ କୋକୋ-ଗହକି ସଂଖ୍ୟା ବଢ଼ିବାକୁ ଲାଗିଲା । ଲୋକେ ଦଳ ଦଳ ହୋଇ ଆସି କୋକୋ ପିଇ ଶୋଷ ମେଣ୍ଟାଇବା ସଙ୍ଗେ ସଙ୍ଗେ ଏକ ନୂଆ ପାନୀୟର ଆସ୍ୱାଦ ପାଇଲେ ।

 

କ୍ରମେ କୋକୋର ଆଦର ସାରା ଦେଶରେ ବ୍ୟାପିଲା । ପଚାଶ ବର୍ଷ ମଧ୍ୟରେ ଦେଖାଗଲା, ଇଂଲଣ୍ଡର କି ସହର କି ମଫସଲ ସବୁଠି ଭଦ୍ର ପରିବାରମାନଙ୍କରେ ଏହା ପଶିପାରିଛି-। ବିଶେଷ ବିଶେଷ ଉତ୍ସବରେ ଓ ଭଦ୍ରମିଳନରେ ପ୍ରଧାନ ଉପଭୋଗର ସାମଗ୍ରୀ ରୂପେ ଏହାର ଆଦର ଅସମ୍ଭବ ଭାବରେ ବଢ଼ିଗଲା । ଦିନେ ଯାହା ଅସଭ୍ୟ ନିଗ୍ରୋ ଆଦି ବଣୁଆ ଲୋକଙ୍କର ନିତ୍ୟ ପାନୀୟ ଥିଲା, ଏବେ ତାହା ଟିକିଏ ବଦଳିଯାଇ ବିଲାତି ସାହେବ-ମେମ୍‌ଙ୍କ ଶୁଷ୍କ କଣ୍ଠର ଶ୍ରେଷ୍ଠ ପାନୀୟରେ ପରିଣତ ହେଲା । ଆମେରିକାର ବଣଜଙ୍ଗଲରେ ଲୁଚି ରହିଥିବା ଜିନିଷଟି ଏହିରୂପେ ଉଚ୍ଚଦରର ସଭ୍ୟଜାତି ଇଂରେଜମାନଙ୍କର ଏକ ପରମ ଆଦରର ଜିନିଷ ହୋଇଗଲା । ତାକୁ ଛାଡ଼ି ରହିବା ଭଦ୍ରସମାଜ ପକ୍ଷରେ କେବେହେଲେ ସମ୍ଭବ ହୋଇପାରିଲା ନାହିଁ-

 

ଏହାପରେ କ୍ୟାକାଓ ଓ ଫଳର ଶସକୁ ଚୂନାକରି ତାହା ସହିତ ଚିନି ଓ ଅନ୍ୟ କେତେକ ଜିନିଷ ମିଶାଇ ଇଂରେଜ ବ୍ୟବସାୟୀମାନେ ଏକପ୍ରକାର ଉପାଦେୟ ଦ୍ରବ୍ୟ ତିଆରି କଲେ । ତାହାର ନାମ ରଖାଗଲା ‘ଚକୋଲେଟ୍‌’ । ଏହି ଚକୋଲେଟ ମଧ୍ୟ କୋକୋ ପରି ଅତି ଅଳ୍ପଦିନ ମଧ୍ୟରେ ଚାରିଆଡ଼େ ଖୁବ୍‌ ଆଦର ପାଇଲା ।

 

ରାଜା ଦ୍ୱିତୀୟ ଚାର୍ଲସ୍‌ ୧୬୬୦ ରୁ ୧୬୮୫ ମସିହା ପର୍ଯ୍ୟନ୍ତ ଇଂଲଣ୍ଡରେ ରାଜତ୍ୱ କଲେ । ସେହି ସମୟ ମଧ୍ୟରେ ଚକୋଲେଟ୍‌ ସାରା ଇଂଲଣ୍ଡ ଦେଶରେ ଏକ ବିଶିଷ୍ଟ ଖାଦ୍ୟରୂପେ ଗୃହୀତ ହେଲା । ସପ୍ତଦଶ ଶତାବ୍ଦୀ ଅପେକ୍ଷା ଅଷ୍ଟାଦଶ ଶତାବ୍ଦୀରେ ଚକୋଲେଟ୍‌ ଓ କୋକୋ ଉଭୟର ପ୍ରଚଳନ ବହୁତ ବେଶି ବଢ଼ିଗଲା । ଏକା ଇଂଲଣ୍ଡ ନୁହେଁ, ଇଉରୋପ ମହାଦେଶର ପ୍ରାୟ ସବୁ ଦେଶର ଲୋକେ ଏ ଦୁଇଟିର ପରମ ଭକ୍ତ ହୋଇଗଲେ । ଫଳରେ ଆମେରିକାରୁ ଜାହାଜ ଜାହାଜ କ୍ୟାକାଓ ଫଳ ବିଭିନ୍ନ ଦେଶକୁ ରପ୍ତାନି ହେବାକୁ ଲାଗିଲା । ଇଉରୋପର ଦେଶ ସବୁ ସେହି ଫଳରୁ ଚକୋଲେଟ୍‌ ଓ କୋକୋ ପ୍ରସ୍ତୁତ କରି ଦେଶବାସୀଙ୍କ ତୃପ୍ତି ଓ ଆନନ୍ଦ ଦେଇପାରିଲେ-

 

ଚକୋଲେଟ୍‌ର ଚାହିଦା କ୍ରମେ ଅତିରିକ୍ତ ଭାବରେ ବଢ଼ିଗଲା । ସମଗ୍ର ପୃଥିବୀର ଶିଶୁମହଲ ଚକୋଲେଟ୍‌କୁ ନିତି ଟାକି ବସିଲା । ଘରେ ବାହାରେ, ବାଟରେ-ଘାଟରେ, ସ୍କୁଲକୁ ଗଲାବେଳେ ଓ ସ୍କୁଲରୁ ଫେରିଲାବେଳେ ପୁଅଝିଅମାନେ ପାଟି ମିଠାକରି ଖୁସିହେବା ପାଇଁ ଇଚ୍ଛା କଲେ । ତେଣୁ କ୍ୟାକାଓ ଗଛ ପୃଥିବୀରେ ଆଉ କେଉଁଠି ଅଛି କି ନାହିଁ, ଖୋଜା ପଡ଼ିଲା । ଦଳ ଦଳ ଲୋକେ ବିଭିନ୍ନ ଦେଶକୁ ଖେଦିଯାଇ ଅନ୍ୱେଷଣ କରିବାକୁ ଲାଗିଲେ । ଶେଷରେ ଆଫ୍ରିକାର ଘନ ଜଙ୍ଗଲ ମଧ୍ୟରେ କୋକୋ ଓ ଚକୋଲେଟ୍‌ର ଜନନୀ ଏହି ଗଛ ସବୁ ବିସ୍ତର ପରିମାଣରେ ଥିବାର ଦେଖାଗଲା ।

 

ଆଜିକାଲି କ୍ୟାକାଓ ଫଳ ଆମେରିକା ଓ ଆଫ୍ରିକା ଉଭୟ ମହାଦେଶରୁ ସଂଗ୍ରହ କରାଯାଉଛି । ପୃଥିବୀର ଯେ କୌଣସି ଅଞ୍ଚଳକୁ ଗଲେ ମଧ୍ୟ ଏହି ଚକୋଲେଟ୍‌ ଦେଖିବାକୁ ମିଳିବ-। ଏହା ନାନା ଢଙ୍ଗର, ନାନା ରଙ୍ଗର ରୂପେ ଘେନି ନାନା ଆକାରରେ ନାନା ବେଶରେ ସବୁ ଦେଶରେ ଶୋଭା ପାଉଛି । ତେଣୁ ପୃଥିବୀର ସବୁ ଦେଶ ଯେ ଆମେରିକା ଓ ଆଫ୍ରିକା ନିକଟରେ ଋଣୀ, ଏହା ଆଉ କାହାରିକୁ ବୁଝାଇବାକୁ ପଡ଼ିବ ନାହିଁ ।

 

କୋକୋ ଓ ଚକୋଲେଟ୍‌ ତିଆରି ଏ ଯୁଗର ପୃଥିବୀର ଦୁଇଟି ବଡ଼ ଶିଳ୍ପ । ଏହି ଶିଳ୍ପଦ୍ୱାରା ପ୍ରତ୍ୟହ ଗଦାଗଦା ଟଙ୍କା ଲାଭ ହେଉଛି । ଇଉରୋପ ଓ ଆମେରିକା ଦୁଇଟିଯାକ ମହାଦେଶରେ ଏହି ଶିଳ୍ପର ଅସଂଖ୍ୟ କାରଖାନା ରହିଛି । ରାତିଦିନ ସେହି ସବୁ କାରଖାନାରେ ବଡ଼ ବଡ଼ ଯନ୍ତ୍ର ଚାଲି କୋକୋ-ଚୂର୍ଣ୍ଣ ଓ ଚକୋଲେଟ୍‌, ମିଠେଇ ତିଆରି ଲାଗିଛି । କଳସବୁକୁ ଫୁରୁସତ୍‌ ନାହିଁ, କି ଶ୍ରମିକମାନଙ୍କୁ ଫୁରୁସତ୍‌ ନାହିଁ । ଇଂଲଣ୍ଡର ବର୍ଣ୍ଣଭାଇଲ ନାମକ ସ୍ଥାନରେ ଯେଉଁ ଚକୋଲେଟ୍‌ କାରଖାନା ଅଛି, ତାହା ପୃଥିବୀର ବର୍ତ୍ତମାନ ସବୁଠୁଁ ବଡ଼ ଚକୋଲେଟ୍‌ କାରଖାନା ।

 

କ୍ୟାକାଓ ଫଳ ସବୁ ପ୍ରଥମେ ମସ୍ତବଡ଼ ଯନ୍ତ୍ର ଭିତରେ ଢଳା ହୁଏ । ସେହିଠାରେ ଫଳଗୁଡ଼ିକ ଅଳ୍ପ ସମୟ ମଧ୍ୟରେ ଭାଜି-ହୋଇଯାଏ । ଭଜା ହୋଇଯିବାଦ୍ୱାରା ଫଳମାନଙ୍କରୁ ପିତୁଳିଆ ବାସନା ଚାଲିଯାଏ ଏବଂ ତାହା ସଙ୍ଗେ ସଙ୍ଗେ ସେଗୁଡ଼ିକର ସ୍ୱାଦୁ ଓ ଗନ୍ଧ ଭଲ ହୋଇଯାଏ । ତାହାପରେ ସେଗୁଡ଼ିକୁ ଅନ୍ୟ ବଡ଼ଯନ୍ତ୍ରରେ ନେଇ ଭର୍ତ୍ତି କରାହୁଏ । ସେହିଠାରେ ଗୋଟାଳିଆ ଫଳ ସବୁ ଅତି ସହଜରେ ଗୁଣ୍ଡା ହୋଇଯାଇ ଚୂର୍ଣ୍ଣରେ ପରିଣତ ହୁଏ । ଏହି ଚୂର୍ଣ୍ଣକୁ ପୁଣି ଆଉ ଏକ ଯନ୍ତ୍ରକୁ ନେବାକୁ ପଡ଼େ । ଚୂର୍ଣ୍ଣରେ ଥିବା ଖଦଖଦଡ଼ିଆ ଚୋପା ଅଂଶ ଓ ଅନ୍ୟାନ୍ୟ ମଇଳା ସେହିଠାରେ ଅଲଗା ହୋଇ ବାହାରିଯାଏ । କେବଳ ଚୂର୍ଣ୍ଣତକ ରହିଯାଏ । ଏହି ଚୂର୍ଣ୍ଣ କୋକୋ ତିଆରିରେ ବ୍ୟବହୃତ ହୁଏ ।

 

ପୁଣି ଯେଉଁ ଚୂର୍ଣ୍ଣରୁ ଚକୋଲେଟ ତିଆରି କରିବାକୁ ହେବ ସେହି ଚୂର୍ଣ୍ଣରେ ଆବଶ୍ୟକମତେ ବଡ଼ ଦାନାବାଲା ଚିନି, ଦୁଧ ଓ ଅନ୍ୟାନ୍ୟ ମସଲା ମିଶାଇ ସବୁଗୁଡ଼ିକୁ ଯନ୍ତ୍ର ସାହାଯ୍ୟରେ କାଦୁଅ ଭଳି ମେଞ୍ଚା ମେଞ୍ଚା କରି ଦିଆଯାଏ । ଏହାପରେ ସେହି କାଦୁଅ ଜିନିଷକୁ ବିଭିନ୍ନ କଳ ଓ ଛାଞ୍ଚରେ ବସାଇ ଭିନ୍ନ ଭିନ୍ନ ଆକାର ପ୍ରକାରର ଚୂର୍ଣ୍ଣ ଖଣ୍ଡ ସବୁ ତିଆରି କରାଯାଏ । ପିଲାଙ୍କ ମନ ଖୁସି କରାଇବାପାଇଁ ଚକଚକିଆ କାଗଜ କିମ୍ୱା କାଗଜଭଳି ପତଳା ଆଲୁମିନିୟମ୍‌ ପତ୍ର ଚକୋଲେଟ୍‌ମାନଙ୍କ ଉପରେ ଗୁଡ଼ାଇ ଦିଆଯାଏ । ଶେଷରେ ନାନାପ୍ରକାର ସୁନ୍ଦର ବାକ୍‌ସରେ ସେଗୁଡ଼ିକ ଭର୍ତ୍ତିହୋଇ ବଜାରକୁ ଚାଲିଆସେ ବିକ୍ରୀ ହେବାପାଇଁ । ଏଇ ହେଲା ଚକୋଲେଟ୍‌ ତିଆରିର ମୋଟାମୋଟି ବିବରଣ ।

 

କୋକୋ ଅବଶ୍ୟ ବୟସ୍କ ଲୋକେ ପାନ କରନ୍ତି; କିନ୍ତୁ ଶିଶୁମାନେ ହିଁ ଚକୋଲେଟ୍‌ର ପ୍ରଧାନ ଗ୍ରାହକ । ତେଣୁ ମନେ ରଖିବାକୁ ହେବ ଯେ, କେବଳ ଏହି ଶିଶୁମାନଙ୍କ ଦୟାରୁ ଇଂଲଣ୍ଡ ଓ ଆମେରିକାରେ ଶହ ଶହ ଚକୋଲେଟ୍‌ କାରଖାନା ଚଳୁଛି ଏବଂ ସେଠାରେ ଲକ୍ଷ ଲକ୍ଷ ଲୋକ କାମ କରି ନିଜ ନିଜର ଜୀବିକା ଚଳାଉଛନ୍ତି । ପିଲାମାନେ ଯେବେ ଚକୋଲେଟ୍‌ କିଣିବା ବନ୍ଦ କରିଦେବେ, ତାହାହେଲେ ଅସଂଖ୍ୟ ନରନାରୀ କାମ ନ ପାଇ ବେକାର ହୋଇ ବସିବେ । ଆଉ ଆମେରିକା ଓ ଆଫ୍ରିକାର ବଣଜଙ୍ଗଲରେ ଯେଉଁ କ୍ୟାକାଓ ଗଛ ସବୁ ଅଛି, ତାକୁ କେହି ପଚାରି ଯିବେନାହିଁ । କ୍ୟାକାଓ ଫଳସବୁ ପଚି ସଢ଼ି ସେଠାର ମାଟି ପବନକୁ ଦୂଷିତ କରିପକାଇବ । ତା ସଙ୍ଗେ ସଙ୍ଗେ କୋକୋ ଓ ଚକୋଲେଟ୍‌ ବ୍ୟବସାୟରୁ ଇଂଲଣ୍ଡ ଓ ଆମେରିକା ଯେଉଁ ଗାଡ଼ିଗାଡ଼ି ଟଙ୍କା ରୋଜଗାର କରୁଛନ୍ତି, ତାହା ଏକାବେଳେ ବନ୍ଦ ହୋଇଯିବ ।

 

କ୍ରିଷ୍ଟୋଫର କଲମ୍ୱସ୍‌ଙ୍କ ଦ୍ୱିତୀୟ ଆବିଷ୍କାରଟି କେଡ଼େ ମୂଲ୍ୟବାନ ଏବଂ ପୃଥିବୀ ପକ୍ଷରେ କିପରି ମଙ୍ଗଳକର, ଏତେକାଳେ ତାହା ବୁଝା ପଡ଼ିଲା । ସେଥିପାଇଁ ବହୁ ଯୁଗପରେ ଆଜି ପୃଥିବୀ ତାଙ୍କର ସେହି କ୍ୟାକାଓ ଆବିଷ୍କାର ପ୍ରତି ଉଚିତ ସମ୍ମାନ ଦେଖାଉଛି, ସତେ ଯେପରି କଲମ୍ୱସ୍‌ ଆଜିର ଶିଶୁମାନଙ୍କୁ ଚକୋଲେଟ୍‌ ମଧ୍ୟ ଦେଇ ନୀରବରେ ଶିକ୍ଷା ଦେଉଛନ୍ତି––

 

‘‘ହେ ଜଗତର ଶିଶୁ ! ତୁମେ ଭବିଷ୍ୟତ୍‌ ପୃଥିବୀର ଜନ୍ମଦାତା । ତୁମେମାନେ ମଧ୍ୟ ମୋରି ପରି ସାହସୀ ହୁଅ । ଜଳ, ସ୍ଥଳ, ଆକାଶ ସବୁଆଡ଼େ ଖେଦିଯାଇ ନୂଆ ନୂଆ ଜ୍ଞାନ ଶିଖ ଏବଂ ନୂଆ ନୂଆ କଥା ଆବିଷ୍କାର କରି ଚିରସ୍ମରଣୀୟ ହୁଅ ।’’

Image

 

ବହି ବନ୍ଧାରୁ ବିଦ୍ୟୁତ୍‌ ଖେଳ

 

ବଡ଼ଘରେ ଜନ୍ମି, ଉଚ୍ଚଶିକ୍ଷା ପାଇ ଏବଂ ନାନା ସୁବିଧା ମଧ୍ୟରେ ରହି ଲୋକ ବହୁତ ବଡ଼ ବଡ଼ ବିଷୟରେ ଆଲୋଚନା ବା ଗବେଷଣା କରିପାରେ । ଏହା ବଡ଼ ସହଜ କଥା । ଗରିବ ଘରର ପିଲା ଓଳିଏ ଖାଇ ଓଳିଏ ଯେ ଉପାସ ରହେ, ଉଚ୍ଚଶିକ୍ଷା ଯାହାକୁ ସ୍ୱପ୍ନପରି, ବଡ଼ ବଡ଼ କଥା ଭାବିବା ବା ସେସବୁ ବିଷୟରେ ଗବେଷଣା କରିବା ତାହା ପକ୍ଷରେ ଅତି କଠିନ । ମାତ୍ର ପ୍ରତିଭା ଯାହାଠାରେ ଥାଏ, ଧନୀ ହେଉ ବା ଗରିବ ହେଉ, ସେ ନିଶ୍ଚୟ ଦିନେ ତାରକଷ୍ଟର ଜୀବନ ମଧ୍ୟରୁ ଉଠି ଉଠି ବଡ଼ ହେବ, ବଡ଼ ବଡ଼ କଥା ଚିନ୍ତା କରିବ ଏବଂ ଶେଷରେ ପୃଥିବୀରେ ଜଣେ ଜଣାଶୁଣା ବିଖ୍ୟାତ ମଣିଷ ହେବ । ଅତୀତର ଇତିହାସ ଦେଖିଲେ ଏଭଳି ଦୃଷ୍ଟାନ୍ତ ଅନେକ ମିଳେ ।

 

ଯାହାଠାରେ ବଡ଼ ହେବାର ଶକ୍ତି ଥାଏ, ବାଲ୍ୟକାଳରୁ ତାହା ଜଣାପଡ଼ିଯାଏ । ଦାରିଦ୍ର୍ୟର ଦୁଃଖକୁ ସେ ଭ୍ରୂକ୍ଷେପ କରେନାହିଁ । ସକଳ ବାଧାବିଘ୍ନକୁ ତୁଚ୍ଛ ମନେକରେ । ବଡ଼ ବଡ଼ କାର୍ଯ୍ୟ କରିବାର ଇଚ୍ଛା ପିଲାଟିଦିନୁଁ ତା ମନରେ ଉଇଁ ଉଠେ । ପ୍ରକୃତରେ ଏଇଭଳି ପିଲା ହିଁ ଜଗତର ଶ୍ରେଷ୍ଠ ସମ୍ପତ୍ତି । ତାଙ୍କରି ଜୀବନ ହିଁ ଆଲୁଅ ଖମ୍ୱଭଳି ଦୁନିଆର ଭବିଷ୍ୟତ ବଂଶଧରମାନଙ୍କୁ, ବିଶେଷତଃ ଗରିବଲୋକଙ୍କୁ ଉଜ୍ଜ୍ୱଳ କର୍ତ୍ତବ୍ୟ ପଥ ଦେଖାଇ ଦିଏ ।

 

ଅତି ଦରିଦ୍ର ଘରର ପୁଅ ମାଇକେଲ୍‌ ଫାରାଡ଼େ ଏହିପରି ଜଣେ ଆଦର୍ଶ ପୁରୁଷ । ସାରା ପୃଥିବୀ ତାଙ୍କର ଗୁଣ ଗାଉଛି । ଯେଉଁ ଡାଇନାମୋ ବଳରେ ଆଜି ଘରେ ଘରେ ବିଜୁଳିପଙ୍ଖା ଘୁରୁଛି, ବିଜୁଳି ଆଲୁଅ ଜଳୁଛି, କଳକାରଖାନାମାନଙ୍କରେ ବଡ଼ ବଡ଼ କଳ ଚାଲୁଛି, ଫାରାଡ଼େ ହିଁ ତାର ଉଦ୍ଭାବକ । ପିଲାଦିନେ ସେ ଯେପରି କଷ୍ଟ ସହି ଭୀଷଣ ଅଭାବ ଅସୁବିଧା ଭିତରେ ଗତି କରି ବିଜ୍ଞାନ ଜଗତରେ ନାଁ କରିବାକୁ ସାଧନା କରିଥିଲେ, ତାହା ଶୁଣିଲେ ଅବାକ୍‌ ହେବାକୁ ପଡ଼େ । ଶିକ୍ଷାଦୀକ୍ଷା ତାଙ୍କର ପ୍ରାୟ କିଛି ନ ଥିଲା କହିଲେ ଚଳେ । ତଥାପି ସେ ଯେପରି ବିଜ୍ଞାନର କଠିନ କଠିନ ତଥ୍ୟ ଆୟତ୍ତ କରି ଶେଷରେ ବୈଜ୍ଞାନିକ ଜଗତରେ ଯୁଗାନ୍ତର ଆଣିଥିଲେ, ତହିଁରୁ ପ୍ରତ୍ୟେକ ଲୋକର ଯଥେଷ୍ଟ ଶିଖିବାର ଅଛି ।

 

ମାଇକେଲ୍‌ ଫାରାଡ଼େ ଗୋଟିଏ ନିହାତି ଗରିବ କମାର ଘରେ ୧୭୯୧ ମସିହା ସେପ୍‌ଟେମ୍ୱର ୨୨ ତାରିଖରେ ଜନ୍ମ ହୋଇଥିଲେ । କୁଟୁମ୍ୱ କହିଲେ ବାପ, ମାଆ, ବଡ଼ଭାଇ ରବର୍ଟ, ଆଉ ସେ ନିଜେ ! ଜାତିବ୍ୟବସାୟରୁ ଯାହା ରୋଜଗାର ହେଉଥିଲା, ସେଥିରୁ ବାପା ଆଦୌ ଘରସଂସାର ଚଳାଇ ପାରୁ ନ ଥିଲେ । ସେମାନେ ରହିଥାନ୍ତି ଲଣ୍ଡନତଳି ନିଉଇଂଟନ ପଡ଼ାରେ । ଫାରାଡ଼େ ଜନ୍ମିବାର ପାଞ୍ଚ ଛଅ ବର୍ଷ ପରେ ସମସ୍ତେ ଲଣ୍ଡନ ସହରକୁ ଚାଲିଆସିଲେ ଏବଂ ଘୋଡ଼ା ଅସ୍ତାବଲ ଉପରେ ଗୋଟିଏ ଛୋଟିଆ ବଖରା ଭଡ଼ାନେଇ ରହିଲେ । ବାପା ଘୋଡ଼ାଙ୍କ ଖୁରାରେ ନାଲ ବାଡ଼େଇବା କାମ କରି କିଛି କିଛି ରୋଜାଗାର କଲେ । ମାତ୍ର ତହିଁରେ ବି କୁଟୁମ୍ୱକୁ ପୂରା ଆହାର ଯୋଗାଇ ପାରିଲେନାହିଁ । ଦୁଇ ଭାଇଯାକ ଛିଣ୍ଡା ପୋଷାକ ପିନ୍ଧିଥାନ୍ତି ତହିଁରେ ଶହେ ଜାଗାରେ ତାଳି ପଡ଼ି ସିଲେଇ ହୋଇଥାଏ । ସେଇ ଅସ୍ତାବଲଠାରୁ ଅଳ୍ପ ଦୂରରେ ଗୋଟିଏ ଛୋଟିଆ ସ୍କୁଲ ଥିଲା । ସେଠାରେ କେବଳ ଗରିବପିଲାଏ ପଢ଼ନ୍ତି । ଫାରେଡ଼େ ସେହି ଠାକୁ ଯାଇ ସାମାନ୍ୟ କିଛି ଲେଖାପଢ଼ା ଶିଖିଲେ ।

 

ବାପା ଆଉ ପଢ଼ାଇ ପାରିଲେ ନାହିଁ । ଦିନକୁଦିନ ଅଭାବ ବଢ଼ିଲା । ଫଳରେ ଫାରେଡ଼େଙ୍କୁ ପୋଥିରେ ଡୋର ଦେବାକୁ ପଡ଼ିଲା । ବାପମାଆଙ୍କୁ ଘର ଚଳାଇବାରେ ସାହାଯ୍ୟ କରିବାକୁ ସ୍ଥିର କରି ସେ ତେର ବର୍ଷ ବୟସରେ ଗୋଟିଏ ବହି ଦୋକାନରେ ଯାଇ ସାମାନ୍ୟ ବେତନରେ ଚାକିରୀ କଲେ । ସେଠାରେ ସେ ଘର ଓଳାଇବା, କବାଟ-ଝରକା ସଫା କରିବା ଓ ବହିପତ୍ରରୁ ଧୂଳି ଝାଡ଼ି ସେଗୁଡ଼ିକୁ ଯଥାସ୍ଥାନରେ ସଜାଡ଼ି ରଖିବା, ଏଇସବୁ କାମ କଲେ । ଏହାଛଡ଼ା ବଡ଼ିଭୋରରୁ ଖବରକାଗଜ ସବୁ ନେଇ ଗ୍ରାହକମାନଙ୍କ ଘରେ ବାଣ୍ଟିବା ତାଙ୍କର ଆଉ ଗୋଟିଏ କାମ ହେଲା । ଫାରେଡ଼େ ଖୁବ୍‌ ଫୁର୍ତ୍ତି ପିଲା । ଏସବୁ କାମ କରିବାକୁ ତାଙ୍କୁ ଭାରି ସୁଖ ଲାଗୁଥାଏ ।

 

ଫାରେଡ଼େ ବର୍ଷେ ଚାକିରି କଲାପରେ ତାଙ୍କ କାମରେ ଖୁସି ହୋଇ ଦୋକାନର ମାଲିକ ତାଙ୍କୁ ବହିବନ୍ଧା କାମରେ ଲଗାଇଲେ ଏବଂ ଦରମା ଆଉ କିଛି ବଢ଼ାଇ ଦେଲେ । ଏ ନୂଆ କାମଟିରେ ଫାରେଡ଼େଙ୍କୁ ଭାରି ସୁବିଧା ହେଲା । ତାଙ୍କୁ ବହୁତ ଫୁର୍‌ସତ୍‌ ମଧ୍ୟ ମିଳିଲା । ସହରର ଅନେକ ବଡ଼ ବଡ଼ ଲୋକ ସେମାନଙ୍କର ଦାମିକା ବହିସବୁ ଆଣି ସେହି ଦୋକାନରେ ବାନ୍ଧିବାକୁ ଦେଇଯାନ୍ତି । ଦୁଇ ତିନି ଖଣ୍ଡି ବହି ବାନ୍ଧିଦେଲେ ଫାରେଡ଼େଙ୍କର ଦିନକର କାମ ହୋଇ ଯାଉଥିଲା । ତେଣୁ ବଳକା ସମୟରେ ସେ ଆରାମରେ ବସି ରହି ସବୁ ପଢ଼ିବାକୁ ଲାଗିଲେ ।

 

ଦିନେ ଜଣେ ଭଦ୍ରଲୋକ ଖଣ୍ଡିଏ ‘ଏନସାଇକ୍ଳୋପେଡ଼ିୟା’ ବା ‘ଜ୍ଞାନକୋଷ’ ବହି ଦୋକାନରେ ବାନ୍ଧିବାକୁ ଦେଇଗଲେ । ଫାରେଡ଼େ ଏଭଳି ମୂଲ୍ୟବାନ୍‌ ଗ୍ରନ୍ଥଟିଏ ପାଇ ତାହାର ପୃଷ୍ଠାସବୁ ଓଲଟାଇ ପଢ଼ିବାକୁ ଲାଗିଲେ । ‘ବିଦ୍ୟୁତ୍‍ର ଶକ୍ତି’ ବୋଲି ଗୋଟିଏ ପ୍ରବନ୍ଧ ପଡ଼ିଲା । ଫାରେଡ଼େ ସମୁଦାୟ ପ୍ରବନ୍ଧଟି ଖୁବ୍‌ ମନ ଦେଇ ପଢ଼ିଗଲେ । ଭାରି ଭଲ ଲାଗିଲା । ବିଜ୍ଞାନ ବିଷୟ ପଢ଼ିବା ତାଙ୍କର ଏଇ ପ୍ରଥମ । ପଢ଼ିସାରିବାପରେ ମନେ ହେଲା, ଅଜ୍ଞତାର ଅନ୍ଧକାର ସତେ ଯେପରି ତାଙ୍କ ମନରୁ ଦୂର ହୋଇଯାଇଛି, ଆଉ ବିଜ୍ଞାନ-ଜଗତର ବିରାଟ ଦ୍ୱାର ସତେ ଯେପରି ତାଙ୍କ ଆଖି ଆଗରେ ହଠାତ୍‌ ଫିଟିଯାଇଛି ।

 

ଫାରେଡ଼େ ବିଜ୍ଞାନ ଶିକ୍ଷା କରି ଗୋଟି ଗୋଟି ସମସ୍ତ ଅଦ୍ଭୁତ ରହସ୍ୟ ଜାଣିବାକୁ ସେଇ ମୁହୂର୍ତ୍ତରେ ପ୍ରତିଜ୍ଞା କଲେ । ସତକୁ ସତ ଏଣିକି ସେ ବିଖ୍ୟାତ ବୈଜ୍ଞାନିକମାନଙ୍କର ବହି ସବୁ ପଢ଼ିବାକୁ ଆରମ୍ଭ କଲେ । ସେସବୁ ବହି ପଢ଼ିଲାବେଳେ ଫାରେଡ଼େ ତହିଁରେ ଏକାବେଳେ ତନ୍ମୟ ହୋଇପଡ଼ନ୍ତି । ବୁଝାଇଦେବାକୁ କୌଣସି ଶିକ୍ଷକ ନାହିଁ । ସେ ନିଜେ ହିଁ ନିଜର ଶିକ୍ଷକ ଏବଂ ନିଜେ ହିଁ ନିଜର ଛାତ୍ର । ସେ ବିଷୟମାନ ଖାଲି ପଢ଼ିଯାନ୍ତି ନାହିଁ; ତହିଁରୁ ଯେଉଁ ଯେଉଁ ନୂଆ ତଥ୍ୟ ପାଆନ୍ତି, ସେ ସବୁକୁ ଖଣ୍ଡିଏ ବନ୍ଧାଖାତାରେ ଟିପି ରଖନ୍ତି । କେବଳ ଟିପି ରଖିବାରେ ତାଙ୍କର କର୍ତ୍ତବ୍ୟ ଶେଷ ହୁଏନାହିଁ, ସେଇ ସବୁ ବିଷୟରେ ସେ ବହୁତ ଭାବନ୍ତି, ମନେ ମନେ କେତେ ଆଲୋଚନା କରନ୍ତି ଏବଂ ରାତିରେ ଘରେ ବସି ପରୀକ୍ଷା କରି ସେଗୁଡ଼ିକର ଫଳାଫଳ ବୁଝନ୍ତି । ଛାପାବହିରେ ଲେଖାଥିବା କଥାରେ ଯଦି କୌଣସି କାରଣରୁ ମନ ନ ମାନେ, ତାହାହେଲେ ଫାରେଡ଼େ ଟିପାବହିଟରେ ଆପଣାର ମନ୍ତବ୍ୟକୁ ଟିପ୍‌ପଣୀ ଆକାରରେ ଲେଖି ରଖନ୍ତି । ଏହିରୂପେ ବର୍ଷପରେ ବର୍ଷ ସେ ଜ୍ଞାନ ରାଜ୍ୟରେ ମଜ୍ଜି ରହିଲେ । ଭୋକଶୋଷ ମଧ୍ୟ ତାଙ୍କୁ ଜଣାଗଲା ନାହିଁ ।

 

ସେତେବେଳେ ସାର୍‌ ହମ୍‌ଫ୍ରି ଡେଭି ନାମରେ ଜଣେ ବିଖ୍ୟାତ ବୈଜ୍ଞାନିକ ଲଣ୍ଡନର ରୟାଲ୍‌ ଇନ୍‌ଷ୍ଟିଚ୍ୟୁସନରେ ରସାୟନବିଦ୍ୟାର ଅଧ୍ୟାପକ ଥାଆନ୍ତି । ଥରେ ଅଧ୍ୟାପକ ଡେଭି ରସାୟନ ବିଦ୍ୟାର କଠିନ ତତ୍ତ୍ୱ ସମ୍ୱନ୍ଧରେ ବିଭିନ୍ନ ଦିନରେ ଚାରୋଟି ବକ୍ତୃତା ଦେଲେ । ଫାରେଡ଼େ ତାହା ଶୁଣିବାକୁ ଗଲେ ଏବଂ ତହିଁରେ ଅତିଶୟ ମୁଗ୍‌ଧ ହୋଇଗଲେ । ବକ୍ତୃତା ଶୁଣିଲାପରେ ସେ ଘରକୁ ଆସି ସେଗୁଡ଼ିକର ସାରମର୍ମ ଅତି ସଂକ୍ଷେପରେ ଲେଖିପକାଇଲେ ଏବଂ କେତୋଟି ଦିନ ପରେ ତାହାକୁ ଡେଭିଙ୍କ ପାଖକୁ ପଠାଇଦେଲେ । ତାହା ସହିତ ଖଣ୍ଡିଏ ଚିଠି ଲେଖି ତହିଁରେ ନିଜ ପରିଚୟ ଦେଇ ଡେଭିଙ୍କୁ ଜଣାଇଲେ ଯେ ତାଙ୍କୁ ବହିବନ୍ଧା କାମ ଆଉ ଭଲ ଲାଗୁନାହିଁ ଏବଂ ବିଜ୍ଞାନଚର୍ଚ୍ଚାରେ ଜୀବନ ଢାଳିଦେବାକୁ ସେ ପ୍ରବଳ ଇଚ୍ଛା କରୁଛନ୍ତି । ସେତେବେଳକୁ ତାଙ୍କର ବୟସ ଏକୋଇଶ ବର୍ଷ । ତାହାର ଦୁଇ ବର୍ଷ ପୂର୍ବରୁ ତାଙ୍କର ବାପା ସଂସାର ଛାଡ଼ି-ଚାଲିଯାଇଥିଲେ ।

 

ଅଧ୍ୟାପକ ଡେଭି ତାଙ୍କ ବକ୍ତୃତା ସମ୍ୱନ୍ଧରେ ଫାରାଡ଼େଙ୍କ ଲେଖାଟି ପଢ଼ି କାବା ହୋଇଗଲେ । ଏକୋଇଶ ବର୍ଷ ବୟସର ଜଣେ ବହିବନ୍ଧାଳି, ପାଠଶାଠ କିଛି ନାହିଁ, ଅଥଚ ଏଡ଼େ ଏଡ଼େ କଠିନ ତତ୍ତ୍ୱ ବୁଝିପାରିଲା କିପରି ? ସେ ଭାବିଲେ––ଏହ ଆଗ୍ରହୀ ଯୁବକଟି ଭିତରେ ଜଣେ ଶ୍ରେଷ୍ଠ ବୈଜ୍ଞାନିକର ପ୍ରତିଭା ନିଶ୍ଚୟ ଲୁଚି ରହିଛି ।

 

ଡେଭି ଏହା ସ୍ଥିର କରି ଫାରାଡ଼େଙ୍କୁ ରୟାଲ୍‌ ଇନ୍‌ଷ୍ଟିଚ୍ୟୁସନ୍‌ରେ ଖଣ୍ଡିଏ ଚାକିରି ଦେଲେ-। ଲାବୋରେଟରୀରେ ଡେଭିଙ୍କୁ ସାହାଯ୍ୟ କରିବା ଫାରାଡ଼େଙ୍କର କାମ ହେଲା । ସେ ପ୍ରତ୍ୟହ ଲବୋରେଟରୀର ବୋତଲ, ପରୀକ୍ଷାନଳୀ ଓ ଯନ୍ତ୍ରପାତି ସବୁ ନିଜ ହାତରେ ପରିଷ୍କୃତ କରନ୍ତି ଏବଂ ସେଗୁଡ଼ିକ ଡେଭିଙ୍କଦ୍ୱାରା ବ୍ୟବହୃତ ହେବାପାଇଁ ପ୍ରସ୍ତୁତ କରି ରଖନ୍ତି । ରୟାଲ୍‌ ଇନ୍‌ଷ୍ଟିଚ୍ୟୁସନର ଉପର-ତାଲାରେ ରହିବାପାଇଁ ତାଙ୍କୁ ଯୋଡ଼ିଏ ବଖରା ଛାଡ଼ି ଦିଆଯାଇଥାଏ ।

 

ଫାରାଡ଼େଙ୍କ କାମରେ ଅଧ୍ୟାପକ ଡେଭି ଅତ୍ୟନ୍ତ ସନ୍ତୁଷ୍ଟ ହେଲେ । ସେ ଯେତେବେଳେ ଯେଉଁ ପରୀକ୍ଷା କରନ୍ତି, ଫାରାଡ଼େଙ୍କୁ ବରାବର ପାଖେ ପାଖେ ରଖିଥାନ୍ତି । ଏଭଳି ସୁବିଧା ପାଇବାଦ୍ୱାରା ଯୁବକ ଫାରାଡ଼େ ନିଜେ ମଧ୍ୟ ବିଜ୍ଞାନର ଅନେକ ପରୀକ୍ଷାରେ ହାତ ଦେଲେ । ଦିନକୁ ଦିନ ତାଙ୍କର ଉତ୍ସାହ ଓ ସାହସ ବଢ଼ିବାକୁ ଲାଗିଲା । ୧୮୧୩ ମସିହାରେ ସାର୍‌ ଡେଭି ରସାୟନ ଓ ବିଦ୍ୟୁତ୍‌ ସମ୍ୱନ୍ଧରେ ଇଉରୋପର ବିଭିନ୍ନ ଦେଶର ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରିବାପାଇଁ ଗସ୍ତରେ ବାହାରିଲେ । ଫାରାଡ଼େ ତ ସେତେବେଳକୁ ତାଙ୍କର ହାତବାରିସି ହୋଇ ସାରିଥାନ୍ତି, ତେଣୁ ସେ ଫାରାଡ଼େଙ୍କୁ ନିଜର ସେକ୍ରେଟେରୀରୂପେ ବାଛି ସଙ୍ଗରେ ନେଲେ । ଫାରାଡ଼େଙ୍କ ମନରେ ଅସୀମ ଆନନ୍ଦ ଖେଳିଗଲା । ବୋଲିବା ବାହୁଲ୍ୟ ଯେ, ଏହି ସୁଯୋଗ ତାଙ୍କୁ ଯେଉଁ ନୂଆ ନୂଆ ଜ୍ଞାନ ଯୋଗାଇଲା, ତାହାରି ବଳରେ ସେ ଭବିଷ୍ୟତରେ ଜଣେ ବଡ଼ ବୈଜ୍ଞାନିକ ହୋଇପାରିଲେ ।

 

୧୮୧୩ ଠାରୁ ୧୮୧୫ ମସିହା ପର୍ଯ୍ୟନ୍ତ ଉଭୟେ ଇଉରୋପର ନାନା ଦେଶ ବୁଲିଲେ ଏବଂ ପ୍ୟାରିସ୍‌, ଫ୍ଳୋରେନ୍‌ସ, ରୋମ ପ୍ରଭୃତିର ପ୍ରସିଦ୍ଧ ବୈଜ୍ଞାନିକମାନେ ସହିତ ସାକ୍ଷାତ କରି ନିଜ ନିଜର ସନ୍ଦେହ ଦୂର କରିବା ସଙ୍ଗେ ସଙ୍ଗେ ବହୁ ନୂତନ ଜ୍ଞାନ ସଂଗ୍ରହ କଲେ । ଫ୍ଳୋରେନ୍‌ସରେ ଗାଲିଲିଓଙ୍କ ନିର୍ମିତ ଦୂରବୀକ୍ଷଣ ଯନ୍ତ୍ର, ରୋମରେ କାଉଣ୍ଟ ଆଲେସାଣ୍ଡେ ଭୋଲଟାଙ୍କ ବ୍ୟାଟେରି ଯନ୍ତ୍ର ଦେଖି ଫାରାଡ଼େ ଅଗାଧ ବିସ୍ମୟରେ ବୁଡ଼ିଗଲେ ।

 

ଅନେକ ବର୍ଷ ପୂର୍ବରୁ ତ ବିଦ୍ୟୁତ୍‌ ସମ୍ୱନ୍ଧରେ ତାଙ୍କର କୌତୂହଳ ଜାଗି ଉଠିଥିଲା । ବିଦ୍ୟୁତ୍‌ ବିଷୟକ ପ୍ରବନ୍ଧଟି ହିଁ ତାଙ୍କୁ ବହିବନ୍ଧା କାର୍ଯ୍ୟରୁ ଛଡ଼ାଇ ଆଣି ଏତେଦୂର ଆଗେଇ ଦେଇଛି-। ତେଣୁ ବ୍ୟାଟେରିକୁ ଦେଖିଲାମାତ୍ରେ ବିଦ୍ୟୁତ୍‌ ବିଷୟରେ ଅଧିକ ଗବେଷଣା କରିବାକୁ ତାଙ୍କ ମନ ପାଗଳ ହୋଇଉଠିଲା । ଗସ୍ତସାରି ୧୮୧୫ରେ ଲଣ୍ଡନକୁ ଫେରିଆସିବା ପରେ ଫାରାଡ଼େ ସେହି ଗବେଷଣାରେ ରାତିଦିନ ଲାଗି ରହିଲେ । ୧୮୨୧ ମସିହାରେ ଚାକିରିରେ ତାଙ୍କର ପାହିଆ ବଢ଼ିଲା । ଲବୋରେଟରୀର ସମୁଦାୟ ଦାୟିତ୍ୱ ଏବେ ତାଙ୍କରି ହସ୍ତରେ ଅର୍ପଣ କରିଦିଆଗଲା । ପୁଣି ୧୮୨୦ ମସିହାରେ ରୟାଲ୍‌ ସୋସାଇଟି ତାଙ୍କୁ ସଭ୍ୟରୂପେ ଗ୍ରହଣ କରି ନିଜକୁ ସମ୍ମାନିତ ମନେକଲା ।

 

ଏଥିପୂର୍ବରୁ ଭୋଲ୍‌ଟା ୧୭୯୯ ମସିହାରେ ବ୍ୟାଟେରୀ ଯନ୍ତ୍ର ସର୍ବପ୍ରଥମେ ବାହାର କରିଥିଲେ । ତହିଁରୁ ଯେଉଁ ବିଦ୍ୟୁତ୍‌-ପ୍ରବାହ ବାହାରୁଥିଲା, ତାହା ଛୋଟ ଧରଣର ଯନ୍ତ୍ରମାନଙ୍କରେ କେବଳ ବ୍ୟବହାର ହୋଇପାରୁଥିଲା । ଅଳ୍ପସ୍ଥାନରେ ବିଜୁଳି ଆଲୁଅ ଜଳାଇବା ବା ବିଜୁଳିପଙ୍ଖା ଚଳାଇବାରେ ବ୍ୟାଟେରୀ ସାହାଯ୍ୟ କରି ପାରୁଥିଲା । ଫାରାଡ଼େ ଭାବିଲେ ବିଦ୍ୟୁତ୍‌ର ବିରାଟ ଶକ୍ତିକୁ ମଣିଷର ହାତମୁଠା ଭିତରକୁ ନ ଆଣିବା ପର୍ଯ୍ୟନ୍ତ ପୃଥିବୀର ପ୍ରକୃତ ଉନ୍ନତି ହୋଇପାରିବ-ନାହିଁ । ବାଷ୍ପ ସାହାଯ୍ୟରେ ରେଳ ଓ ବଡ଼ ବଡ଼ କଳ ଚାଲିବାଦ୍ୱାରା ଅଯଥା ବହୁତ ସମୟ ଓ ଶକ୍ତି ନଷ୍ଟହେଉଛି ଏଗୁଡ଼ିକ ବିଦ୍ୟୁତ୍‌ ସାହାଯ୍ୟରେ ଚାଲିଲେ ନାନାପ୍ରକାର ବ୍ୟବସାୟ ଓ ଶିଳ୍ପ ପୃଥିବୀରେ ଭରିଯିବ । ପୁଣି ସମଗ୍ର ପୃଥିବୀ ବିଦ୍ୟୁତ୍‌ ପଙ୍ଖାର ଶୀତଳ ପବନ ପାଇପାରିବ ଏବଂ ବିଦ୍ୟୁତ୍‌ ଆଲୋକର ଆଭାରେ ହସିଉଠିବ ।

 

ଏହିପରି ଭାବି ଫାରାଡ଼େ ଅଜସ୍ର ବିଦ୍ୟୁତ୍‌ ପ୍ରବାହ ବାହାରି-ପାରିବା ଭଳି ଗୋଟିଏ ନୂଆ ଧରଣର ଯନ୍ତ୍ର ତିଆରି କରିବାକୁ କଠୋର ସାଧନା ଆରମ୍ଭ କଲେ । ବର୍ଷପରେ ବର୍ଷ ବିତିଗଲା । ନାନା ପରୀକ୍ଷାଦ୍ୱାରା ‘ମାଗ୍‌ନେଟ’ ନାମକ ଧାତୁ ସାହାଯ୍ୟରେ ବିଦ୍ୟୁତ୍‌ପ୍ରବାହ ବାହାରିବାର ଏକ ନୂଆ ଉପାୟ ସେ ବାହାର କଲେ । ଶେଷରେ ନିଜ ସାଧନାରେ ସେ କୃତକାର୍ଯ୍ୟ ହେଲେ ଏବଂ ୧୮୩୧ ମସିହାରେ ‘ଡାଇନାମୋ’ ଯନ୍ତ୍ର ନିର୍ମାଣ କରି ଅକ୍ଷୟ ଯଶର ଅଧିକାରୀ ହେଲେ । ଗ୍ରୀକ୍‌ ଭାଷାରେ ‘ଡାଇନାମା’ ଶବ୍ଦର ଅର୍ଥ ‘ଶକ୍ତି’ । ପ୍ରଚୁର ଶକ୍ତିର ବିଦ୍ୟୁତ୍‌ ପ୍ରବାହ ସେହି ଯନ୍ତ୍ରରୁ ବରାବର ବାହାରୁଥିବାରୁ ଫାରାଡ଼େ ତାହାର ଏପରି ନାମକରଣ କଲେ ।

 

ସେ ଯେଉଁଦିନ ଏହି ଯନ୍ତ୍ରଟିକୁ ଲୋକସାଧାରଣରେ ପ୍ରଥମକରି ଦେଖାଇଲେ, ସେଦିନ ଲଣ୍ଡନ ସହରରେ ଆନନ୍ଦର ବନ୍ୟା ଖେଳିଗଲା । କ୍ରମେ ଉକ୍ତ ସମ୍ୱାଦ ସାରା ଦୁନିଆରେ ପ୍ରଚାରିତ ହୋଇ ସମସ୍ତଙ୍କୁ ଚମତ୍‌କୃତ କରିଦେଲା । ଚାରିଆଡ଼ୁ ପ୍ରଶଂସାର ସୁଅ ଆସି ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଲା । ସେଦିନର ଲାବୋରେଟରୀ ସାହାଯ୍ୟକାରୀ ଯୁବକ ଆଜି ପୃଥିବୀର ଶ୍ରେଷ୍ଠ ବିଦ୍ୟୁତ୍‌ ବୈଜ୍ଞାନିକ । ବିଦ୍ୟୁତ୍‌କୁ ହାତରେ ଧରି କିପରି ଖେଳିବାକୁ ହେବ, ଇଚ୍ଛାମତେ ତାକୁ ନାନା କାର୍ଯ୍ୟରେ ଲଗାଇବାକୁ ହେବ, ପୃଥିବୀ ତାଙ୍କରିଠାରୁ ହିଁ ପ୍ରଥମେ ଶିଖିଲା କହିଲେ ଚଳେ ।

 

ଡାଇନାମୋ ଯନ୍ତ୍ର ଛଡ଼ା ଆହୁରି ଅନେକ ଛୋଟ ବଡ଼ କାମରେ ହାତଦେଇ ସେ ସୁନାମ ଅର୍ଜନ କଲେ । ତାଙ୍କର ଯୋଗୁଁ ରସାୟନ-ବିଜ୍ଞାନର ମଧ୍ୟ ଅନେକ ଉନ୍ନତି ସାଧିତ ହେଳା । ଦୀର୍ଘ ଜୀବନ ବିଜ୍ଞାନ ସାଧନାରେ ଲାଗିରହି ଶେଷକୁ ସେ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଲେ । ସ୍ମୃତି କ୍ରମେ ଲୋପ ପାଇଆସିଲା ।ତେଣୁ ୧୮୬୧ ମସିହାରେ ରୟାଲ୍‌ ଇନ୍‌ଷ୍ଟିଚ୍ୟୁସନରୁ ଅବସର ନେବାକୁ ବାଧ୍ୟ ହେଲେ । ୧୮୨୧ ମସିହାରେ ‘ସାର ବାର୍ଣ୍ଣାଡ଼ି’ଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସ୍ୱାମୀଙ୍କ କର୍ମମୟ ଜୀବନକୁ ସାର୍ଥକ କରିବାଲାଗି ବାର୍ଣ୍ଣାଡ଼ି ସର୍ବଦା ଚେଷ୍ଟା କରି ଆସିଥିଲେ । ଏବେ ସ୍ତ୍ରୀଙ୍କ ସହିତ ଫାରାଡ଼େ ଖୁବ୍‌ ଶାନ୍ତରେ ଶେଷ ଜୀବନ କଟାଇଲେ । ଯାହା ପେନ୍‌ସନ୍‌ ମିଳିଲା, ତହିଁରେ ସାଧାସିଧା ଭାବରେ ଚଳି ଦୁଃଖୀ, ଦରିଦ୍ର ଓ ରୋଗୀମାନଙ୍କୁ ମଧ୍ୟ ପାରୁପର୍ଯ୍ୟନ୍ତ ସାହାଯ୍ୟ କରିବାକୁ ଲାଗିଲେ ।

 

ଫାରାଡ଼େ ଏଡ଼େ ବଡ଼ ବୈଜ୍ଞାନିକ ହୋଇ ବିପୁଳ ଖ୍ୟାତି ଅର୍ଜନ କଲେହେଁ ପିଲାଦିନର ଦୁଃଖଦୁର୍ଦ୍ଦଶା କଥା ମୃତ୍ୟୁ ପର୍ଯ୍ୟନ୍ତ ପାସୋରି ନଥିଲେ । ସେ ମନେ କରୁଥିଲେ, ପ୍ରଥମେ ଏତେ କଷ୍ଟ ଭୋଗୀ ନଥିଲେ ବୋଧହୁଏ ତାଙ୍କ ଜୀବନରେ ଏତେ ଉନ୍ନତି ହୋଇ ପାରି ନଥାନ୍ତା । ତାଙ୍କର ଦରିଦ୍ର କୁଡ଼ିଆଟି ପ୍ରଥମେ ଯେଉଁଠି ଥିଲା ଅନେକ ସମୟରେ ସେ ସେହି ସ୍ଥାନଟିକୁ ଦେଖିବାକୁ ଯାଉଥିଲେ । ପୂର୍ବର ସେହି ବହିବନ୍ଧା ଦୋକାନ ପାଖକୁ ଯାଇ ସାଥି ବନ୍ଧୁମାନଙ୍କୁ ତାହା ଦେଖାଇଦେଇ କହୁଥିଲେ–

 

‘‘ଏଇ ହେଉଛି ମୋ ଜୀବନର ପ୍ରଥମ କର୍ମକ୍ଷେତ୍ର । ଏହାରି ଗୋଟିଏ କୋଣରେ ବସି ମୁଁ ଦିନେ ବହି ବାନ୍ଧୁଥିଲି । ସେହି ବହି-ବନ୍ଧା ହିଁ ମତେ ବିଦ୍ୟୁତ୍‌ ସହିତ ଖେଳିବାର ପ୍ରେରଣା ଦେଇଥିଲା ।’’

 

ଭିକ୍‌ଟୋରିଆ ସେତେବେଳେ ଇଂଲଣ୍ଡର ରାଣୀ ଥାଆନ୍ତି । ଫାରାଡ଼େଙ୍କ ବୈଜ୍ଞାନିକ କାର୍ଯ୍ୟ ଓ କୃତିତ୍ୱରେ ସେ ଅତିଶୟ ପ୍ରୀତ ହୋଇଯାଇ ତାଙ୍କୁ ହାମ୍ପଟନ କୋର୍ଟର ରାଜକୀୟପ୍ରାସାଦରେ ରହିବାକୁ ସମସ୍ତ ସୁବିଧା କରିଦେଲେ । ସେହିଠାରେ ୧୮୬୭ ମସିହାର ଅଗଷ୍ଟ ୨୫ ତାରିଖ ଦିନ ଫାରାଡ଼େଙ୍କ ଜୀବନ ଦୀପ ଲିଭିଗଲା ।

 

ଫାରାଡ଼େଙ୍କ ଦେହ ଏତେକାଳ ହେଲା ପୃଥିବୀରୁ ଅଦୃଶ୍ୟ ହୋଇଯାଇଛି; କିନ୍ତୁ ଆଜି ବିଜୁଳି ଆଲୁଅକୁ ଦେଖିଲେ ମନେହୁଏ, ସତେ ଯେପରି ତାଙ୍କ ଜୀବନର ଜ୍ୟୋତି ସେହି ଉଜ୍ଜ୍ୱଳ ଆଲୁଅ ଭିତରୁ ଫୁଟି ବାହାରୁଛି । ଯେଉଁ ଇଲେକ୍‌ଟ୍ରିକ୍‌ ମୋଟର ସବୁ ବଡ଼ ବଡ଼ କାରଖାନାର ପ୍ରକାଣ୍ଡ କଳମାନଙ୍କୁ ଘୂରାଉଚି, ସେହି ମୋଟର ସବୁକୁ ଦେଖିଲେ ମନେହୁଏ, ସତେ ଯେପରି ତାହାରି ମଧ୍ୟରେ ଫାରାଡ଼େଙ୍କ ଅସୀମ ଶକ୍ତି ବରାବର କାର୍ଯ୍ୟ କରୁଛି ।

Image

 

ନାରୀ-ବୈଜ୍ଞାନିକର ଶ୍ରେଷ୍ଠ ଦାନ

 

‘‘ପାଖ ଘରେ ଗୋଟାଏ କାଠବାକ୍‌ସ ଅଛି । ତାରି ଭିତରେ ଖଣ୍ଡିଏ ଫଟୋଗ୍ରାଫ୍‌ ପ୍ଳେଟ କଳା କାଗଜର ଖୋଳର ପଶି ଥୁଆ-ହୋଇଛି । ସେଇଟାକୁ ନେଇଆ । ଆଜି ପ୍ଳେଟଟିକୁ ଡେଭଲପ୍‌ କରିବାକୁ ହେବ ।’’

 

୧୮୯୬ ଖ୍ରୀଷ୍ଟାବ୍ଦ–ଫ୍ରାନ୍‌ସର ପ୍ରସିଦ୍ଧ ବୈଜ୍ଞାନିକ ହେନେରୀ ବେକେରେଲ ଦିନେ ସକାଳେ ତାଙ୍କ ଚାକରକୁ ଉପର କଥାଟି କହିଲେ ।

 

ଚାକର ସଙ୍ଗେ ସଙ୍ଗେ ଯାଇ ବାକ୍‌ସ ମଧ୍ୟରୁ ଫଟୋଗ୍ରାଫ୍‌ ପ୍ଳେଟ୍‌ଟିକୁ ନେଇ ଆସିଲା । ବେକେରେଲ୍‌ ମଧ୍ୟ ସେହିଦିନ ତାକୁ ଡେଭଲପ୍‌ କରିଦେଲେ । ମାତ୍ର କାମଟି ସରିଗଲାପରେ ଦେଖିଲେ ପ୍ଳେଟ୍‌ର ମଝି ଅଂଶରେ ଗୋଟିଏ ଧଳା ଦାଗ ଦିଶୁଛି । ଆଶ୍ଚର୍ଯ୍ୟ ହୋଇଯାଇ ସେ ମନକୁ ମନ କହିଉଠିଲେ––

 

‘‘ଏକଣ ? ପ୍ଳେଟ୍‌ର ମଝିରେ ଆଲୁଅ ଲାଗିଲା କେମିତି ? କ୍ୟାମେରାଟା କେଉଁଠି କଣା ହୋଇଯାଇଛି ନା କଣ ? ତା ନ ହୋଇଥିଲେ ତ ପ୍ଳେଟ୍‌ରେ ଧଳାଦାଗ ପଡ଼ି ନ ଥାନ୍ତା ।’’

 

ଏହା ଭାବି ବେକେରେଲ୍‌ କ୍ୟାମେରାଟିକୁ ଆଣି ତନ୍ନ ତନ୍ନ କରି ଦେଖିଲେ । କାହିଁ କେଉଁଠି ହେଲେ ତ କ୍ୟାମେରାରେ କିଛି ଟିକିଏ ଦୋଷ ନାହିଁ ? ତାହାହେଲେ ପ୍ଳେଟ୍‌କୁ ଆଲୁଅ ଆସିଲା କାହୁଁ ?

 

ବୈଜ୍ଞାନିକ ମହା ଚିନ୍ତାରେ ପଡ଼ିଲେ । ଏଭଳି ଦୋଷ କିପରି ଘଟିଲା କିଛି ଠିକ୍‌ କରିପାରିଲେ ନାହିଁ । ଭାବୁ ଭାବୁ ଗୋଟାଏ କଥା ହଠାତ୍‌ ମନେପଡ଼ିଗଲା । ସେଇ କାଠବାକ୍‌ସ ଉପରେ ଯେ ବକଟେ ‘ଇଉରେନିୟମ’ ଥୋଇଦେଇଥିଲେ । ଏବେ ଅନୁମାନ କରିନେଲେ––ଇଉରେନିୟମ୍‌ରେ ବୋଧହୁଏ ରଞ୍ଜନରଶ୍ମି ଭଳି ଗୋଟାଏ କିଛି ଅଦୃଶ୍ୟ ରଶ୍ମି ଅଛି, ସେହି ରଶ୍ମି ଯୋଗୁଁ ପ୍ଳେଟ୍‌ରେ ଏପରି ଧଳା ଦାଗ ପଡ଼ିଗଲା ।

 

ଇଉରେନିୟମ୍‌ ଗୋଟିଏ ଧାତୁ । ତାହା ଅତି ଦୁର୍ଲଭ, ସହଜରେ ମିଳେ ନାହିଁ । ତା ଦାମ୍‌ ମଧ୍ୟ ବହୁତ ବେଶି । ପୃଥିବୀର ଖୁବ୍‌ କମ୍‌ ଜାଗାରେ ଏହି ଧାତୁ ଦେଖାଯାଏ । ଯୋଗାଡ଼କରି ସେଥିରୁ କିଛି ବେକେରେଲ୍‌ ନିଜ ପାଖରେ ରଖିଥିଲେ । ସେ ତ ଜଣେ ନାମଜାଦା ବୈଜ୍ଞାନିକ, ତେଣୁ ଏହି ଧାତୁ ସମ୍ୱନ୍ଧରେ ତାଙ୍କର ପ୍ରାଥମିକ ଧାରଣାକୁ ଲୋକଙ୍କ ମଧ୍ୟରେ ପ୍ରକାଶ କରିଦେଲେ । ତାଙ୍କର ଇଚ୍ଛାହେଲା, କେହି ଯଦି ଏହି ବିଚିତ୍ର ରଶ୍ମିର ଶକ୍ତି ବିଷୟରେ ଗବେଷଣା କରନ୍ତା, ତାହାହେଲେ ତହିଁରୁ ଅନେକ ରହସ୍ୟ ବାହାରିପାରନ୍ତା ।

 

ହେନେରୀ ବେକେରେଲ୍‌ଙ୍କର ଏହି ଆଶା ଅପୂର୍ଣ୍ଣ ରହିଲା ନାହିଁ । ଯାହାଙ୍କ ଯୋଗୁଁ ତାଙ୍କର ସ୍ୱପ୍ନ ବାସ୍ତବରେ ପରିଣତ ହେଲା, ସେ ହେଉଛନ୍ତି ଦୁଇଜଣ ଲୋକ––ଜଣେ ମହିଳା ଓ ଅନ୍ୟ ଜଣକ ପୁରୁଷ । ମହିଳା ଜଣକ ହିଁ ସେହି ଆବିଷ୍କାରରେ ମନ ପ୍ରାଣ ଢାଳି ପୃଥିବୀରେ ଅମର ଯଶ ଲାଭ କରିଛନ୍ତି ।

 

ଏହି ମହିଳାଙ୍କର ପ୍ରକୃତ ନାମ ହେଉଛି ମେରିୟା ସ୍ଳୋଡ଼ୋଭସ୍କା । ପୋଲାଣ୍ଡ ଦେଶର ଉଆର୍ସ ସହରରେ ୧୮୬୮ ମସିହା ନଭେମ୍ୱର ୭ ତାରିଖରେ ତାଙ୍କର ଜନ୍ମ । ପିତା ସେହି ସହରର ତାଙ୍କରି ପାଖରୁ ପିଲାଦିନେ ବିଜ୍ଞାନର ପ୍ରାଥମିକ ଶିକ୍ଷା ପାଇଥିଲେ ଗୋଟିଏ ସ୍କୁଲରେ ବିଜ୍ଞାନ ଓ ଗଣିତର ଶିକ୍ଷକ ଥାଆନ୍ତି । ମେରିୟା ତାହାରି ଫଳରେ ବିଜ୍ଞାନ ପ୍ରତି ତାଙ୍କର ଆଗ୍ରହ କ୍ରମେ ବଢ଼ିବାକୁ ଲାଗିଲା । ତାଙ୍କୁ ଦଶବର୍ଷ ହେଲାବେଳେ ମାଆ ସଂସାର ଛାଡ଼ି ଚାଲିଗଲେ । ମାତୃହରା ମେରିୟାଙ୍କ ଜୀବନରେ ଏ ହେଲା ପ୍ରଥମ ଆଘାତ ।

 

ସ୍କୁଲରେ ପଢ଼ିଲାବେଳେ ମେରିୟା ଶ୍ରେଣୀର ଜଣେ ଉତ୍କୃଷ୍ଟ ଛାତ୍ରୀ ଥିଲେ । ସବୁ ବିଷୟ ଅପେକ୍ଷା ବିଜ୍ଞାନରେ ତାଙ୍କର ଜ୍ଞାନ ବେଶି ଫୁଟି ଉଠିଲା । ସେତେବେଳେ ରୁଷିଆର ଜାର୍‌ ପୋଲାଣ୍ଡକୁ ଶାସନ କରୁଥିଲେ । ରୁଷିଆର ଲୋକେ ପୋଲାଣ୍ଡ ଲୋକଙ୍କୁ ଭାରି ଘୃଣା ଚକ୍ଷୁରେ ଦେଖୁଥିଲେ । ରୁଷିଆର ଅତ୍ୟାଚାରରେ ପୋଲାଣ୍ଡର ପ୍ରତ୍ୟେକ ଲୋକକୁ ସବୁବେଳେ ଡରିମରି ଚଳିବାକୁ ପଡ଼ୁଥାଏ । ଜାର୍‌ ପୋଲାଣ୍ଡ ଲୋକଙ୍କର ସମସ୍ତ ଅଧିକାର ଓ ସ୍ୱାଧୀନତା ଛଡ଼ାଇ ନେଇଥାନ୍ତି । ଏପରିକି ଝିଅମାନଙ୍କର ଉଚ୍ଚଶିକ୍ଷା ପାଇଁ ବିଶ୍ୱବିଦ୍ୟାଳୟର ଦ୍ୱାର ମଧ୍ୟ ବନ୍ଦ ହୋଇଯାଇଥାଏ । ତେଣୁ ମେରିୟା ସ୍କୁଲଶିକ୍ଷା ସାରିବା ପରେ ପୋଲାଣ୍ଡରେ ଉଚ୍ଚଶିକ୍ଷା ପାଇବାର ସୁବିଧା ଆଦୌ କରି ପାରିଲେ ନାହିଁ ।

 

ବିଶ୍ୱବିଦ୍ୟାଳୟର ଶିକ୍ଷା ଶେଷକରି ବୈଜ୍ଞାନିକ ସାଧନାରେ ଜୀବନ ଉତ୍ସର୍ଗ କରିବା ହିଁ ମେରିୟାଙ୍କର ମୂଳରୁ ଲକ୍ଷ୍ୟ ଥାଏ । କିପରି ଅନ୍ୟ କୌଣସି ଦେଶକୁ ଯାଇ ନିଜର ଅଭିଳାଷ ପୂରଣ କରିବେ ଏଥିପାଇଁ ତାଙ୍କ ମନ ବ୍ୟାକୁଳ ହୋଇଉଠିଲା । ହଠାତ୍‌ ସେପରି ସୁବିଧା ମିଳିଲା ନାହିଁ । ତେଣୁ ତାଙ୍କୁ କେତେବେର୍ଷ ଅପେକ୍ଷା କରିବାକୁ ପଡ଼ିଲା । ଶେଷରେ ୧୮୯୧ ମସିହାରେ ସେ ଫ୍ରାନ୍‍ସର ପାରିସ୍‌ ସହରକୁ ଗଲେ ଏବଂ ସେଠାର ବିଶ୍ୱବିଦ୍ୟାଳୟରେ ପଦାର୍ଥବିଦ୍ୟା ଓ ଗଣିତ ଅଧ୍ୟୟନ କଲେ ।

 

ଚାରିବର୍ଷପରେ ଖୁବ୍‌ କୃତିତ୍ୱର ସହିତ ମେରିୟା ବିଶ୍ୱବିଦ୍ୟାଳୟ ଶିକ୍ଷା ଶେଷ କଲେ । ବିଜ୍ଞାନର ନାନା ଗବେଷଣାରେ ମାତି ରହିବା ଏଣିକି ତାଙ୍କର ପ୍ରଧାନ କାର୍ଯ୍ୟ ହେଲା । ଦୈବଯୋଗରୁ ଏହିଠାରେ ପିୟାରେ କ୍ୟୁରୀ ନାମକ ପାରିସ୍‌ର ଜଣେ ଜଣାଶୁଣା ବୈଜ୍ଞାନିକଙ୍କ ସହିତ ତାଙ୍କର ବନ୍ଧୁତା ହେଲା । ବିଜ୍ଞାନ ଚର୍ଚ୍ଚା ହିଁ ଉଭୟଙ୍କର ଏକମାତ୍ର ନିଶା ଥିବାରୁ ତାହା ଉଭୟଙ୍କୁ ପରସ୍ପର ନିକଟକୁ ଟାଣିଆଣି ଏକାଠି କରିଦେଲା । ସେତେବେଳେ ପିୟାରେ କ୍ୟୁରୀଙ୍କ ବୟସ ପଞ୍ଚତ୍ରିଂଶ ବର୍ଷ ।

 

ସେହି ସମୟରୁ ଦୁହେଁ ମିଶି ବିଜ୍ଞାନର କେତେକ ବିଷୟରେ ଗବେଷଣା ଆରମ୍ଭ କଲେ ଏବଂ ନାନା ବୈଜ୍ଞାନିକ ରହସ୍ୟ ସମ୍ୱନ୍ଧରେ ଏକାଠି ବସି ଆଲୋଚନା କରିବାକୁ ଲାଗିଲେ । କ୍ରମେ ବନ୍ଧୁତା ଅତି ଘନିଷ୍ଠ ଆକାର ଧାରଣ କଲା । ବର୍ଷକରୁ କିଛି ବେଶି ଅତୀତ ହେଲାପରେ ୧୮୯୫ ମସିହାରେ ଉଭୟେ ବିବାହ-ବନ୍ଧନରେ ଆବଦ୍ଧ ହେଲେ । ବିବାହପରେ ମେରିୟା ସ୍କ୍ଳୋଡୋଭସ୍କାଙ୍କର ନାମ ହେଲା ମାଡ଼ାମ୍‌କ୍ୟୁରୀ । ଏହି ନାମରେ ସେ ପରେ ପୃଥିବୀପ୍ରସିଦ୍ଧ ହେଲେ-

 

ପୁଣି ପ୍ରାୟ ବର୍ଷେ କଟିଗଲା । ପତି ପତ୍ନୀର ସମ୍ୱନ୍ଧ ହେବା ପରେ ବିଜ୍ଞାନ ଆଲୋଚନା ବହୁତ ବେଶି ବଢ଼ିଯାଇଥାଏ । ମାଡ଼ାମ୍‌ କ୍ୟୁରୀ ବିଜ୍ଞାନରେ ଡକ୍‌ଟର ଉପାଧି ପାଇବାପାଇଁ ଗବେଷଣା କରୁଥାନ୍ତି । ଠିକ୍‌ ସେହି ସମୟରେ ବୈଜ୍ଞାନିକ ହେନେରି ବେକେରେଲଙ୍କର ‘ଇଉରେନିୟମ’ ସମ୍ୱନ୍ଧୀୟ ପ୍ରାଥମିକ ତଥ୍ୟ ପ୍ରକାଶ ପାଇଥାଏ । ସେହି ଧାତୁ ବିଷୟରେ ପୂର୍ଣ୍ଣ ଗବେଷଣା କରିବାକୁ ମାଡ଼ାମ୍‌ କ୍ୟୁରୀଙ୍କର ପ୍ରବଳ ଆଗ୍ରହ ହେଲା । ଇଉରେନିୟମ୍‌ ଧାତୁର କି କି ବିଶେଷ ଗୁଣ ଅଛି, ତାହା ଆବିଷ୍କାର କରିବା ପାଇଁ ତାଙ୍କର କୌତୂହଳ କ୍ରମେ ବଢ଼ିଲା ।

 

ଗବେଷଣା କରିବାକୁ ହେଲେ ସବୁ ସୁବିଧା ଥିବା ଗୋଟିଏ ଘର ଦରକାର । ମାତ୍ର ବିଶ୍ୱବିଦ୍ୟାଳୟ ତାଙ୍କୁ ସେପରି ଭଲ ଘରଟିଏ ଦେଇପାରିଲା ନାହିଁ । ଯେଉଁ ଘରଟି ହେଲା, ତାହା ପୁରୁଣା ଗୋଦାମର ଗୋଟିଏ ଦରଭଙ୍ଗା ବଖରା, ନିତାନ୍ତ ସନ୍ତସନ୍ତିଆ, ଭାରି ଥଣ୍ଡା, ନୂଆ ଧରଣର ଯନ୍ତ୍ରପାତି କିଛି ନାହିଁ, ଗବେଷଣା କରିବା ପାଇଁ ଜାଗା ନିହାତି କମ୍‌ ଏହିପରି ସେ ବଖରାଖଣ୍ଡି । ଏତେ ଅସୁବିଧା ସତ୍ତ୍ୱେ ମାଡ଼ାମ୍‌ କ୍ୟୁରୀ ସେଠାରେ ସ୍ୱାମୀଙ୍କ ସାହାଯ୍ୟରେ ତାଙ୍କର ଗବେଷଣା ଆରମ୍ଭ କଲେ ଏବଂ ଅତି ଅଳ୍ପକାଳ ମଧ୍ୟରେ ଜାଣିପାରିଲେ ଯେ, ଇଉରେନିୟମ୍‌ର ରଶ୍ମି ଅତି ତେଜିୟାନ୍‌, ତାର ଶକ୍ତି ମଧ୍ୟ ଢେର ବେଶି ଓ ତହିଁରେ ଅନେକ ବିଶେଷ ଧରଣର ଗୁଣ ଅଛି ।

 

ଏତିକିରେ ମାଡ଼ାମ୍‌ କ୍ୟୁରୀ କ୍ଷାନ୍ତ ହେଲେନାହିଁ । ତାଙ୍କର ଏହି ମତ ଠିକ୍‌ କି ନୁହେଁ ନିଜେ ଦୃଢ଼ଭାବରେ ନ ଜାଣିବାଯାଏ କୌଣସିଠାରେ ତାହା ପ୍ରକାଶ କଲେନାହିଁ । ଏହି ଉଦ୍ୟମରେ ସେ ପୃଥିବୀରେ ଯେତେ ପ୍ରକାର ଧାତୁ ଅଛି ଗୋଟି ଗୋଟି କରି ସେଗୁଡ଼ିକର ରଶ୍ମି ପରୀକ୍ଷା କରିବାକୁ ଆରମ୍ଭ କଲେ । ଥରେ ନୁହେଁ କି ଦୁଇ ଥର ନୁହେଁ, ବାରମ୍ୱାର ପରୀକ୍ଷା ଚାଲିଲା । ତାଙ୍କର ଲକ୍ଷ୍ୟ ରହିଲା, ସେ ନିଜେ ପରୀକ୍ଷା କରି ନିଶ୍ଚିତରୂପେ ବୁଝିବେ, ଇଉରେନିୟମ୍‌ର ରଶ୍ମି ପରି ଆଉ କେଉଁ ଧାତୁର ରଶ୍ମି ଏତେ ତେଜୀୟାନ୍‌ କି ନୁହେଁ, ଅନ୍ୟ କୌଣସି ଧାତୁର ରଶ୍ମିରେ ଏପରି ବିଶେଷ ଗୁଣ ଅଛି କି ନାହିଁ ।

 

ଥରକୁଥର ଏହିପରି ବିଭିନ୍ନ ଧାତୁର ପରୀକ୍ଷା କରୁ କରୁ ଦୈବକ୍ରମେ ଦିନେ ସେ ଗୋଟିଏ ନୂଆ ଧାତୁ ପାଇଲେ । ତାର ନାମ ‘ପିଚ-ବ୍ଳେଣ୍ଡ’-ରଙ୍ଗ ପିଙ୍ଗଳ । ମାଡ଼ାମ୍‌କ୍ୟୁରୀ ଖୁବ୍‌ ଆଗ୍ରହର ସହିତ ସେହି ଧାତୁକୁ ପରୀକ୍ଷା କରି ବସିଲେ । ଆଶ୍ଚର୍ଯ୍ୟ କଥା, ଦେଖିଲେ ସେହି ପିଚ୍‌-ବ୍ଳେଣ୍ଡର ରଶ୍ମିର ଏଡ଼େ ତେଜ ଯେ ତହିଁରେ ଆଖି ଝାପ୍‌ସା ମାରିଯାଉଛି, ବେଶି ସମୟ ଆଦୌ ତାହା ଆଡ଼କୁ ଚାହିଁ ହେଉନାହିଁ । ଏ ପର୍ଯ୍ୟନ୍ତ ଯେତେ ଧାତୁର ରଶ୍ମି ପରୀକ୍ଷା ହୋଇଥିଲା, ସବୁଠାରୁ ଏହି ନୂଆ ରଶ୍ମି ଅଧିକ ତେଜୀୟାନ ଓ ଅଧିକ ଶକ୍ତିଶାଳୀ ।

 

ମାଡାମ୍‌ କ୍ୟୁରୀ ଆନନ୍ଦରେ ଆତ୍ମହରା ହୋଇଗଲେ । ସଙ୍ଗେ ସଙ୍ଗେ ସ୍ୱାମୀଙ୍କୁ ଡାକିଆଣି ନୂଆ ରଶ୍ମିଟି ଦେଖାଇଲେ । ପିୟାରେ କ୍ୟୁରୀଙ୍କର ଖୁସି ଦେଖେ କିଏ ? ମନପ୍ରାଣ ଲଗାଇ ସେହି ଅଦ୍ଭୁତ ରଶ୍ମି ବିଷୟରେ ଆହୁରି ଗବେଷଣା କରି ନୂତନ ରହସ୍ୟ ପ୍ରକାଶ କରିବାପାଇଁ ସେ ସ୍ତ୍ରୀଙ୍କୁ ଉତ୍ସାହ ଦେଲେ । ତା ସଙ୍ଗେ ସଙ୍ଗେ ସେହି କାର୍ଯ୍ୟରେ ତାଙ୍କୁ ସବୁବେଳେ ସାହାଯ୍ୟ ଦେବାଲାଗି ନିଜେ ପ୍ରସ୍ତୁତ ରହିଲେ ।

 

ସ୍ୱାମୀଙ୍କଠାରୁ ଉତ୍ସାହ ପାଇବା ପରେ ମାଡାମ୍‌ କ୍ୟୁରୀଙ୍କ ମନର ବଳ ଦୁଇଗୁଣ ବଢ଼ିଗଲା । ସେ ଭାବିଲେ, ‘‘ସବୁ ଧାତୁର ରଶ୍ମି-ଅପେକ୍ଷା ଯେତେବେଳେ ପିଚ୍‌ବ୍ଳେଣ୍ଡର ରଶ୍ମି ବେଶି ଉଜ୍ଜ୍ୱଳ ଓ ପ୍ରଖର, ନିଶ୍ଚୟ ଏହି ଧାତୁରେ ଗୋଟାଏ କିଛି ନୂଆ ଉପାଦାନ ଅଛି, ଯାହାର ସନ୍ଧାନ ପୃଥିବୀର ଏପର୍ଯ୍ୟନ୍ତ କେହି ପାଇପାରି ନାହାନ୍ତି । ସେହି ଉପାଦାନଟିରେ ନିଶ୍ଚୟ କୌଣସି ବିଶେଷ ଗୁଣ ଅଛି, ଯେଉଁଥିପାଇଁ ଏହି ରଶ୍ମିରେ ଏପରି ବିଶେଷତ୍ୱ ଦେଖାଯାଉଛି । ସେହି ଉପାଦାନଟିର ପ୍ରକୃତ ଗୁଣ ଓ ଶକ୍ତି ଜଣାପଡ଼ିଲେ, ଦୁନିଆର ଅଶେଷ ମଙ୍ଗଳ ହୋଇପାରେ ।’’ ସେହିଦିନୁ ପିଚ୍‍-ବ୍ଳେଣ୍ଡ ରଶ୍ମିରେ ଲୁଚି ରହିଥିବା ଅଜଣା ଉପାଦାନଟି ବାହାର କରିବାପାଇଁ ଓ ତାର ଗୁଣ ଜାଣିବାପାଇଁ ସେ ବ୍ୟାକୁଳ ହୋଇ ଉଠିଲେ ।

 

ପୁଣି କଠୋର ସାଧନ ଆରମ୍ଭ ହେଲା । ଦିନ ପରେ ଦିନ ଏହିପରି କେତେକ କାଳ ବିତିଗଲା । ପିୟାରେ କ୍ୟୁରୀ ସେହି ସାଧନାର ପଛରେ ରହି ସ୍ତ୍ରୀଙ୍କୁ ସବୁପ୍ରକାର ସାହାଯ୍ୟ କରୁଥାନ୍ତି-। ମାଡାମ୍‌ କ୍ୟୁରୀ ନାନା କଷ୍ଟ ଓ ଅସୁବିଧାର ମଧ୍ୟଦେଇ ନିଜର ପରୀକ୍ଷା ବରାବର ଚଳାଇଥାନ୍ତି । ପିଚ୍‌ବ୍ଳେଣ୍ଡରେ ପ୍ରତ୍ୟହ ନୂଆ ନୂଆ ରାସାୟନିକ ଦ୍ରବ୍ୟ ମିଶାଇ ତାହା ମଧ୍ୟରୁ ନୂଆ ଉପାଦାନଟିକୁ ଅଲଗା କରିବାକୁ ଚେଷ୍ଟା କରୁଥାନ୍ତି । ହଠାତ୍‌ ତାଙ୍କ ସାଧନାରେ ଦିନେ ପୂର୍ଣ୍ଣତା ଆସିଲା । ସେ ପିଚ-ବ୍ଳେଣ୍ଡ୍‌ମଧ୍ୟରୁ ସେହି ନୂଆ ଉପାଦାନଟି ଆବଷ୍କାର କଲେ । ତାହାର ଆଲୁଅରେ ଅନ୍ଧାରିଆ ପରୀକ୍ଷା-ଗୃହଟି ହଠାତ୍‌ ଉଜ୍ଜ୍ୱଳ ହୋଇଉଠିଲା । କି ଉଗ୍ରଶକ୍ତି ସେ ରଶ୍ମିର ! ପୁଣି କେତେ ଉତ୍ତାପ ତାର ! ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ଆଖି ସେଥିରେ ଜଳକା ପାଲଟିଗଲା । ମାଡ଼ାମ୍‌ କ୍ୟୁରୀ ବିଜୟର ଆନନ୍ଦରେ ଚିତ୍କାର କରି ଉଠିଲେ । ସେ ସେହି ନୂତନ ଉପାଦାନଟିର ନାମ ରଖିଲେ ‘‘ରେଡ଼ିୟମ୍‌’’ ।

 

ମାଡ଼ାମ୍‌ କ୍ୟୁରୀଙ୍କର ଏହି ସଫଳ ଜୟଯାତ୍ରାର ଅଦ୍ୱିତୀୟ କୃତିତ୍ୱ ଜଗତସାରା ପ୍ରଚାରିତ ହେଲା । କେତେ ଯେ ଅଭିନନ୍ଦନ, ପ୍ରଶଂସା ଓ ତାରବାର୍ତ୍ତା ତାଙ୍କ ପାଖକୁ ଆସିଲା, ତାର ସଂଖା ନାହିଁ । ତାଙ୍କ ଅସାଧ୍ୟ ସାଧନାର ଫଳସ୍ୱରୂପ ପୃଥିବୀ ସର୍ବଶ୍ରେଷ୍ଠ ମୂଲ୍ୟବାନ୍‌ ସମ୍ପଦର ଅଧିକାରୀ ହେଲା । ପାରିସ୍‌ ବିଶ୍ୱବିଦ୍ୟାଳୟ ତାଙ୍କୁ ପଦାର୍ଥ ବିଜ୍ଞାନର ‘ଡକ୍‌ଟର’’ ଉପାଧି ଦେଇ ତାଙ୍କର ଅଦ୍ଭୁତ ଗବେଷଣା ପ୍ରତି ଉପଯୁକ୍ତ ସମ୍ମାନ ଦେଖାଇଲା ।

 

ଏବେ ପିଚ୍‌ବ୍ଳେଣ୍ଡ ଧାତୁ ମଧ୍ୟରୁ ଖାଣ୍ଟି ରେଡ଼ିୟମ୍‌ ବାହାର କରିବା ମାଡ଼ାମ୍‌ କ୍ୟୁରୀଙ୍କର ପ୍ରଧାନ କାମ ହେଲା । ପିୟାରେ କ୍ୟୁରୀ ଦେଖିଲେ, ପତ୍ନୀ ଯେଉଁ ବିରାଟ କାର୍ଯ୍ୟଟିରେ ହାତ ଦେବାକୁ ଯାଉଛନ୍ତି, ତାହା କଦାପି ଜଣକର କାର୍ଯ୍ୟନୁହେଁ––ସେଥିପାଇଁ ନିହାତି କମରେ ଦୁଇଟି ମସ୍ତିଷ୍କ ଓ ଚାରିଟି ହାତ ଦରକାର । ତେଣୁ ନିଜର ସବୁ କାମ ଛାଡ଼ିଦେଇ ସେ ମାଡ଼ାମ୍‌ କ୍ୟୁରୀଙ୍କ ସହିତ ମିଶିଗଲେ ।

 

ଖାଣ୍ଟି ରେଡ଼ିୟମ୍‌ ଆବିଷ୍କାର କରିବା କିଛି ସହଜ କଥା ନୁହେଁ । ସେଥିପାଇଁ ଗୋଟିଏ ବଡ଼ ଲବୋରେଟରୀ ନିତାନ୍ତ ଆବଶ୍ୟକ । ଯେତେ ଅନୁନୟ ବିନୟ କଲେ ମଧ୍ୟ ପାରିସ୍‌ ବିଶ୍ୱ-ବିଦ୍ୟାଳୟ ସେଭଳି ଲାବୋରେଟରୀଟିଏ ଯୋଗାଇ ପାରିଲା ନାହିଁ । ବହୁତ ଦିନ ପରେ କାଠ ତିଆରି ଗୋଟିଏ ପୁରୁଣା କୋଠାରୀ ବ୍ୟବହାର କରିବାଲାଗି ତାଙ୍କୁ ଅନୁମତି ମିଳିଲା । ଜାଗାଟି ବଡ଼ କଦର୍ଯ୍ୟ । ଛାତରୁ ପାଣି ଗଳୁଥାଏ । ଘରର ମେଜିଆ ପକ୍‌କା ନୁହେଁ । ଖଣ୍ଡେ ଦୁଇଖଣ୍ଡ ଧତଡ଼ା ଟେବୁଲ ଛଡ଼ା ଅନ୍ୟ କୌଣସି ଆସବାବ ପତ୍ର ବା ଯନ୍ତ୍ରପାତି ନଥାଏ । ମରହଟ୍ଟୀ ଧରଣର ଗୋଟାଏ ଷ୍ଟୋଭ ଥାଏ ଯେ, ଘଣ୍ଟାଏ କାଳ ତା ସହିତ ଝଡ଼େଇ ନହେଲେ, ସହଜରେ ସେ ଜଳେନାହିଁ । ଏଭଳି ଜାଗାରେ ବସି ମାଡ଼ାମ୍‌ କ୍ୟୁରୀ ଓ ପିୟାରେ କ୍ୟୁରୀଙ୍କୁ କାର୍ଯ୍ୟ କରିବାକୁ ପଡ଼ିଲା ।

 

ବିସ୍ତର ପରିମାଣରେ ପିଚ୍‌ବ୍ଳେଣ୍ଡ ସଂଗ୍ରହ ନକଲେ, କାମ ବା ଆରମ୍ଭ ହେଉଛି କିପରି ? ସେତେବେଳେ କେବଳ ଅଷ୍ଟ୍ରିଆ ଦେଶରେ ଏହି ଧାତୁ ମିଳୁଥିବାର ଜଣା ପଡ଼ିଥାଏ । ତେଣୁ ପିୟାରେ କ୍ୟୁରୀ ବହୁତ ଯୋଗାଡ଼ କରି ସେହି ଦେଶରୁ ପୂରା ଏକ ଓ୍ୱାଗନ୍‌ ପିଚ୍‌ବ୍ଳେଣ୍ଡ ଅଣାଇଲେ । ଅସଲ ଜିନିଷତକ ଆସିଗଲା, ଏବେ ମାଡ଼ାମ୍‌କ୍ୟୁରୀ କାମରେ ଲାଗିଗଲେ । ଖରାଦିନର ତାତିରେ ଦେହ ସିଝିଯାଏ ବର୍ଷାଦିନେ ଛାତପାଣିରେ ପୋଷାକ ଭିଜିଯାଏ, ପୁରି ଶୀଦିନର କାଲୁଆ ପବନରେ ଦେହ କୋଲ ମାରିଯାଏ । ତଥାପି କାମ ଚାଲିଲା । ମାସେ ନୁହେଁ କି ବର୍ଷେ ନୁହେଁ, ଲମ୍ୱା ଚାରି ବର୍ଷ––୧୮୯୮ ଠାରୁ ୧୯୦୨ ମସିହା ପର୍ଯ୍ୟନ୍ତ । ଦିନକ ଲାଗି ସୁଦ୍ଧା କାମ ବନ୍ଦ ହେଲା ନାହିଁ ।

 

ଚାରି ବର୍ଷର ହାଡ଼ଭଙ୍ଗା ପରିଶ୍ରମ ଓ ଏକାଗ୍ର ଅଧ୍ୟବସାୟ ଶେଷରେ ସାର୍ଥକ ହେଲା । ଗଦା ଗଦା ସେହି ପିଙ୍ଗଳ ବର୍ଣ୍ଣର ପିଚ୍‌ବ୍ଳେଣ୍ଡ ଧାତୁ ମଧ୍ୟରୁ ୧୯୦୨ ମସିହାରେ ନିହାତି ଛୋଟ ଆକାରର ଖଣ୍ଡିଏ ଖାଣ୍ଟି ରେଡ଼ିୟମ ବାହାରିଲା । ଦେଖିବାକୁ ବକଟେ ହେଲେ କଣ ହେବ, ତାର ଶକ୍ତି ଅସୀମ । ପରୀକ୍ଷାରୁ ଜଣାଗଲା, ଇଉରେନିୟମ୍‌ ରଶ୍ମି ଅପେକ୍ଷା ତାର ରଶ୍ମି ଦୁଇଲକ୍ଷ ଗୁଣ ଅଧିକ । ସେହି ଉଜ୍ଜ୍ୱଳ ଆଲୁଅରେ ଅତି ସହଜରେ ବହି ପଢ଼ିହେଲା । କେବଳ ଆଲୁଅ ନୁହେଁ, ତହିଁରୁ ଉତ୍ତାପ ମଧ୍ୟ ବାହାରିଲା । ଘଣ୍ଟାକ ମଧ୍ୟରେ ସେହି ଉତ୍ତାପରେ ଅଳ୍ପ ଓଜନର ଛୋଟ ଛୋଟ ବରଫଖଣ୍ଡ ତରଳିଯାଇପାରିଲା ।

 

ପୁଣି ସେହି ରେଡ଼ିୟମ୍‌ ପାଖରେ ଯାହା ରହିଲା, ତାହାର କିଛି ନା କିଛି କ୍ଷତିହେଲା । ତାକୁ ନିକଟରେ ରଖି ମାଡ଼ମ୍‌ କ୍ୟୁରୀ ଓ ପିୟାରେ କ୍ୟୁରୀ ଦୁହେଁଯାକ କାମ କରୁଥାନ୍ତି । କେତେଟା ଦିନ ପରେ ଦେଖାଗଲା, ସ୍ୱାମୀ-ସ୍ତ୍ରୀ ଦୁଇଜଣଯାକଙ୍କ ଦେହର ଚମ ନାଲିଆ ହୋଇଯାଉଛି । ପଛକୁ ମନ୍ଦାମନ୍ଦା ହୋଇ ଦେହରେ ଘା ବାହାରିଗଲା । ସେଥିରୁ ରକ୍ଷା ପାଇବା ପାଇଁ ସେ ଦୁହେଁ ଏକ ଉପାୟ ବାହାର କଲେ । ସୀସାର ଆବରଣ ମଧ୍ୟରେ ରେଡ଼ିୟମ୍‌କୁ ରଖିଦେଲେ । ଫଳରେ ତାହା ଆଉ କାହାରି କିଛି କ୍ଷତି କରି ପାରିଲା ନାହିଁ ।

 

କିପରି ରେଡ଼ିୟମ୍‌ ରଶ୍ମିକୁ ମାନବ ସେବାରେ ଲଗାଯାଇ ପାରିବ, ମାଡାମ୍‌ କ୍ୟୁରୀ ଭାବିବାକୁ ଲାଗିଲେ । ପିୟାରେ କ୍ୟୁରୀ ଏ ଦିଗରେ ବେଶି ମନ ଦେଲେ । ନିଜର ପଛେ କ୍ଷତି ହେଉ, ସେ ତାହା ପରୀକ୍ଷା କରିବେ ଏବଂ ରେଡ଼ିୟମ୍‌ର ଗୁଣ ଜାଣିବେ, ଏହାହିଁ ହେଲା ତାଙ୍କର ପଣ । ଦେହର ଚମ ଉପରେ ରେଡ଼ିୟମ୍‌ ରଶ୍ମି କି କାର୍ଯ୍ୟ କରିପାରେ, ଏହା ପରୀକ୍ଷା କରିବାକୁ ଯାଇ ସେ ନିଜ ବାହୁରେ ତାହା ପ୍ରୟୋଗ କଲେ । ତା’ ପରେ ସ୍ୱାମୀ-ସ୍ତ୍ରୀ ଉଭୟେ କିଛିଦିନ ଗବେଷଣା କରି ଜାଣିଲେ ଯେ, ରେଡ଼ିୟମ୍‌ ଦ୍ୱାରା ସବୁପ୍ରକାର ଚର୍ମରୋଗ ଭଲ ହୋଇଯିବ––ଏପରି କି ଭୀଷଣ ‘କାନ୍‌ସର’ ବା କର୍କଟ ରୋଗ ମଧ୍ୟ ରେଡ଼ିୟମ୍‌ ପ୍ରୟୋଗରେ ଆରୋଗ୍ୟ ହୋଇପାରିବ ।

 

ଏହି ଆବିଷ୍କାର ଫଳରେ ପିୟାରେ କ୍ୟୁରୀ ଓ ମାଡ଼ାମ୍‌ କ୍ୟୁରୀଙ୍କ ଖ୍ୟାତି ଅସମ୍ଭବ ପ୍ରକାରେ ହଠାତ୍‌ ବଢ଼ିଗଲା । ଲଣ୍ଡନର ରୟାଲ୍‌ ସୋସାଇଟି ସେ ଦୁହିଁଙ୍କୁ ‘ଡେଭି ପଦକ’ ଉପହାର ଦେଲେ । ସ୍ୱିଡ଼େନ୍‌ର ବିଜ୍ଞାନ-ଏକାଡ଼େମୀ ଉଭୟଙ୍କୁ ପଦାର୍ଥ-ବିଜ୍ଞାନରେ ‘ନୋବେଲ ପୁରସ୍କାର’ ଦେଇ ସମ୍ମାନିତ କଲେ । ପୁଣି ଫ୍ରାନସର ବିଜ୍ଞାନ ପରିଷଦ ପ୍ରଚୁର ଅର୍ଥ ପ୍ରଦାନ କରି ପିଚ୍‌ବ୍ଳେଣ୍ଡ ଧାତୁରୁ ଅଧିକ ଖାଣ୍ଟି ରେଡ଼ିୟମ୍‌ ବାହାର କରିବାକୁ ଅନୁରୋଧ କଲେ । ପୃଥିବୀର ସର୍ବାଞ୍ଚଳରୁ ଏହିରୂପେ ସମ୍ମାନ ଲାଭ କରି କ୍ୟୁରୀ ଦମ୍ପତି ବିଶେଷ ଉତ୍ସାହିତ ହେଲେ । ସଙ୍ଗେ ସଙ୍ଗେ ପୃଥିବୀର ଯେତେ ବଡ଼ ବଡ଼ ଖବରକାଗଜ ସମସ୍ତେ ମାଡାମ୍‌ କ୍ୟୁରୀଙ୍କଠାକୁ ପତ୍ର ଲେଖି ରେଡ଼ିୟମ୍‌ ସମ୍ୱନ୍ଧରେ ଯାବତୀୟ ଖବର ସଂଗ୍ରହ କଲେ ଏବଂ ତା’ପରେ ପୃଥିବୀବାସୀଙ୍କୁ ଜଣାଇଦେଲେ––

 

‘‘ମାଡାମ୍‌ କ୍ୟୁରୀ ନାମରେ ଜଣେ ନାରୀ ପୃଥିବୀର ଗୋଟିଏ ମହାଶକ୍ତିଶାଳୀ ଓ ମହାମୂଲ୍ୟବାନ୍‌ ଧାତୁ ଆବିଷ୍କାର କରିଛନ୍ତି–– ତାର ନାମ ‘ରେଡ଼ିୟମ୍‌’ । ଏହା ମୂଷା ଦେହରେ ଲାଗିଲେ ମୂଷା ମରିଯାଏ । ଏହା ଅନ୍ଧାରରେ ମଣି ଭଳି ଝଟକେ । କୋଇଲା ଠାରୁ ୨୫୦,୦୦୦ ଗୁଣ ବେଶି ଉତ୍ତାପ ପ୍ରଦାନ କରେ । ମଣିଷ-ଦେହରେ ଲାଗିଲେ ଘା କରିଦିଏ । ବୀଜଦେହରେ ଲାଗିଲେ ବୀଜାଙ୍କୁର ନଷ୍ଟ ହୋଇଯାଏ । ଏହାର ରଶ୍ମି ଚର୍ମରୋଗ ଓ କାନ୍‌ସର୍‌ ରୋଗର ଜୀବାଣୁ ସବୁକୁ ଧ୍ୱଂସ କରିଦିଏ ।’’

 

ରେଡ଼ିୟମର ମୂଲ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ । ସୁନା ଭରିକର ଦାମ୍‌ ଯଦି ଟ ୧୨୦ ହୁଏ, ତାହାହେଲେ ଭରିଏ ରେଡ଼ିୟମର ଦାମ୍‌ ହେବ ଟ ୪୬,୯୧୮୮୫ ଅର୍ଥାତ ପାଖାପାଖି ୪୭ ଲକ୍ଷ ଟଙ୍କା । ସୁନା ଯେତେ ଇଚ୍ଛା ସେତେ କିଣାଯାଇପାରେ କିନ୍ତୁ ଭରିଏ ରେଡ଼ିୟମ ପାଇବା ସହଜ ନୁହେଁ ।

 

ଯେଉଁ ରେଡ଼ିୟମର ମୂଲ୍ୟ ଏତେ ବେଶି, ମାଡ଼ାମ୍‌ କ୍ୟୁରୀ ଓ ପିୟାରେ କ୍ୟୁରୀ ଇଚ୍ଛା କରିଥିଲେ, ତାହାରି ଯୋଗେ ପୃଥିବୀର ସର୍ବଶ୍ରେଷ୍ଠ ଧନକୁବେର ହୋଇ ପାରିଥାନ୍ତେ । ତାଙ୍କ ଛଡ଼ା ରେଡ଼ିୟମ୍‌ ବାହାର କରିବାର କୌଶଳ ଆଉ କାହାରିକୁ ଜଣା ନ ଥିଲା । ତେଣୁ ସେ ଦୁହେଁ ଯଦି ନିଜ ଆବିଷ୍କାରକୁ ରେଜିଷ୍ଟ୍ରି କରିନେଇଥାନ୍ତେ, ତାହାହେଲେ ପିଚ୍‌ବ୍ଳେଣ୍ଡରୁ ଖଣ୍ଡ ଖଣ୍ଡ ରେଡ଼ିୟମ୍‌ ଉତ୍ପାଦନ କରି କୋଟିପତିର ଭାଗ୍ୟ ଅର୍ଜନ କରିପାରିଥାନ୍ତେ । କିନ୍ତୁ ମାଡାମ୍‌ କ୍ୟୁରୀଙ୍କ ଉଦ୍ଦେଶ୍ୟ ତାହା ନ ଥିଲା । ସେ ଏହି ସର୍ବଶ୍ରେଷ୍ଠ ସମ୍ପଦଟିର ଅଧିକାର ସମଗ୍ର ପୃଥିବୀକୁ ଦାନ କରିଦେଲେ । ସବୁ ଦେଶର ଜନସମାଜ ଏହି ସମ୍ପଦଟିରୁ ସର୍ବୋତ୍କୃଷ୍ଟ ଉପକାର ପାଉ, ଏହାହିଁ ତାଙ୍କର ଆନ୍ତରିକ କାମନା ।

 

୧୯୦୬ ମସିହାରେ ଗୋଟିଏ ଅତି ଭୟଙ୍କର ଦୁର୍ଦ୍ଦିନ । ମାଡ଼ାମ୍‌ କ୍ୟୁରୀ ହଠାତ୍‌ ଶୁଣିଲେ, ତାଙ୍କର ସ୍ୱାମୀ ରାସ୍ତାରେ ମଟରଚାପା ଖାଇ ପ୍ରାଣ ହରାଇଛନ୍ତି । ଶହଶହ ବଜ୍ର ଏକ ସମୟରେ ଆସି ସତେ ଯେପରି ତାଙ୍କ ଛାତିରେ ଭେଦିଗଲା । ଏହା ହେଲା ତାଙ୍କ ଜୀବନ ଉପରେ ଦୈବର ଦ୍ୱିତୀୟ ଓ ଶେଷ ଆଘାତ । ଏତେ ଦାରୁଣ ଶୋକ ସହି ମଧ୍ୟ ମାଡ଼ାମ୍‌ କ୍ୟୁରୀ କେତେ ବର୍ଷ ପରେ ‘ରେଡ଼ିୟମ୍‌ ଇନଷ୍ଟିଚ୍ୟୁଟ’ ନାମରେ ଏକ ଗବେଷଣା ମନ୍ଦିର ପ୍ରତିଷ୍ଠା କଲେ । ସେଠାରେ ପୃଥିବୀର ବିଭିନ୍ନ ଦେଶର ବୈଜ୍ଞାନିକମାନଙ୍କୁ ରେଡ଼ିୟମ ବାହାର କରିବାର ଶିକ୍ଷା ଦିଆଗଲା ।

 

ମାଡ଼ାମ୍‌ କ୍ୟୁରୀ ସେହି ବିଜ୍ଞାନ ମନ୍ଦିରର ଲବୋରେଟରୀରେ ବସି ପ୍ରତ୍ୟହ କାମ କରିବାକୁ ଲାଗିଲେ । କେତେବର୍ଷ ଏହିପରି କଟିଗଲା । ୧୯୩୪ ମସିହାରେ ଏହି ଅମୂଲ୍ୟ ଜୀବନଟି ଇହଧାମରୁ ଲୋପ ପାଇଲା । ପରୀକ୍ଷାରୁ ଜଣାଗଲା, ଯେଉଁ ରେଡ଼ିୟମଦ୍ୱାରା ଲକ୍ଷ ଲକ୍ଷ ରୋଗୀ ପ୍ରାଣ ପାଉଥିଲେ, ସେହି ରେଡ଼ିୟମ୍‌ ହିଁ ତାଙ୍କର ଶେଷରେ କାଳହେଲା । ତାହାରି ପାଖରେ ବସି ବସି କାମ କରିବା ଫଳରେ ତାଙ୍କ ଜୀବନର ସର୍ବନାଶ ଘଟିଲା । ସେ ଯେଉଁ ରେଡ଼ିୟମ୍‌ ପାଇଁ ଜୀବନ ଉତ୍ସର୍ଗ କରିଥିଲେ, ତାହା ବାସ୍ତବିକ୍‌ ସତ୍ୟରେ ପରିଣତ ହେଲା ।

Image

 

ପୃଥିବୀର ଆକର୍ଷଣ

 

ପ୍ରତି ମୁହୂର୍ତ୍ତରେ ଏଇ ପ୍ରକାଣ୍ଡ ପୃଥିବୀରେ କେତେ ଯେ କଣ ଘଟିଯାଉଛି, ତାର ସୁମାରି ନାହିଁ । ମଣିଷର ଆଖିଆଗରେ କେତେ ଜିନିଷ, କେତେ ଘଟନା ଆସି ପଡ଼ୁଛି, କିନ୍ତୁ କେହି ସେ ସବୁ ପ୍ରତି ନଜର ଦିଏ ନାହିଁ, ଟିକିଏ ହେଲେ ସେ ସବୁ ବିଷୟରେ ଭାବେନାହିଁ । ଏ ହେଲା ଆମ-ତୁମଭଳି ସାଧାରଣ ମଣିଷଙ୍କ କଥା । ବଞ୍ଚିଥିବା ପର୍ଯ୍ୟନ୍ତ ଏ ଶ୍ରେଣୀର ଲୋକଙ୍କୁ ଅଳ୍ପ କେତେକ ଲୋକ ଜାଣନ୍ତି । ମରିହଜିଯିବା ସଙ୍ଗେ ସଙ୍ଗେ ଏମାନଙ୍କ କାମ ମଧ୍ୟ ପୃଥିବୀରୁ ମରିହଜିଯାଏ । କେହି ଏମାନଙ୍କ କଥା ଦିନେ ହେଲେ ଆଉ ଭାବେ ନାହିଁ ।

 

ମାତ୍ର ଏ ଦୁନିଆରେ ଆଉ ଏକ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନଙ୍କ ସଂଖ୍ୟା ଅତ୍ୟନ୍ତ କମ୍‌ । ସେମାନଙ୍କ ଆଖିରେ କୌଣସି ନୂଆ ଜିନିଷଟିଏ ପଡ଼ିଲେ ତାକୁ ସେମାନେ ଗୁଡ଼େଇ ତୁଡ଼େଇ ଦେଖନ୍ତି । ନୂଆ କଥାଟିଏ ଶୁଣିଲେ ବା ନୂଆ ଘଟନାଟିଏ ଦେଖିଲେ, ତା ସମ୍ୱନ୍ଧରେ ଅନେକ ସମୟଯାଏ ଭାବନ୍ତି ଏବଂ ମନେ ମନେ ବହୁତ ଆଲୋଚନା କରନ୍ତି । ଏପରିକି ଗୋଟାଏ ଗୋଟାଏ ଘଟନା ସେମାନଙ୍କ ମନଭିତରେ ଏପରି ଭେଦିରହେ ଯେ, ତାର ରହସ୍ୟ ଜାଣିବାରେ ସେମାନଙ୍କର ସାରା ଜୀବନ ମଧ୍ୟ ବିତିଯାଏ ।

 

ସାମାନ୍ୟ ଘଟନା ବା ଜିନିଷଟିକୁ ଯେଉଁମାନେ ବଡ଼ ବୋଲି ହିସାବ କରନ୍ତି, ସେହିମାନଙ୍କ ମନରେ ହିଁ ନାନା କୌତୂହଳ ଜାତ ହୁଏ । ଏ ପ୍ରକାର କୌତୁହଳ ଯାହାର ଥାଏ, ସେଇ ଲୋକ ଜଗତରେ ଦିନେ ବଡ଼ଲୋକ ହୁଏ ଏବଂ ବହୁତ ବଡ଼ ବଡ଼ କାମ କରେ । ପୃଥିବୀ ଏହି ଶ୍ରେଣୀର ଲୋକଙ୍କଠାରୁ ବହୁତ ଉପକାର ପାଏ ଏବଂ ସେଥିପାଇଁ ସେମାନଙ୍କୁ ଚିରକାଳ ମୁଣ୍ଡରେ ମୁଣ୍ଡାଇ ଗଭୀର ଶ୍ରଦ୍ଧା ଓ ସମ୍ମାନ ଦିଏ । ଆଇଜାକ୍‌ ନିଉଟନ୍‌ ଠିକ୍‌ ଏହି ଶ୍ରେଣୀର ଜଣେ ଲୋକ । ସେ ବହୁକାଳରୁ ମରିଯାଇଥିଲେହେଁ ଆଜି ପର୍ଯ୍ୟନ୍ତ ମଣିଷ ଜାତି ତାଙ୍କୁ ଦେବତାପରି ପୂଜା କରୁଛି । ସେ ଯେଉଁ ନୂଆ ଜ୍ଞାନ ଦେଇଯାଇଛନ୍ତି, ତାହାରି ବଳରେ ଲୋକେ ଆହୁରି କେତେ ନୂଆ ଜ୍ଞାନର ସନ୍ଧାନ ପାଇବାକୁ ସମର୍ଥ ହେଉଛନ୍ତି । ଚିନ୍ତା ଓ ସାଧନାର ଯେଉଁ ନୂଆ ବାଟ ସେ ଫିଟାଇ ଦେଇ ଯାଇଛନ୍ତି କେତେ ବୈଜ୍ଞାନିକ ସେହି ବାଟରେ ଚାଲି ପୃଥିବୀକୁ ନୂଆ ନୂଆ ତଥ୍ୟର ଆଲୋକରେ ଉଜ୍ଜ୍ୱଳ କରୁଛନ୍ତି । ଏହାଦ୍ୱାରା ଲୋକଙ୍କର ଦିନକୁଦିନ ଜ୍ଞାନ ବଢ଼ୁଛି ଏବଂ ପୃଥିବୀ ଅଧିକରୁ ଅଧିକ ସୁଖଶ୍ରୀରେ ହସିଉଠୁଛି ।

 

୧୬୪୨ ଖ୍ରୀଷ୍ଟାବ୍ଦରେ ସାରା ବିଲାତ ଆନନ୍ଦ ଉତ୍ସବରେ ମାତିଥାଏ । ଡିସେମ୍ୱର ମାସର ସେହି ପବିତ୍ର ୨୫ ତାରିଖ ଦିନରେ ହିଁ ଆଇଜାକ୍‌ ନିଉଟନ୍‌ଙ୍କର ଜନ୍ମ । ସେହିବର୍ଷ ବୈଜ୍ଞାନିକ ଗାଲିଲିଓଙ୍କର ମୃତ୍ୟୁ ହୋଇଥିଲା । ନିଉଟନ୍‌ଙ୍କର ଜନ୍ମବର୍ଷ ଏହିକାରଣରୁ ମଧ୍ୟ ମନେ ରହିବାର କଥା । ତାଙ୍କର ମାଆ ହ୍ୟାନା ବିଧବା ହୋଇଯିବାରୁ ବାଳୁତ ବେଳରୁ ନିଉଟନ୍‌ ବାପ ସ୍ନେହ କଣ ଜାଣି ପାରିଲେ ନାହିଁ । ବାପହରା ଶିଶୁଟିକୁ ଆଈ ବୁଢ଼ୀ ଏତେ ସ୍ନେହ କଲେ ଯେ କହିହେବ ନାହିଁ । ସେଥିପାଇଁ ସେ ନାତିକୁ ସେି ପିଲାଟି ଦିନୁ ନିଜ ପାଖରେ ରଖି ପାଳିଲେ । ନିଉଟନ୍‌ ଟିକିଏ ବଡ଼ ହେବା ସଙ୍ଗେ ସଙ୍ଗେ ତାଙ୍କୁ ନିଜ ପଡ଼ା ଗାଁ ଉଲ୍‌ସ ଥ୍ରେପ୍‌ର ପ୍ରାଥମିକ ସ୍କୁଲରେ ଛାଡ଼ିଦେଲେ ।

 

ସେଇ ଛୋଟ ଧରଣର ସ୍କୁଲଟିର ନିଉଟନ୍‌ଙ୍କର ପଢ଼ାପଢ଼ି ଚାଲିଲା । ଜନ୍ମରୁ ସେ ବଡ଼ ଦୁର୍ବଳ । ଚେହେରା ମଧ୍ୟ ପତଳା । ତାଙ୍କର ଦେହ ଲାଗିବା ପାଇଁ ଆଈ ବହୁତ ଯତ୍ନକଲେ । କେବଳ ସ୍କୁଲ ବେଳଟି ଛାଡ଼ିଦେଲେ ଦିନର ବାକୀ ସବୁ ସମୟରେ ସେ ନାତିକି କଡ଼େ କଡ଼େ ରଖିଲେ । ଟିକିଏ ହେଲେ ପାଖରୁ ଛାଡ଼ିଲେ ନାହିଁ । ଏହାର ଫଳ କିନ୍ତୁ ଓଲଟା ହେଲା । ଅତିରିକ୍ତ ଗେହ୍ଲାରେ ବଢ଼ିବାଯୋଗୁଁ ନିଉଟନ୍‌ ବଡ଼ ଦୁଷ୍ଟ ହୋଇଉଠିଲେ । ପଢ଼ାରେ ଜମା ତାଙ୍କର ମନ ଲାଗିଲା ନାହିଁ । ବହି ଦେଖିଲେ ସତେ ଯେପରି ତାଙ୍କୁ ଜ୍ୱର ଆସୁଥିଲା । ପରୀକ୍ଷାରେ କ୍ଳାସର ସବୁ ପିଲାଙ୍କଠାରୁ ତାଙ୍କର କମ୍‌ ନମ୍ୱର ରହେ । ପିଲାଙ୍କ ସଙ୍ଗରେ ସେ ଜମା ମିଶିଲେ ନାହିଁ । ସ୍କୁଲ ଛୁଟିହେଲା ମାତ୍ରେ ରାସ୍ତା କଡ଼େ କଡ଼େ ଏକୁଟିଆ ଚାଲି ଏକାନିଶ୍ୱାସକେ ଆସି ଘରେ ପଶିଯାନ୍ତି । ତାଙ୍କର ଏହି ଢଙ୍ଗ ଦେଖି ସ୍କୁଲପିଲାଏ ତାଙ୍କୁ କଣପଶା ବୋଲି କହନ୍ତି ।

 

ପଢ଼ାକୁ ଛେଳି ହେଲେ କଣ ହେବ, ନିଉଟନ୍‌ଙ୍କର ଗୋଟିଏ ବିଶେଷ ଗୁଣଥିଲା, ଯାହା ପ୍ରାୟ କାହାରିଠାରେ ଦେଖାଯାଏ ନାହିଁ । ସେଇଟି ହେଉଛି ନିରୋଳାରେ ଭାବିବା । ଆଈଙ୍କ ଘର-ସମାନାରେ ଗୋଟିଏ ବଡ଼ ଆତ ବଗିଚା ଥାଏ । ବାଳକ ନିଉଟନ୍‌ ଆଈଙ୍କୁ କହି ବେଳେ ବେଳେ ସେହି ବଗିଚାକୁ ଚାଲିଯାନ୍ତି । ତାହାରି ଭିତରେ ବସି କଣ ଗୁଡ଼ାଏ ମନକୁ ମନ ଭାବନ୍ତି । କେତେବେଳେ ଯେ କଣ ତାଙ୍କ ମୁଣ୍ଡକୁ ଢୁକେ, ତାର ବାଗବାଇଶ ନ ଥାଏ । ତେବେ ସେ ଯେଉଁ ବିଷୟରେ ଭାବନ୍ତି, ପୂରାପୂରି ତହିଁରେ ମଜ୍ଜି ରହନ୍ତି । ସେତେବେଳେ ତାଙ୍କ ଚାରିକଡ଼ରେ ଢୋଲ ମହୁରି ବଜେଇଲେ ବି ତାଙ୍କୁ କିଛି ଜଣାଯାଏ ନାହିଁ ।

 

ଏଥିମଧ୍ୟରେ ନିଉଟନ୍‌ଙ୍କ ବୟସ ବାର ବର୍ଷ ହୋଇଗଲା । ତାଙ୍କର ଗାଁ ସ୍କୁଲର ପାଠ କୌଣସି ପ୍ରକାରେ ଶେଷହେଲା । ତାପରେ ସେ ଗ୍ରାଣ୍ଟହମ୍‌ ସହରକୁ ଯାଇ ସେଠାରେ ବଡ଼ସ୍କୁଲରେ ପଢ଼ିଲେ । ତାଙ୍କ ପିଲାଦିନର ଢଙ୍ଗ ଏଣିକି ଦିନକୁଦିନ ବଦଳିଯିବାକୁ ଲାଗିଲା । ପଢ଼ାରେ ମନ ବସିଲା । ଗ୍ରାଣ୍ଟହମ୍‌ରୁ ପଢ଼ିସାରି ସେ କେମ୍ୱ୍ରିଜ୍‌ ଗଲେ ଏବଂ ଟ୍ରିନିଟ କଲେଜରେ ନାମ ଲେଖାଇଲେ-। ସେଠାରେ ସେ ଏତେ ଭଲ ପଢ଼ିଲେ ଯେ, ସବୁ ଅଧ୍ୟାପକଙ୍କର ସ୍ନେହଦୃଷ୍ଟି ତାଙ୍କର ଉପରେ ପଡ଼ିଲା । ଗଣିତ ବିଦ୍ୟାରେ ତାଙ୍କ ଭଳି ଧୁରନ୍ଧର ଛାତ୍ର ସେତେବେଳେ ଆଉ କେହି ନ ଥିଲେ ।

 

ଦିନକର ଘଟଣା । ନିଉଟନ୍‌ କଲେଜ ଛୁଟିରେ ଉଲ୍‌ସ୍‌ଥ୍ରୋପ ଗାଁକୁ ଆସିଥାନ୍ତି । ପିଲାଦିନର ପ୍ରିୟ ଆତ ବଗିଚାଟିର କଥା ସେ ପାସୋରି ଦେବେ ବା କିପରି ? ସେହି ଆତ ବଗିଚା ଭିତରେ ଗୋଟିଏ ବେଞ୍ଚ ଉପରେ ସେ ବସିଥାନ୍ତି । ପାଖରେ ଜଣେହେଲେ କେହି ନ ଥାଏ । ଏହି ସମୟରେ ହଠାତ୍‌ ପାଚିଲା ଆତଟିଏ ଗଛରୁ ଝଡ଼ି ଠିକ୍‌ ତାଙ୍କରି ଆଗରେ ଆସି ତଳେ ପଡ଼ିଲା । ଆତଟିକୁ ଉପରୁ ଏପରି ପଡ଼ିବାର ଦେଖିଲାମାତ୍ର ତାଙ୍କ ମନରେ ଚିନ୍ତା ଖେଳିଗଲା । ଆଉ କେହି ହୋଇଥିଲେ ଫଳଟିକି ଭୂଇଁ ଉପରୁ ଉଠେଇ ନେଇ ସଙ୍ଗେ ସଙ୍ଗେ ଜିଭଲାଳସା ମେଣ୍ଟେଇ ଦେଇଥାନ୍ତା; କିନ୍ତୁ ନିଉଟନ୍‌ଙ୍କ ପ୍ରକୃତି ତ ସେଭଳି ଧରଣର ନୁହେଁ, ତାଙ୍କର ଖାଇବା ଆଡ଼କୁ ମନ ଯିବ କିପରି ? ଆତଟିର ତଳେ ପଡ଼ିବା ପଛରେ ଯେଉଁ ଅଜଣା ରହସ୍ୟ ଅଛି, ତାହାକୁ ଜାଣିବା ପାଇଁ ସେ ଚଞ୍ଚଳହୋଇ ଉଠିଲେ । ମନରେ କେତେ କୌତୂହଳ ଜାଗି ଉଠିଲା ।

 

ଦୁନିଆଟାଯାକର ପ୍ରଶ୍ନ ନିଉଟନ୍‌ଙ୍କ ଆଗରେ ଆସି ଗଣ୍ଡ-ପାଣିରେ ମାଛ ବାଡ଼େଇ ହେଲାପରି ଲେଉଟପାଲଟ ହେଲା । ସେ ବିଷମ ଗୋଲକଧନ୍ଦାରେ ପଡ଼ିଲେ । କୌଣସି ଗୋଟିଏ ପ୍ରଶ୍ନର ଠିକ୍‌ ମୀମାଂସା କରି ପାରିଲେ ନାହିଁ । ଖାଲି ଭାବିବାକୁ ଲାଗିଲେ, ‘‘ଆତଟା ଶୂନ୍ୟକୁ ଉଠି ନ ଯାଇ ମାଟିରେ ପଡ଼ିଲା କାହିଁକି ? ଯଦିବା ତଳେ ପଡ଼ିଲା, ଗଛ ଡାଳରୁ ଠିକ୍‌ ସିଧା ବାଗରେ ଖସି ଖସି ଭୂଇଁରେ ପଡ଼ିଗଲା କାହିଁକି ? ବଙ୍କାଟଙ୍କା ଭାବରେ ଏପଟ ସେପଟକୁ ଗତି-କରି ତ ଖସିପାରିଥାନ୍ତା ?’’

 

ଏତିକିରେ ନିଉଟନ୍‌ଙ୍କର ଭାବନା ଶେଷହେଲାନାହିଁ । ଯେତେ ବେଶି ଭାବିଲେ, ସେତେ ବେଶି ପ୍ରଶ୍ନର ଜାଲ ଭିତରେ ସେ ଛନ୍ଦି ହୋଇଗଲେ । ଚିନ୍ତାର ସୁଅ ବହି ଚାଲିଲା । ସେ ପୁଣି ଭାବିଲେ, ‘‘ମଣିଷ, ପଶୁପକ୍ଷୀ, ଗଛଗୁଳ୍ମ, ସମସ୍ତେ ପୃଥିବୀରେ ଠିଆ ହୋଇ ରହିଛନ୍ତି କିପରି ? ଆକାଶପଟକୁ ଟଳି ପଡ଼ୁନାହାନ୍ତି କାହିଁକି ? ଶୂନ୍ୟ ଆଡ଼କୁ ଖୁବ୍‌ ଜୋର୍‌ରେ ଡିଆଁ ମାରିଲେ ମଧ୍ୟ ଲୋକ ଟିକକପରେ ପୁଣି କିପରି ମାଟି ଉପରକୁ ଚାଲିଆସୁଛି ? ଆତ, ପେଣ୍ଡୁ ଟେକା, ଯାହା କିଛି ଶୂନ୍ୟକୁ ଫୋପାଡ଼ିବ ସବୁ ତ କିଛି ବାଟ ଉପରକୁ ଯାଇ ଫେର୍‌ ଭୂଇଁକି ଖସି ପଡ଼ୁଛି । କେଡ଼େ ଆଶ୍ଚର୍ଯ୍ୟର କଥା ସତେ । ପୃଥିବୀର କି ସ୍ନେହଭରା ଆକର୍ଷଣ ! ସେହି ଆକର୍ଷଣର ଶକ୍ତି କେତେ ବେଶି । ସେହି ଶକ୍ତି ସିନା ସମସ୍ତଙ୍କୁ ପୃଥିବୀର ବୁକୁ ଉପରକୁ ଟାଣି ଆଣୁଛି ।’’

 

ଏହା ସଙ୍ଗେ ସଙ୍ଗେ ଯୁବକ ନିଉଟନ୍‌ଙ୍କ ମନରେ ଗୋଟାଏ ସନ୍ଦେହ ଉଇଁଲା । ଆକାଶରେ ତ କୋଟି କୋଟି ନକ୍ଷତ୍ର, ତାରା, ଗ୍ରହ, ଉପଗ୍ରହ, ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି । ସେମାନେ ଶୂନ୍ୟରେ ରହିପାରିଛନ୍ତି କିପରି ? କାହିଁ ସେମାନେ ତ ଖସି ଆସି ପୃଥିବୀ ଛାତିରେ ଲୋଟି ପଡ଼ୁନାହାନ୍ତି ? ତାହାହେଲେ ସୌର ଜଗତର ସେହି ସବୁ ଗ୍ରହ ନକ୍ଷତ୍ର ଚନ୍ଦ୍ର କାହାବଳରେ ଏତେଦୂର ଆକାଶରେ ଗତି କରୁଛନ୍ତି ?

 

ଏହିରୂପେ ନିଉଟନଙ୍କ ଭାବନାର ଅନ୍ତ ରହିଲା ନାହିଁ । ସେ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିଲେ ନାହିଁ । ବହୁ ସମୟ ଆତ ବଗିଚାର ସେହି ବେଞ୍ଚ ଉପରେ ବସି ବସି ଶେଷରେ ଆଈଙ୍କ ଘରକୁ ଫେରିଲେ । କିଛିଦିନ ପରେ କଲେଜ ଛୁଟି ସରିଗଲା । ନିଉଟନ୍‌ କେମ୍ୱ୍ରିଜ୍‌ ଚାଲିଗଲେ ଏବଂ କଲେଜ ପଢ଼ାରେ ପୁଣି ମନ ଦେଲେ । କିନ୍ତୁ ଆତ ବଗିଚାର ସେଇ ସବୁ ଚିନ୍ତା ତାଙ୍କ ମନ ଭିତରକୁ ବରାବର ଆବୋରି ରହିଲା । ଯେତେବେଳେ ଟିକିଏ ଫୁରୁସତ୍‌ ପାଆନ୍ତି, ସେହି କଥା କେବଳ ଭାବନ୍ତି ଏବଂ ତା ମଧ୍ୟରେ ଥିବା ଗୋପନ ରହସ୍ୟଟିକୁ ଖୋଜି ବାହାର କରିବାକୁ ଚେଷ୍ଟା କରନ୍ତି ।

 

ମାସ ପରେ ମାସ ବହି ଚାଲିଲା । କେତୋଟି ବର୍ଷ ମଧ୍ୟ କଟିଗଲା । ଅନ୍ୟ ଲୋକ ହୋଇଥିଲେ ସେ କଥାଟିକୁ ଭୁଲି ଯାଇଥାନ୍ତା । ଏତେ ଭାବି ଭାବି ମଧ୍ୟ ଯାହାର କୌଣସି ଥଳକୂଳ ମିଳିଲା ନାହିଁ, ସେଥିରେ ମୁଣ୍ଡ ପୂରାଇ ବୃଥା ସମୟ ନଷ୍ଟ କରିବାରେ କି ଲାଭ ? କିନ୍ତୁ ନିଉଟନ୍‌ଙ୍କ ବିଚାରର ଢଙ୍ଗ ପୂରା ଅଲଗା । ଯେଉଁ ଅଡ଼ୁଆ ସୂତା ପିଣ୍ଡୁଳାଟି ପାଇଛନ୍ତି, ତାର ମୂଳଖିଅ ଖୋଜି ନ ପାଇବା ପର୍ଯ୍ୟନ୍ତ ସେ କେବେ ଛାଡ଼ିବେ ନାହିଁ––ତାକୁ ବରାବର ଖେଳାଉଥିବେ ।

 

ଏଥିମଧ୍ୟରେ ନିଉଟନ୍‌ଙ୍କର କଲେଜ ଶିକ୍ଷା ଶେଷ ହୋଇଗଲା । ଖୁବ୍‌ କୃତିତ୍ୱର ସହିତ ସେ ପରୀକ୍ଷାରେ ପାସ୍‌ କଲେ । ସବୁରି ମୁହଁରେ ତାଙ୍କର ପ୍ରଶଂସା ଖେଳିଗଲା । ପରୀକ୍ଷାଫଳ ବାହାରିବାର ଅଳ୍ପ ସମୟରେ ସେହି ଟ୍ରିନିଟି କଲେଜରେ ଗୋଟିଏ ଗଣିତ ଅଧ୍ୟାପକ ସ୍ଥାନ ଖାଲିପଡ଼ିଲା । ନିଉଟନ୍‌ହିଁ ସେହି ପଦପାଇଁ ଶ୍ରେଷ୍ଠ ଓ ଉପଯୁକ୍ତ ବୋଲି ସ୍ଥିର ହେଲେ । ତେଣୁ ୧୬୬୯ ଖ୍ରୀଷ୍ଟାବ୍ଦରେ ସେ ସେହି ସମ୍ମାନଜନକ୍ ଅଧ୍ୟାପକ ପଦ ଗ୍ରହଣ କରି କର୍ମକ୍ଷେତ୍ରରେ ପ୍ରବେଶ କଲେ । ସେତେବେଳକୁ ତାଙ୍କର ବୟସ ୨୭ବର୍ଷ ।

 

ଏଥର ଗବେଷଣା କରିବାକୁ ତାଙ୍କୁ ବହୁତ ସୁବିଧା ମିଳିଲା । ଆତବଗିଚାର ଯେଉଁ ଚିନ୍ତା ତାଙ୍କ ମନରେ କୁହୁଡ଼ିର ଜାଲ ଘେରେଇ ରଖିଥିଲା, ଏହିଠାରେ ନିଉଟନ୍‌ ସେ କୁହୁଡ଼ିକୁ କାଟି ତାହା ମଧ୍ୟରୁ ଆଲୁଅ କାଢ଼ି ଆଣିବା ପାଇଁ ଗଭୀର ସାଧନା ଆରମ୍ଭ କଲେ । ପ୍ରତ୍ୟହ ସେ ଯେଉଁ ଗବେଷଣା କଲେ, ତାର ଫଳାଫଳ ଗୋଟିଏ ଖାତାରେ ତାରିଖ ଦେଇ ଟିପି ରଖିଲେ । ଦିନପରେ ଦିନ ଅତୀତ ହେଲା । ନିଉଟନ୍‌ଙ୍କ ପ୍ରାଣରେ ଦିନକୁଦିନ ଉତ୍ସହ ବଢ଼ିଚାଲିଲା । କ୍ଷଣକପାଇଁ ସୁଦ୍ଧା ନିରାଶ ତାଙ୍କୁ ଦବାଇ ପାରିଲା ନାହିଁ । ଗଣିତଶାସ୍ତ୍ରରେ ତାଙ୍କର ଅକଳନ୍ତି ପାଣ୍ଡିତ୍ୟ ଥିଲା । ତେଣୁ ନାନାପ୍ରକାର ଗଣନାଦ୍ୱାରା ସେ ପୃଥିବୀର ଆକର୍ଷଣ ଶକ୍ତିର ରହସ୍ୟ ନିଶ୍ଚୟ ଦିନେ ଜାଣିପାରିବେ ବୋଲି ଦୃଢ଼ ବିଶ୍ୱାସ କଲେ ।

 

ସତକୁ ସତ ଶେଷରେ ତାଙ୍କ ସାଧନା ପଥରେ ଫୁଲଚନ୍ଦନ ବୃଷ୍ଟି ହେଲା । ଯେଉଁ ସବୁ ସନ୍ଦେହ ଏପର୍ଯ୍ୟନ୍ତ ଘାରୁଥିଲା, ସେ ସମସ୍ତ କୁଆଡ଼େ ଚାଲିଗଲା । ରହସ୍ୟର ଅସଲ ମୂଳସୂତ୍ର ତାଙ୍କ ଆଗରେ ଧରାପଡ଼ିଗଲା । ନିଜର କ୍ରମାଗତ ଗଣନାଫଳରେ ସେ ପୃଥିବୀର ଆକର୍ଷଣ ଶକ୍ତିକୁ ଆବିଷ୍କାର କଲେ ଏବଂ ତାହାର ନାମ ଦେଲେ ‘ମାଧ୍ୟାକର୍ଷଣ ଶକ୍ତି’ ।

 

ଏହି ଅପୂର୍ବ ଆବିଷ୍କାର କାହାଣୀ ଚାରିଆଡ଼େ ପ୍ରଚାରିତ ହେଲା । ସାରା ପୃଥିବୀର ଲୋକେ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ନିଉଟନ୍‌ ସେ ଯୁଗର ଶ୍ରେଷ୍ଠ ବୈଜ୍ଞାନିକ ବୋଲି କୋଟି କୋଟି ତୁଣ୍ଡ ଗାଇ ବୁଲିଲା । ଇଂଲଣ୍ଡର ରାଣୀ ପ୍ରକୃତିର ବରପୁତ୍ର ମହାଜ୍ଞାନୀ ନିଉଟନ୍‌ଙ୍କୁ ୧୭୦୫ ଖ୍ରୀଷ୍ଟବ୍ଦରେ ‘ନାଇଟ୍‌’ ଉପାଧିରେ ଭୂଷିତ କରି ତାଙ୍କର ସମ୍ମାନ ଆହୁରି ବଢ଼ାଇଦେଲେ ।

 

ମାଧ୍ୟାକର୍ଷଣ ଶକ୍ତି ଆବିଷ୍କାର କରି ନିଉଟନ୍‌ ବିଜ୍ଞାନ ରାଜ୍ୟରେ ଏକ ନୂଆ ତଥ୍ୟର ଆଲୋକ ପକାଇଲେ । ସେହି ଦିନୁ ବୈଜ୍ଞାନିକ ମାନଙ୍କର ସୌରଜଗତ ସମ୍ୱନ୍ଧରେ ଗବେଷଣା କରିବାର ବାଟ ସଫା ହୋଇଗଲା । ସମସ୍ତେ ଜାଣିଲେ ଯେ ପୃଥିବୀ ପୃଷ୍ଠରେ କି ଜଡ଼, କି ଚେତନ, ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁକୁ ଆକର୍ଷଣ କରେ । ପୃଥିବୀର ଆକର୍ଷଣ ସବୁଠାରୁ ବେଶି ଥିବାରୁ ସେ ନିକଟବର୍ତ୍ତୀ ସବୁ ପଦାର୍ଥକୁ ନିଜଆଡ଼କୁ ଟାଣିରଖିଛି । ସେଥିପାଇଁ ଲୋକମାନେ ପରସ୍ପରର ସାମାନ୍ୟ ଆକର୍ଷଣକୁ ଅନୁଭବ କରିପାରନ୍ତି ନାହିଁ । କୌଣସି ପଦାର୍ଥରୁ ଉପରକୁ ଫିଙ୍ଗିଦେଲେ, ତାହା ପୁଣି ତଳକୁ ଫେରିଆସେ । ପୃଥିବୀର ଏହି ପ୍ରବଳ ଆକର୍ଷଣ ଶକ୍ତିକୁ ଏଡ଼ିବାର କ୍ଷମତା କୌଣସି ପଦାର୍ଥର ନାହିଁ । ଏହାହିଁ ମାଧ୍ୟାକର୍ଷଣ ଶକ୍ତିର ମୋଟାମୋଟି ପରିଚୟ ।

ନିଉଟନ୍‌ଙ୍କ ଆବିଷ୍କାରରୁ ଆହୁରି ଜଣାପଡ଼ିଲା ଯେ, ସୌରଜଗତର କେନ୍ଦ୍ର ପ୍ରକାଣ୍ଡ ସୂର୍ଯ୍ୟର ମାଧ୍ୟାକର୍ଷଣ ଶକ୍ତି ଅଛି । ଏହାର ନାମ ମହାକର୍ଷଣ । ସେ ଗ୍ରହମାନଙ୍କୁ ଆକର୍ଷଣ କରୁଥିବା ଯୋଗୁଁ ପୃଥିବୀ, ମଙ୍ଗଳ, ବୁଧ ଆଦି ଗ୍ରହ ତାହାର ଚାରି କଡ଼ରେ ବୁଲୁଛନ୍ତି । ପୁଣି ଗ୍ରହର ଆକର୍ଷଣ ବଳରୁ ଚନ୍ଦ୍ର ମଧ୍ୟ ଗ୍ରହ ଚାରିପାଖରେ ବୁଲୁଛି ।

ମାଧ୍ୟାକର୍ଷଣ ଛଡ଼ା ନିଉଟନ୍‌ଙ୍କର ଛୋଟ ବଡ଼ ଆହୁରି ଅନେକ ଆବିଷ୍କାର ଅଛି । ଆଲୋକରେ ଥିବା ରଙ୍ଗର ଆବିଷ୍କାର ସେଥିମଧ୍ୟରେ ପ୍ରଧାନ । ନିଉଟନ ହିଁ ସର୍ବପ୍ରଥମେ ପୃଥିବୀବାସୀଙ୍କୁ ଜଣାଇଲେ ଯେ ଇନ୍ଦ୍ରଧନୁରେ ଯେଉଁ ସାତପ୍ରକାର ବର୍ଣ୍ଣ ଦେଖାଯାଏ, ସେ ସବୁ-ଗୁଡ଼ିକ ସୂର୍ଯ୍ୟର ଆଲୋକରେ ମିଶିକରି ଅଛି । ଏହି ସାତଟି ବର୍ଣ୍ଣ ଏକାଠି ହୋଇଯାଇ-ଥିବାରୁ ସୂର୍ଯ୍ୟର ଆଲୁଅ ଧଳା ଦେଖାଯାଏ । ସୂର୍ଯ୍ୟ ରାତିରେ କିରଣ ଦେଉ ନ ଥିବାରୁ ଆଲୋକ ଅଭାବରୁ ପୃଥିବୀର ଚାରିଆଡ଼ କଳା ଦିଶେ । ତାଙ୍କର ଏହି ଆବିଷ୍କାରରୁ ଲୋକେ ବର୍ଣ୍ଣ ବିଷୟ ର ନୂଆ ସତ୍ୟ ପାଇଲେ । ସେହିଦିନୁ ଜଣାଗଲା, ନାଲି, ହଳଦିଆ, ନୀଳ, ସବୁଜ, ନାରଙ୍ଗି, ଘନନୀଳ ଓ ବାଇଗଣି––ଏହି ସାତ ପ୍ରକାର ରଙ୍ଗ ମିଶିଗଲେ ତାର ବର୍ଣ୍ଣ ଧଳା ହୋଇଯାଏ ଏବଂ ଏଗୁଡ଼ିକର ଅଭାବରେ କଳାରଙ୍ଗ ହୁଏ । ଏହାକୁ ପରୀକ୍ଷା କରି ସେ ଦେଖୋଇଦେଇଥିଲେ ।

ସାରା ଜୀବନ କଠୋର ପରିଶ୍ରମ କରି ନିଉଟନ୍‌ ବିଜ୍ଞାନ-ଚର୍ଚ୍ଚାର ଲାଗିରହିଲେ । ତାହାରି ଫଳରେ ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗି-ପଡ଼ିଲା । ରାତିରେ ତାଙ୍କୁ ଭଲ ନିଦ ହେଲା ନାହିଁ । ଦେହ ସବୁ ବେଳେ ଦୁର୍ବଳ ଓ ଅବଶ ଲାଗିଲା । ଦିନକୁ ଦିନ ତାଙ୍କ ଅବସ୍ଥା ଖରାପ ଆଡ଼କୁ ଗଲା । ମୁଣ୍ଡ ମୋଟେ ଠିକ୍‌ ରହିଲା ନାହିଁ । ସେତେବେଳକୁ ସେ ଅତି ବୁଢ଼ା । ପାଗଳ ପରି ହୋଇଯିବାରୁ ଚିକିତ୍ସାପାଇଁ ତାଙ୍କୁ ପାଗଳ ଡାକ୍ତରଖାନାକୁ ନିଆଗଲା । ସେଠାରେ ସେ କିଛିଦିନ ରହିଲେ । ବହୁତ ଯତ୍ନର ସହିତ ବଡ଼ ବଡ଼ ଡାକ୍ତରମାନେ ଚିକିତ୍ସା କରିବାରୁ ତାଙ୍କର ମୁଣ୍ଡ-ଗୋଳମାଳ କଟିଗଲା ।

ଆରୋଗ୍ୟ ଲାଭକରି ନିଉଟନ୍‌ ଘରକୁ ଫେରିଲେ ସତ କିନ୍ତୁ ଦେହର ଦୁର୍ବଳତା ଗଲା ନାହିଁ । ସ୍ୱାସ୍ଥ୍ୟ ସେହିପରି ଦରଭଙ୍ଗା ରହିଲା । ବିଜ୍ଞାନ ଚର୍ଚ୍ଚାର ନିଶ ପୁଣି ତାଙ୍କୁ ଧରିଲା । ହେଲେ ବୁଢ଼ାବୟସ ଓ ସ୍ୱାସ୍ଥ୍ୟହାନିରେ ତାହା କରିପାରିବେ କେତେକେ ? ତଥାପି ଚର୍ଚ୍ଚାଦିଗରୁ ସେ ପୂରାପୂରି ମନକୁ ହଟାଇ ଆଣିପାରିଲେ ନାହିଁ । ଦେହ ଓ ମସ୍ତିଷ୍କ ଉପରେ ପୁଣି ପରିଶ୍ରମ ପଡ଼ିବାର ନିଉଟନ୍‌ଙ୍କର ଶେଷ ସମୟ ଆସି ପହଞ୍ଚିଲା । ସେ ରୋଗରେ ପଡ଼ି ଏକାବେଳେ ଶେଯ ଧଇଲେ । ସେହି କାଳ ରୋଗରେ ୧୭୨୭ ଖ୍ରୀଷ୍ଟାବ୍ଦର ମାର୍ଚ୍ଚ ମାସ ୧୮ ତାରିଖରେ ତାଙ୍କର ଜୀବନ-ଦୀପ ଚିରଦିନଲାଗି ଲିଭିଗଲା । ସେତେବେଳକୁ ତାଙ୍କର ବୟସ ୮୫ବର୍ଷ ହୋଇଥିଲା ।

ମଣିଷଜାତିର ମଙ୍ଗଳ ପାଇଁ ଏବଂ ଦୁନିଆକୁ ବିଜ୍ଞାନ-ଧନରେ ଧନୀ କରାଇବା ପାଇଁ ନିଉଟନ୍‌ ଦିନରାତି ଲାଗିପଡ଼ିଥିଲେ । ସେଥିଲାଗି ସେ ଦୁଃଖକଷ୍ଟ, ରୋଗବ୍ୟାଧି, ଏପରିକି ମୃତ୍ୟୁକୁ ସୁଦ୍ଧା ଖାତିର ନକରି ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ କାର୍ଯ୍ୟରେ ଲଗାଇଥିଲେ । ଆମଦେଶର ଗୁଣିଲୋକେ ଯଦି ତାଙ୍କର ଆଦର୍ଶ ଗ୍ରହଣ କରି ମାନବ ସେବାରେ ମନପ୍ରାଣ ଢାଳିଦିଅନ୍ତେ, ତାହାହେଲେ ଭାରତର ଭାଗ୍ୟ ଅଚିରେ ବଦଳିଯାନ୍ତା ।

Image

 

ମେରୁପଥର ଯାତ୍ରୀ

 

ପୃଥିବୀର ଉତ୍ତର ସୀମାରେ ମେରୁ ରାଜ୍ୟ । ଚାରିଆଡ଼େ କେବଳ ବରଫ । ମାଟି ସେଠାରେ ସ୍ୱପ୍ନ । କେଉଁ କେଉଁଠି ପାହାଡ଼ ମୁଣ୍ଡିଆ ପରି ବରଫର ଶିଳାସବୁ ଉପରକୁ ମୁଣ୍ଡ ଟେକିଥାଏ । ପୁଣି କେଉଁ କେଉଁଠି ବରଫଗୁଡ଼ିକ ସମତଳ ହୋଇ ରହିଥାଏ । ଏସ୍କିମୋମାନଙ୍କ ବ୍ୟତୀତ ଆଉ କୌଣସି ଲୋକ ସେଠାରେ ବାସ କରନ୍ତି ନାହିଁ । ବରଫଖଣ୍ଡମାନଙ୍କରେ ଘର ତିଆରି କରି ତାହାରି ଭିତରେ ସେମାନେ କୁଟୁମ୍ୱ ନେଇ ରହିଥାନ୍ତି । ବରଫରେ ରହିଥିବା ସିଲ୍‌, ଉଆଲରସ୍‌, ସିନ୍ଧୁଘୋଟକ ପ୍ରଭୃତି କେତେକ ପ୍ରକାର ପ୍ରାଣୀଙ୍କୁ ଶିକାର କରି ସେହିମାନଙ୍କ ମାଂସକୁ ଆହର କରିବା ସେମାନଙ୍କ ଜୀବନଧାରଣର ପ୍ରଧନା ଉପାୟ । ସେହି ଦିଗନ୍ତ-ଘେରା ବରଫରାଜ୍ୟରେ ଏକ ପ୍ରକାର କୁକୁର, ବଲ୍‌ଗା ହରିଣ ଓ ଧଳାଭାଲୁ ମଧ୍ୟ ରହିଥିବାର ଦେଖାଯାଏ । ଖାଦ୍ୟ ଅଭାବ ଘଟିଲେ ସେମାନଙ୍କର ମାଂସ ମଧ୍ୟ ଖାଦ୍ୟ ରୂପେ ବ୍ୟବହୃତ ହୁଏ ।

 

ମି-ସାମ୍‌-ପୋ ଓ କୁଇ-ଲାଂ-ପୋ ଦୁଇଟି ଏସ୍କିମୋ ଭାଇ । ଉଭୟେ ଭାରି ସାହସୀ ଓ ଚଲାକ ଚତୁର । ବରଫ ରାଜ୍ୟଟା ତାଙ୍କର ଖେଳଭୂଇଁ । ଦୁହେଁ ଦିନେ ସେ ବରଫ ଉପରେ ଏଣେ ତେଣେ ବୁଲୁଥିଲେ । ଗୋଟାଏ ଜାଗାରେ ଭୋକିଲା ଧଳାଭାଲୁଟାଏ ଗୁଡ଼ାଏ ବରଫଶିଳାର ସନ୍ଧିରେ ଲେପଟେଇ ଶୋଇ ରହିଥିଲା । ମି-ସାମ୍‌-ପୋର ତା ଆଡ଼କୁ ମୋଟେ ନଜର ନାହିଁ । ସେହି ବାଟ ଦେଇ ଯାଉ ଯାଉ ହଠାତ୍‌ ଅଜାଣତରେ ଭାଲୁ ଦେହରେ ତାର ଗୋଡ଼ଟା ପଡ଼ିଗଲା । ବିଚରା ଯାଏ କୁଆଡ଼େ ? ସଙ୍ଗେ ସଙ୍ଗେ ଭାଲୁଟା ବୀର ତେଜରେ ଉଠି ପଡ଼ିଲା ଏବଂ ଆଗ-ଗୋଡ଼ ଦୁଇଟା ଟେକି ଦୁଇ ପଞ୍ଜାକୁ ମି-ସାମ୍‌-ପୋର ଦୁଇ କାନ୍ଧରେ ଗଳାଇଦେଇ ତାକୁ ଏକାବେଳକେ କାବୁ କରିଦେଲା ।

 

ମି-ସାମ୍‌-ପୋର ଆଉ କୌଣସି ଅକ୍ତିଆର ରହିଲା ନାହିଁ । ଧଳାଭାଲୁଟା ତାକୁ କବଜରେ ପକାଇ ବରଫ ଉପରେ ଖୁବ୍‌ ଜୋର୍‌ରେ ଛିଞ୍ଚାଡ଼ି ଫିଙ୍ଗିଦେଲା । ମୁହୂର୍ତ୍ତକ ମଧ୍ୟରେ ବିଚରାଟିର ହାଡ଼ସବୁ ମଟମାଟ ହୋଇ ଭାଙ୍ଗିଗଲା । ତା ଜୀବନ ଦୀପଟି ସେଇଠି ଲିଭିଲା ।

 

ଭାଇ ଦେହର ହାଡ଼ଗୁଡ଼ିକ ଭାଙ୍ଗିଯିବାବେଳେ ଯେଉଁ ଶବ୍ଦ ହେଲା, ହଠାତ୍‌ ତାହା କୁଇ-ଲାଂ-ପୋର କାନରେ ପଡ଼ିଲା । ଚାହିଁ ଦିଏ ତ ସବୁ ଶେଷ ହୋଇଯାଇଛି-ଭାଇ ଆଉ ଜୀବନରେ ନାହିଁ । ସେ ପ୍ରଚଣ୍ଡ ରାଗରେ କମ୍ପିଉଠି ସାକ୍ଷାତ୍‌ ଯମଦୂତ ଭଳି ଠିଆ ହୋଇଥିବା ସେହି ଧଳାଭାଲୁର ଆଖିକି ଲାଖ କରି ହାତର ବର୍ଚ୍ଛାଟାକୁ ଛୁଟାଇଦେଲା । ମାତ୍ର ଭାଇର ମୃତ୍ୟୁଦୃଶ୍ୟ ତାମନକୁ ଏଡ଼େ କାତର କରି ପକାଇଥିଲା ଯେ, ବର୍ଚ୍ଛା ଫିଙ୍ଗିଲାବେଳେ ହାତଟା ଟିକିଏ ଥରିଗଲା । ତାହାରି ଫଳରେ ବର୍ଚ୍ଛାଟି ଭାଲୁର ଆଖି ଭିତରେ ଗଳି ଆରପଟକୁ ଫୁଟିଯାଇପାରିଲା ନାହିଁ । ଗୋଟାଏ ଆଖି ଫୁଟାଇଦେଇ ଟିକିଏ ବାଙ୍କିଗଲା ଏବଂ ଭାଲୁର ନାକ ଭିତରେ ପଶିରହିଲା । ଧଳାଭାଲୁ ଅସ୍ତବ୍ୟସ୍ତ ହୋଇଯାଇ ମି-ସାମ୍‌-ପୋର ମଲାଦେହକୁ ଛାଡ଼ିଦେଇ ଏବଂ ଗୋଟାଏ ବିକଟ ଗର୍ଜନ ଛାଡ଼ି କୁଇ-ଲାଂ-ପୋକୁ ବିଦାରି ଖାଇଯିବ ବୋଲି ବିଦ୍ୟୁତ୍‌ ବେଗରେ ଛୁଟି ଆସିଲା ।

 

କାପ୍‌ଟେନ୍‌ ପିୟାରୀ ଗୋଟାଏ ମସ୍ତବଡ଼ ତୁଷାର ମୁଣ୍ଡିଆର ଉଚ୍ଚ ଶିଖରରେ ଦୂରବୀକ୍ଷଣ ଯନ୍ତ୍ର ରଖି ସେତେବେଳେ ବହୁ ଦୂର-ଦୂରାନ୍ତକୁ ଚାହିଁ ରହିଥାନ୍ତି । ତା ଆଗଦିନ ଦଳେ ଏସ୍କିମୋଙ୍କୁ ସିଲ୍‌ ମାରି ଆଣିବା ଲାଗି ସେ ପଠାଇଥିଲେ । ପୁରା ଗୋଟିଏ ଦିନ କଟିଯାଇଥିଲା ବି ସେମାନେ ଏ ପର୍ଯ୍ୟନ୍ତ ଫେରିଲେ ନାହିଁ । ତାହାହେଲେ କଣ ବରଫ ସମୁଦ୍ରରେ ଭାସିଯାଇ କେଉଁଠି ସେମାନେ ମରି ହଜି ଗଲେ ? ପିୟାରୀଙ୍କ ମନରେ ଏହିପରି ସନ୍ଦେହ ହେବାରୁ ସେ ଯନ୍ତ୍ରଟିର ସାହାଯ୍ୟରେ ଚାରିଆଡ଼େ ଆଖିପକାଇ ସେମାନଙ୍କର ଖୋଜ ତଲାସ ନେଉଥିଲେ ।

 

ଅଜଣା ଦେଶରେ କେଉଁଠି ହଜିଯାଇଥିବା ସେହି ଏସ୍କିମୋ ଦଳଟିର ଚିନ୍ତା ପିୟାରୀଙ୍କ ମନକୁ ଏପରି ଆବୋରି ରହିଥିଲା ଯେ ଏଥିଭିତରେ ଧଳାଭାଲୁ ଏତେ କାଣ୍ଡ କରି ସାରିଲାଣି, ସେ କିଛି ବୋଇଲେ କିଛି ଜାଣି ପାରିଲେ ନାହିଁ । ଯେତେବେଳେ ଭାଲୁଟା ଭୀଷଣ ଗର୍ଜନ କରି କୁଇ-ଲାଂ-ପୋ ଆଡ଼କ ଧାଇଁଲା, ସେହି ଶବ୍ଦରେ ପିୟାରୀଙ୍କର ଧ୍ୟାନ ଭଙ୍ଗ ହେଲା । ସେ ଚମକିପଡ଼ି ଦୂରବୀକ୍ଷଣ ଯନ୍ତ୍ରରୁ ଦୃଷ୍ଟି ଫେରାଇ ଆଣିଲେ । ଯାହା ଦେଖିଲେ ସେଥିରେ ତାଙ୍କର କଲିଜା ଥରି ଉଠିଲା ଛାତି ଦମ୍‌ ଦମ୍‌ ହୋଇ ପଡ଼ିଲା-ଉଠିଲା । ମି-ସାମ୍‌-ପୋ ଆଉ କୁଇ-ଲାଂ-ପୋ ଦୁହେଁଯାକ ତାଙ୍କର ଅତି ପ୍ରିୟ ସାଥୀ । ସେଥିରୁ ଜଣକର ଏପରି ଶୋଚନୀୟ ମରଣ ଦେଖି ସେ ଶୋକରେ ଏକାବେଳକେ ଅଥୟ ହୋଇଗଲେ । ଆଉ ଟିକିଏ ବିଳମ୍ୱ ଘଟିଲେ ଆର ସାଥୀଟିର ମଧ୍ୟ ସେହି ଦଶା ହେବ । ଏହା ଜାଣି ସେ ସେହିକ୍ଷଣି ବନ୍ଧୁକଟା ଉଠାଇ ନେଇ ଭାଲୁକୁ ଲକ୍ଷ୍ୟ କରି ଲାଛିଦେଲେ । ଗୁଡ଼ୁମ୍‌ କରି ଗୋଟାଏ ଭୟଙ୍କର ଆବାଜ୍‌ ହେଲା । ଗୁଳି ଛୁଟିଯାଇ ପଲକମାତ୍ର ଧଳାଭାଲୁର ବୁକୁ ଭିତରେ ଗଳିଗଲା । ଜନ୍ତୁଟା ଧାଇଁବା ଅବସ୍ଥାରେ ଓଲଟିପଡ଼ି ସଙ୍ଗେ ସଙ୍ଗେ ସେଇଠି ମରିଗଲା । କୁଇ-ଲାଂ-ପୋର ଭାଗ୍ୟ ସଳଖ; ବଞ୍ଚିଗଲା । ତାହା ନୋହିଥିଲେ ଆଉ ଟିକକେ ସେହି ହିଂସ୍ର ଜନ୍ତୁଟାର ପେଟରେ ପଡ଼ି ହଜମ ହୋଇଯାଇଥାନ୍ତା ।

 

ଏହାପରେ କାପ୍‌ଟେନ୍‌ ପିୟାରୀ ବରଫସ୍ତୂପ ଉପରୁ ଓହ୍ଲାଇ ଆସିଲେ । ସେ ଓ କୁଇ-ଲାଂ-ପୋ ଦୁହେଁ ମିଶି ମି-ସାମ୍‌-ପୋର ଶବକ୍ତ ବରଫ ଗର୍ଭରେ ସମାଧି ଦେଲେ । ଭାଇର ମୃତ୍ୟୁ କୁଇ-ଲାଂ-ପୋର ହୃଦୟକୁ ଶୋକରେ ଭରିଦେଲା ସତ; ମାତ୍ର ସେ ଆଦୌ ଧୈର୍ଯ୍ୟ ହରାଇଲା ନାହିଁ-। ପିୟାରୀଙ୍କୁ ଜୀବନ ଦେଇ ସାହାଯ୍ୟ କରିବା ପାଇଁ ସେ ପ୍ରତିଜ୍ଞା କରିଛି । ତେଣୁ କିଛି ସମୟ ପରେ ମନରୁ ସବୁ ଶୋକ ପୋଛିଦେଇ ଧଳାଭାଲୁର ପ୍ରକାଣ୍ଡ ଦେହଟାକୁ କାଟି ଖଣ୍ଡବିଖଣ୍ଡ କରିପକାଇଲା । ତାପରେ ସେଗୁଡ଼ିକୁ ସ୍ଳେଜଗାଡ଼ିରେ ନେଇ ଭର୍ତ୍ତି କରିଦେଲା । ଯେଉଁ ସ୍ଥାନରେ ସାଥିମାନେ ଦଳବାନ୍ଧି ରହିଥିଲେ, ଦୁହେଁ ମିଶି ଏବେ ସେହିଠାକୁ ଚାଲିଲେ ।

 

ଏହି ପିୟାରୀ କିଏ ?

 

ଜାଣିବାକୁ ନିଶ୍ଚୟ ସମସ୍ତଙ୍କର ଆଗ୍ରହ ହେଉଥିବ । ତାଙ୍କର ପୂରା ନାମ ହେଉଛି କ୍ୟାପଟେନ୍‌ ରବର୍ଟ ଏଡ୍‍ଉଇନ ପିୟାରୀ । ତାଙ୍କ ଘର ଆମେରିକାରେ । ସେ ୧୮୫୭ ଖ୍ରୀଷ୍ଟାବ୍ଦରେ ଜନ୍ମିଥିଲେ । ଇଞ୍ଜିନିୟରିଂକଲେଜରୁ ପାସ୍‌କରିବାପରେ ଯୁକ୍ତରାଷ୍ଟ୍ର ନୌବିଭାଗରେ ତାଙ୍କୁ ଇଞ୍ଜିନିୟର କାର୍ଯ୍ୟ ମିଳିଲା । କେତେକ ବର୍ଷ ଚାକିରି କଲାପରେ ସେ ସେହି ବିଭାଗର ଅଧ୍ୟକ୍ଷ ବା କ୍ୟାପଟେନ୍‌ ପାହିଆକୁ ଉଠିଲେ । ନୌବିଭାଗରେ ଚାକିରୀ କରିଥିବାରୁ ଅଧିକାଂଶ ସମୟରେ ତାଙ୍କୁ ସମୁଦ୍ର ଯାତ୍ରା କରିବାକୁ ପଡ଼ୁଥାଏ । କ୍ରମେ ସମୁଦ୍ର-ରାଜ୍ୟରେ ତାଙ୍କର ଗତି ଏତେ ବେଶି ହୋଇଗଲା ଯେ, ଅଥଳ ଅକୂଳ ଦରିଆର ଯେ କୌଣସି ଅଜଣା ସ୍ଥାନକୁ ଯିବାପାଇଁ ମଧ୍ୟ ତାଙ୍କୁ ଭୟ ଲାଗିଲା ନାହିଁ ।

 

ସେତେବେଳେ ପୃଥିବୀର ଉତ୍ତର ଓ ଦକ୍ଷିଣମେରୁ ମଣିଷ ସମାଜର ଆଖିରେ ଏକ ରହସ୍ୟମୟ ଗୁପ୍ତ ରାଜ୍ୟ ହୋଇ ରହିଥାଏ । ଏ ଯେଉଁ ସମୟର କଥା କୁହାଯାଉଛି, ତାର ପ୍ରାୟ ଅଢ଼େଇଶହ ବର୍ଷ ଆଗଠାରୁ ଅନେକ ସାହସୀ ଲୋକ ଉତ୍ତର ମେରୁ ଆବିଷ୍କାର କରିବାପାଇଁ ଚେଷ୍ଟା କରି ଆସୁଥାନ୍ତି; କେହିହେଲେ ସେଥିରେ କୃତକାର୍ଯ୍ୟ ହୋଇ ପାରି ନ ଥାନ୍ତି । ଏବେ କାପ୍‌ଟେନ୍‌ ପିୟାରୀଙ୍କର ପ୍ରବଳ ଇଚ୍ଛା ହେଲା, ସେ କିପରି ଉତ୍ତରମେରୁକୁ ଯାଇ ସେହି ବିଚିତ୍ର ତୁଷାରରାଜ୍ୟ ଦେଖିବେ ଏବଂ ତାହାର ଅଜଣା ବୃତ୍ତାନ୍ତ ପୃଥିବୀବାସୀଙ୍କୁ ଆସି ଶୁଣାଇବେ ।

 

ତାହା ପୂର୍ବରୁ ନାନ୍‌ସେନ ନାମରେ ନରଓୟେ ଦେଶର ଜଣେ ନାବିକ ଉତ୍ତରମେରୁ ଆବିଷ୍କାର କରିବାପାଇଁ ଚେଷ୍ଟା କରିଥିଲେ । ସେ ସମୁଦ୍ରପଥରେ ଗୋଟିଏ ଜାହାଜରେ ଯାଇଥିଲେ, ମାତ୍ର ବାଟରେ ଜମାଟ ବରଫ ପଡ଼ିଥିବାରୁ ତାହା ମଧ୍ୟଦେଇ ଜାହାଜଟି ଆଉ ଆଗକୁ ଯାଇପାରିଲା ନାହିଁ । ବହୁ କଷ୍ଟରେ ନାନ୍‌ସେନ୍‌ ୮୪ ଡିଗ୍ରୀ ଉତ୍ତର ଅକ୍ଷାଂଶ ପର୍ଯ୍ୟନ୍ତ ଯାଇ ସେହିଠାରୁ ଫେରି ଆସିବାକୁ ବାଧ୍ୟ ହେଲେ । ମେରୁ ରାଜ୍ୟର ଅନେକ ତଥ୍ୟ ସଂଗ୍ରହ କରି ଆଣିଲେ । ଯେଉଁ ବାଧାବିଘ୍ନ ଓ କଷ୍ଟ ଅସୁବିଧା ତାଙ୍କୁ ଭୋଗ କରିବାକୁ ପଡ଼ିଲା, ତାହା ମଧ୍ୟ ଡାଏରୀ ବହିରେ ଟିପି ଆଣିଲେ । ନିଜ ଦେଶକୁ ଫେରିବା ପରେ ନାନ୍‌ସେନ୍‌ ସେହି ସମସ୍ତ ବିଷୟ ପୃଥିବୀବାସୀଙ୍କୁ ଜଣାଇଲେ ।

 

ନାନ୍‌ସେନ୍‌ଙ୍କ ମେରୁ ଅଭିଯାନ କାହାଣୀ ଓ ଅଭିଜ୍ଞତା କାପ୍‌ଟେନ୍‌ ପିୟାରୀଙ୍କୁ ଯଥେଷ୍ଟ ସାହାଯ୍ୟ କଲା । ଉତ୍ତରମେରୁକୁ ଯିବାପାଇଁ ତାଙ୍କ ମନ ଅତ୍ୟନ୍ତ ଚଞ୍ଚଳ ହୋଇ ଉଠିଲା । ସେ ନିଜ ଦେଶ ଛାଡ଼ି କେତେ ଜଣ ସଙ୍ଗୀ ଘେନି ଜାହାଜରେ ମେରୁପଥକୁ ଯାତ୍ରା ଆରମ୍ଭ କଲେ । ୧୮୯୧ ମସିହାରେ ଗ୍ରୀନ୍‌ଲାଣ୍ଡରେ ପହଞ୍ଚି ତାର ଉତ୍ତରପଟରେ ଥିବା ବରଫପୂର୍ଣ୍ଣ ଉପକୂଳକୁ ସେ ଭଲଭାବରେ ବୁଲି ଦେଖିଲେ । ଗ୍ରୀନ୍‌ଲାଣ୍ଡ ଯେ ଗୋଟାଏ ଦ୍ୱୀପ, ଏ କଥା ଆଗରୁ କେହି ଜାଣି ନଥିଲେ । ପିୟାରୀ ହିଁ ଗ୍ରୀନ୍‌ଲାଣ୍ଡକୁ ଦ୍ୱୀପ ବୋଲି ସର୍ବପ୍ରଥମେ ଘୋଷଣା କଲେ । ତାଙ୍କ ଜାହାଜ ଜମାଟ ବରଫ ମଧ୍ୟରେ ଅଟକିଯିବାରୁ ଅଧିକ ଉତ୍ତରକୁ ଜାହାଜ ନେବା ସେଥର ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ । ମାତ୍ର ଶୀଘ୍ର ଆମେରିକାକୁ ଫେରି ଯିବାପାଇଁ ମଧ୍ୟ ତାଙ୍କର ମନ ବଳିଲା ନାହିଁ-। ତେଣୁ ସେ ଗ୍ରୀନ୍‌ଲାଣ୍ଡରେ ପ୍ରାୟ ତିନିବର୍ଷ କାଳ କଟାଇଲେ ଏବଂ ସେଠାରେ ଏସ୍କିମୋମାନଙ୍କ ସହିତ ମିଳିମିଶି ରହି ମେରୁ ଅଞ୍ଚଳ ବିଷୟରେ ଅନେକ କଥା ଜାଣିଲେ । ନାନ୍‌ସେନ୍‌ଙ୍କ ଅଭିଜ୍ଞତା ସହିତ ନିଜର ଅଭିଜ୍ଞତା ମିଶିଗଲା ପରେ ପିୟାରୀ ମେରୁ ଅଭିଯାନ ପାଇଁ ବିଶେଷ ଉତ୍ସାହିତ ହେଲେ । ସେ ଦିନ ଯେ ଉତ୍ତର ମେରୁ ନିଶ୍ଚୟ ଆବିଷ୍କାର କରିବେ, ଏ ଆଶା ତାଙ୍କର ଦୃଢ଼ ହେଲା ।

 

ପ୍ରଥମ ଥରର ଏହି ଅଭିଯାନରେ ଜାହାଜ ଛାଡ଼ି କାପ୍‌ଟେନ୍‌ ପିୟାରୀ ଯେଉଁପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ, ଉତ୍ତର ମେରୁ ସେଠାରୁ ଦୁଇ ଶହ ମାଇଲ ବାକୀ ଥିଲା । ପ୍ରକୃତିର ଉତ୍ପାତ ଓ ଉଡ଼ନ୍ତାଝଡ଼ର ତୋଡ଼ ଏତେ ପ୍ରବଳ ହେଲା ଯେ, ସେ ସେହିଠାରୁ ପଛେଇ ଆସିବାକୁ ବାଧ୍ୟ ହୋଇଥିଲେ ।

 

ତାଙ୍କର ଦ୍ୱିତୀୟ ଥରର ଅଭିଯାନ ହେଲା ୧୯୦୮ ମସିହାରେ । ସେହି ବର୍ଷ ଜୁଲାଇ ମାସରେ ସେ ଆମେରିକାର ନିଉୟର୍କ ବନ୍ଦରଠାରୁ ‘ରୁଜ୍‌ଭେଲଟ୍‌’ ନାମକ ଜାହାଜରେ ଦଳବଳ ଘେନି ଯାତ୍ରା ଆରମ୍ଭ କଲେ । କିଛିକାଳ ପରେ ଜାହାଜ ଆସି କଲମ୍ୱିଆ ଅନ୍ତରୀପରେ ପହଞ୍ଚିଲା । ସେଠାରେ ଗୋଟାଏ ବଡ଼ ଡେରା ପଡ଼ିଲା । ତା ମଧ୍ୟରେ ଅନେକ ଖାଦ୍ୟଦ୍ରବ୍ୟ ମହଜୁଦ ରଖାଗଲା-। ଆଗରୁ ଏସବୁ ସାଇତି ରଖିଯାଇ ନ ଥିଲେ ଫେରିଲାବେଳେ ପୁଣି କଅଣ ଖାଇବେ-? ଦଳର ଗୁଡ଼ିଏ ଲୋକଙ୍କୁ ମଧ୍ୟ ପିୟାରୀ ଏହି ଡେରାରେ ଛାଡ଼ିଦେଇଥିଲେ । ସମସ୍ତେ ସଙ୍ଗରେ ଗଲେ ବାଟରେ ଏତେ ଲୋକଙ୍କ ପାଇଁ ଖାଦ୍ୟ କାହୁଁ ମିଳିବ ?

 

କଲମ୍ୱିଆ ଅନ୍ତରୀପକୁ ପଛରେ ପକାଇ ଜାହାଜ ଆଗେଇ ଚାଲିଲା । କ୍ରମେ ଗ୍ରୀନ୍‌ଲାଣ୍ଡର ପଶ୍ଚିମ ପାଖ ଦେଇ ଆଗକୁ ଆଗକୁ ଗତି କରିବାକୁ ହେଲା । ଏ ଅଞ୍ଚଳରେ ଶୀତଦିନେ ସମୁଦ୍ର ପାଣି ବରଫ ପାଲଟି ଜମାଟ ବାନ୍ଧିଯାଏ । ତା ଭିତରେ ଜାହାଜ ଆଉ ଚାଲି ପାରେନାହିଁ । ତେଣୁ ଶୀତ ପଡ଼ିବା ପୂର୍ବରୁ ଗ୍ରୀନ୍‌ଲାଣ୍ଡର ଶେଷ ମୁଣ୍ଡରେ ପହଞ୍ଚିବା ପାଇଁ ପିୟାରୀ ଲକ୍ଷ୍ୟ ରଖିଲେ । ତାଙ୍କର ଆଶା ପୂର୍ଣ୍ଣହେଲା । ଶେଷରେ ଜାହାଜ ଯାଇ ଗ୍ରୀନ୍‌ଲାଣ୍ଡ ଧରିଗଲା । ଗ୍ରାଣ୍ଟ୍‌ଲାଣ୍ଡ ହେଉଛି ଗ୍ରୀନ୍‌ଲାଣ୍ଡ ଦ୍ୱୀପର ଉତ୍ତର ପଟର ଶେଷପ୍ରାନ୍ତ । ଏହିଠାରେ ସେରିଡ଼ାନ୍‌ ନାମକ ଗୋଟିଏ ଅନ୍ତରୀପ ଅଛି । ପିୟାରୀଙ୍କ ଜାହାଜ ଏହି ସେରିଡ଼ାନ ଅନ୍ତରୀପରେ ନଙ୍ଗର ପକାଇ ରହିଲା ।

 

ସେରିଡ଼ାନଠାରୁ ତେଣିକି ଉତ୍ତରମେରୁ ପର୍ଯ୍ୟନ୍ତ ଚିରତୁଷାରେ ବିରାଟ ରାଜ୍ୟ । ବର୍ଷର ଛଅମାସ କ୍ରମାଗତ ସେଠାରେ ସୂର୍ଯ୍ୟାଲୋକ ପଡ଼େ । ସୂର୍ଯ୍ୟଦେବ ମୋଟେ ଅସ୍ତ ହୁଅନ୍ତି ନାହିଁ । ବାକୀ ଛଅମାସ କେବଳ ରାତି ହୁଏ । ସେତେବେଳେ ‘ଅରୋରା’ ବୋଲି ଏକପ୍ରକାର କ୍ଷୀଣ ଆଲୋକ ଦେଖାଯାଏ । ଆମ ଭାଷାରେ ସେହି ଆଲୁଅରେ ନାମ ଦିଆଯାଇଛି ‘ମେରୁପ୍ରଭା’ ବା ‘ମେରୁ ଜ୍ୟୋତି’ ।

 

ଅଳ୍ପଦିନ ପରେ ଶୀତ ଆସିଲା । କାପ୍‌ଟେନ୍‌ ପିୟାରୀ ସେହି ସେରିଡ଼ାନ୍‌ ଅନ୍ତରୀପରେ ପୂରା ଶୀତକାଳଟି କଟାଇଲେ । ଶୀତ ଯେମିତି କମିଆସିଲା, ଯାତ୍ରୀ ଦଳର ଦରକାର ମୁତାବକ ସେ କିଛି ଖାଦ୍ୟଦ୍ରବ୍ୟ ପାଖରେ ରଖିଲେ, ଆଉ କିଛି ଜାହାଜର ନାବିକ-ମାନଙ୍କୁ ଦେଲେ ଏବଂ ବଳକା ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷତକ କଲମ୍ୱିଆ ଅନ୍ତରୀପର ଡେରା ଘରକୁ ପଠାଇଦେଲେ ।

 

୧୯୦୯ ମସିହାର ଫେବୃୟାରୀ ମାସ ଆସିଗଲା । ଶୀତର ପ୍ରକୋପ କମିଯାଇଛି । ସବୁପ୍ରକାର ଆୟୋଜନ ଶେଷ କରୁ କରୁ ଫେବୃୟାରୀ ସାତ ତାରିଖ ହୋଇଗଲା । ଏଥର ମେରୁ ପଥରେ ଯାତ୍ରା ଆରମ୍ଭ କରିବାର କଥା । ସେଥିମଧ୍ୟରେ କେତେଜଣ ଏସ୍କିମୋଙ୍କ ସହିତ ବାର୍ଟଲେଟ ନାମକ ଜଣେ ଚତୁର ସଙ୍ଗୀକୁ ସେ ଆଗତୁରା ପଠାଇଦେଇଥାନ୍ତି । ବାର୍ଟଲେଟ ସେହି ଏସ୍କିମୋମାନଙ୍କ ସାହାଯ୍ୟରେ ଆଗକୁ ଆଗକୁ ବରଫର ଚଟିଘର ସବୁ ତିଆରି କରି କରି ଚାଲିବେ-। ତାଙ୍କ ସଙ୍ଗରେ କେତେ ଖଣ୍ଡ ସ୍ଳେଜଗାଡ଼ି ଥାଏ । ତହିଁରେ ସେ ଜିନିଷପତ୍ର ଓ ଖାଇବାଦ୍ରବ୍ୟମାନ ବୋହି ନେଇ ଚଟିଘରମାନଙ୍କରେ ରଖିଯାଉଥିବେ । ପିୟାରୀଙ୍କ ଅଭିଯାନକାରୀ ଦଳ ସେହି ବରଫଘରମାନଙ୍କରେ ପହଞ୍ଚି ଗଚ୍ଛିତ ଖାଦ୍ୟ ଖାଇବେ ଏବଂ ଜିନିଷପତ୍ର ବ୍ୟବହାର କରିବେ । ଏହାହିଁ ହେଲା ଚଟିଘର ସବୁ ଆଗରୁ ଗଢ଼ି ରଖିବାର ଉଦ୍ଦେଶ୍ୟ ।

 

ଏହିରୂପେ ଶେଷ ବ୍ୟବସ୍ଥା କରିସାରି ଫେବୃୟାରୀ ୮ ତାରିଖ ଦିନ କାପଟେନ୍‌ ପିୟାରୀ ଉତ୍ତର-ମେରୁଆଡ଼କୁ ପଦଯାତ୍ରା ଆରମ୍ଭ କଲେ । ତାଙ୍କ ଦଳରେ ରହିଲେ ୭ ଜଣ ଆମେରିକାବାସୀ, ୧୭ ଜଣ ଏସ୍କିମୋ, ୧୩୩ଟି କୁକୁର, ୧୯ଟି ସ୍ଳେଜ୍‌ଗାଡ଼ି ଏବଂ ୧୨ ଖଣ୍ଡ ‘କାୟାକ୍‌’ ଡଙ୍ଗା । କାୟାକ୍‌ ହେଉଛି ଏକପ୍ରକାର ସରୁଆ ଓ ହାଲୁକା ଛୋଟ ଡଙ୍ଗା । ଏସ୍କିମୋମାନେ ଏହା ବ୍ୟବହାର କରନ୍ତି । ଏଗୁଡ଼ିକ ଛଡ଼ା କୁକୁରଙ୍କ ଖାଇବାଲାଗି ଯଥେଷ୍ଟ ଉଆଲ୍‌ରସ-ମାଂସ ଏବଂ ଦଳର ଲୋକଙ୍କ ପାଇଁ ଖାଦ୍ୟଦ୍ରବ୍ୟ ସଙ୍ଗରେ ନିଆଗଲା ।

 

ଉପରେ ମି-ସାମ-ପୋ ଓ କୁଇ-ଲାଂ-ପୋ ସହିତ ଧଳାଭାଲୁର ଯେଉଁ ବିବରଣ ଦିଆଯାଇଛି, ତାହା ଉତ୍ତରମେରୁକୁ ଯିବା ବାଟରେ ବାର୍ଟଲେଟ୍‌ଙ୍କ ତିଆରି ଗୋଟିଏ ଚଟିଘର ପାଖରେ ଘଟିଥିଲା । ସେହି ଚଟିଘରଟିରେ ସେତେବେଳେ ପିୟାରୀଙ୍କ ଦଳ ବିଶ୍ରାମ ନେଇଥିଲେ । କୁଇ-ଲାଂ ପୋ ଧଳାଭାଲୁକୁ କାଟି ଯେଉଁ ମାଂସ ସ୍ଳେଜ୍‌ଗାଡ଼ିରେ ଭର୍ତ୍ତିକରି ଆଣିଥିଲା, ତାହା ଓଜନରେ ପାଞ୍ଚ ଛଅ ମହଣରୁ କମ୍‌ ହେବ ନାହିଁ । ପିୟାରୀ ସେହି ମାଂସକୁ ସେରିଡାନ୍‌କୁ ପଠାଇଦେଲେ । ସେଠାରେ ଥିବା ରୁଜଭେଲଟ୍‌ ଜାହାଜରେ ଯେଉଁ ନାବିକମାନେ ଥିଲେ, ସେମାନେ କେତେଦିନ ହେଲା ମାଂସ ଖାଇବାକୁ ପାଇ ନ ଥିଲେ । ମାଂସ ପାଇବା ଆଶାରେ ଚାରିଆଡ଼େ ଖୋଜି ସେ ଅଞ୍ଚଳଯାକକୁ ସେମାନେ ଯେମିତି ଚଷି ପକେଇଥିଲେ । ଏବେ ଗୁଡ଼ାଏ ଭାଲୁମାଂସ ଦେଖି ସମସ୍ତେ ଆନନ୍ଦରେ ନାଚି ଉଠିଲେ । ସେତକ ମହା ଖୁସିରେ କିଛିଦିନ ଖାଇ ସେମାନେ ଜିଭର ଲାଳସା ତୁଟାଇଲେ ।

 

କାପ୍‌ଟେନ୍‌ ପିୟାରୀଙ୍କ ଦଳ ଗୋଟିକ ପରେ ଗୋଟିଏ ଚଟିଘର ଟପି ଆଗକୁ ଆଗକୁ ମାଡ଼ି ଚାଲିଲେ । ବରଫର ଉଚ୍ଚାନୀଚା ପିଠି ଉପରେ ପ୍ରାୟ ୨୦ ଦିନ ସେମାନେ ଦୁଃଖକଷ୍ଟେ ଚାଲିଚାଲି ଗଲେ । ତା ପରେ ପଡ଼ିଲା ବିସ୍ତର ଅସୁବିଧା ଓ ଦୁସ୍ତର ବାଧାବିଘ୍ନ । ବରଫ ସବୁ ଭାଙ୍ଗିଯାଇ ସେହିଠାରୁ ଖୋଲା ସମୁଦ୍ର ବାହାରିପଡ଼ିଛି । ଡାଆଁ, ବାଆଁ ଓ ସାମନା ଯେତେଆଡ଼େ ପିୟାରୀ ଦୃଷ୍ଟିପକାଇଲେ, ସବୁଠି ନୀଳ ଜଳର ଗୋଟାଏ ଗୋଟାଏ ଖାଡ଼ି ‘ଅରୋରା’ ର ଝାପ୍‌ସା ଆଲୁଅରେ ବେଶ୍‌ ବାରି ହୋଇ ଦିଶିଲା । ସେହି ସବୁ ଖାଡ଼ିର ମଝିରେ ମଝିରେ ଧୋବଲା ବରଫର ସ୍ତୂପମାନ ଭାସିରହି ଭାରି ଚମତ୍କାର ଦେଖାଯାଉଥାଏ––ସତେ ଯେପରି ଶ୍ୱେତପଦ୍ମର ସ୍ତବକ ଠାଏ ଠାଏ ଶୋଭାପାଉଛି ।

 

ଏବେ ସମୁଦ୍ର ଭିତର ଦେଇ ଯିବେ କିପରି ? କେତେ ଖଣ୍ଡ କାୟାକ ଡଙ୍ଗୀ ତ ସଙ୍ଗରେ ଥାଏ । ପିୟାରୀ ସେଗୁଡ଼ିକ ପାଣିରେ ଛାଡ଼ିବାକୁ ଭାବିଲେ; କିନ୍ତୁ ଶେଷରେ ତାହା ଉଚିତ ନୁହେଁ ବୋଲି ସ୍ଥିରକଲେ । ଏହି ଡଙ୍ଗୀଗୁଡ଼ିକ ଏତେ ସାନ ଓ ନଳିଆ ଯେ, ତା ଉପରେ ଜଣକରୁ ବେଶି ଲୋକ ମୋଟେ ଯାଇ ହେବ ନାହିଁ । କେବଳ ଏସ୍କିମୋ ହିଁ କାୟାକ ବାହିବାର କଦର ଜାଣନ୍ତି । ସେମାନଙ୍କ ଛଡ଼ା ଅନ୍ୟ ଯେ କୌଣସି ଦେଶର ଯେତେ ବିଚକ୍ଷଣ ନାବିକ ହେଉପଛେ, ତାକୁ କାୟାକ୍‌ ଉପରେ ବସାଇ ପାଣିରେ ଛାଡ଼ିଦେଲେ, ଦିନର ଉଜ୍ଜ୍ୱଳ ଆଲୁଅରେ ମଧ୍ୟ ଡଙ୍ଗାଟି ବାହିବା ତା ପକ୍ଷରେ କାଠିକର ପାଠ ହୋଇଉଠିବ । ଏବେ ତ ସହଜେ ଚିରରାତ୍ରିର ଅନ୍ଧକାର; ପାଖରେ କେତେକ ଏସ୍କିମୋ ଥିଲେ ମଧ୍ୟ ଏଭଳି ରାତ୍ରି ଅବସ୍ଥାରେ ଅଜଣା ଅଦେଖା ଖାଡ଼ି ଗର୍ଭରେ ଡଙ୍ଗୀ ଭସାଇଦେବା ଯେ ଅବିବେଚନାର କାର୍ଯ୍ୟ ହେବ, ଏହା ବିବେକୀ ପିୟାରୀ ବେଶ୍‌ ବୁଝିପାରିଲେ । ସେପରି ଚେଷ୍ଟା ଆଦୌ ସଙ୍ଗତ ନୁହେଁ ବୋଲି ତାଙ୍କର ଶେଷ ନିଷ୍ପତ୍ତି ହେଲା ।

 

ଜାଣି ଜାଣି ବିପଦର ମୁହଁକୁ ଡେଇଁ ପଡ଼ିବାରେ ଲାଭ କଣ ? ସୁଯୋଗ କାଳ ଆସିବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଅପେକ୍ଷା କରି ରହିବା ସବୁଠାରୁ ବୁଦ୍ଧିଆ କାମ । ମେରୁମଣ୍ଡଳର ସେ ଯେଉଁ ଅଗମ୍ୟ ଅପନ୍ତରା ଜାଗା, ସେଠି କେବଳ ପ୍ରକୃତି ହିଁ ସର୍ବେସର୍ବା । ମଣିଷ ସେଠି ପ୍ରକୃତି ହାତରେ ସାମାନ୍ୟ ପିତୁଳି ମାତ୍ର । ସେ ଯେପରି ନଚାଇବ, ମଣିଷ ସେପରି ନାଚିବ । ସେଠିକାର ଝଡ଼, ବରଫ, ଛଅମାସ ଦିନ ଆଉ ଛଅମାସ ରାତି, ଏଥିମଧ୍ୟରୁ କୌଣସି ଗୋଟିକ ଉପରେ ସୁଦ୍ଧା ତିଳେ ହେଲେ ମଣିଷର ଅକ୍ତିଆର ନାହିଁ ।

 

କାପ୍‌ଟେନ ପିୟାରୀ ସଙ୍ଗୀମାନଙ୍କ ସହିତ ସେହି ଖାଲର ଧାରରେ ନିଶ୍ଚଳ ହୋଇ ବସିରହିଲେ । ଦିନେ ଦିନେ ହୋଇ ଛଅଦିନ ସମୟ କଟିଗଲା । ପିୟାରୀଙ୍କ କଠୋର ସଙ୍କଳ୍ପ ଓ ଦୁଃସାଧ୍ୟ ସାଧନା ଦେଖି ପ୍ରକୃତି ବୋଧହୁଏ ପ୍ରସନ୍ନ ହେଲା । ଉତ୍ତର ମେରୁର ବାର୍ତ୍ତା ଜଗତର କାନରେ ପହଞ୍ଚାଇବା ପାଇଁ ସେ ପିୟାରୀଙ୍କ ଆଗରୁ ବିଘ୍ନଜାଲଟି ଅପସାରଣ କରିନେଲା ।

 

ସେ ଦିନ ମାର୍ଚ୍ଚ ମାସର ପାଞ୍ଚ ତାରିଖ । ହଠାତ୍‌ ଆକାଶର ଗୋଟାଏ କୋଣରୁ ଆଲୋକର ରେଖା ଫିଟିଆସିଲା । ପରେ ପରେ ହେଲା ସୂର୍ଯ୍ୟୋଦୟ । ଏହି ଦିନ ମେରୁମଣ୍ଡଳର ଛଅମାସବ୍ୟାପୀ ରାତ୍ରୀକାଳ କଟିଗଲା, ଆଉ ପହଞ୍ଚିଲା ଛଅମାସବ୍ୟାପୀ ଦିନର ଆରମ୍ଭ ବେଳା । ସୂର୍ଯ୍ୟଦେବଙ୍କ ମୁହଁ ଦେଖିଲାମାତ୍ରେ ଅଭିଯାନକାରୀମାନଙ୍କ ହୃଦୟ ଅସୀମ ଉତ୍ସାହରେ ପୂର୍ଣ୍ଣ ହୋଇ ଉଠିଲା । ସଙ୍ଗେ ସଙ୍ଗେ ଖାଡ଼ି ପାର ହେବାର ବ୍ୟବସ୍ଥା ହୋଇଗଲା । କେତେଗୁଡ଼ିଏ ଲୋକଙ୍କୁ ଏହିଠାରୁ ସେରିଡ଼ାନକୁ ଫେରାଇଦିଆଗଲା । କାରଣ ଦଳରେ ବେଶି ଲୋକ ବେଶିଦିନ ରହିଲେ ବହୁତ ରସଦ ଖର୍ଚ୍ଚ ହେବ । ରାସ୍ତା ଏଣିକି ଏତେ ଅସୁବିଧା ପଡ଼ିବ ଯେ, ଅଧିକ ପରିମାଣରେ ରସଦ ସଙ୍ଗରେ ନେଇ ହେବନାହିଁ । ତେଣୁ ଦଳର ସଂଖ୍ୟା କମାଇଦେବା-ଛଡ଼ା ଅନ୍ୟ ଉପାୟ ନ ଥିଲା ।

 

ଯେତେ ଲୋକ ସ୍ଳେଜଗାଡ଼ି, କୁକୁର ଓ ଖାଦ୍ୟଦ୍ରବ୍ୟ ସମେତ ଅନ୍ୟାନ୍ୟ ମାଲମତା ଯିବାର କଥା, ସମସ୍ତଙ୍କୁ ଏସ୍କିମୋମାନେ କାୟାକଦ୍ୱାରା ଖୁବ୍‌ ସାବଧାନରେ ଖାଡ଼ି ପାର କରାଇଦେଲେ । ଖାଡ଼ି ପରେ ପୁଣି ପଡ଼ିଲା କଠିନ ବରଫରାଜ୍ୟ । ତାହାରି ଉପର ଦେଇ ପିୟାରୀ ଓ ତାଙ୍କ ଦଳ ଅପୂର୍ବ ଉତ୍ସାହରେ ଆଗକୁ ମାଡ଼ି ଚାଲିଲେ । ବାଟଲେଟ ପୂର୍ବଭଳି ଚଟିଘର ଗଢ଼ି ଗଢ଼ି ଯାଉଥାନ୍ତି । ତେଣୁ ଦଳଟି ପ୍ରତିଦିନର ଯାତ୍ରା ଶେଷରେ ସେହି ଚଟିଘରେ ରହି ଆରାମ ନିଅନ୍ତି । ବିଶେଷ କିଛି ଅସୁବିଧା ହେଲା ନାହିଁ । ରାତି ତ ନାହିଁ ଯେ ଦିନ କେତେବେଳେ ଶେଷ ହେଲା ଜାଣି ହେବ ? ତେଣୁ ଘଣ୍ଟା ଦେଖି ବିଶ୍ରାମ କରିବାର ସମୟ ଓ ଶୋଇବାର ସମୟ ସେମାନଙ୍କୁ ସ୍ଥିର କରିବାକୁ ହେଉଥାଏ ।

 

ପିୟାରୀ ମଝିରେ ମଝିରେ ଲୋକ କମାଇବାରେ ଲାଗିଥାନ୍ତି । କାରଣ ଶେଷକୁ ଯେଉଁତକ ରହିବେ, ସେମାନେ ସମସ୍ତଙ୍କଠୁଁ ସାହସୀ ଓ ହେମତ୍‌ଦାର ହେବା ଉଚିତ । ଲୋକ ଅନୁପାତରେ ସ୍ଳେଜଗାଡ଼ି ଓ କୁକୁର ମଧ୍ୟ କମୁଥାନ୍ତି । ଏହିରୂପେ ପ୍ରାୟ ପଚିଶଦିନ ଚାଲିବାପରେ ଜଣାଗଲା, ମେରୁସ୍ଥଳ ଆଉ ଶହେ ତିରିଶ ମାଇଲ ଅଛି । ସେତେବେଳେ ତାଙ୍କ ସଙ୍ଗରେ ରହିଲେ ମୋଟେ ପାଞ୍ଚ ଜଣ ଲୋକ, କେତୋଟି କୁକୁର ଓ ସ୍ଳେଜ୍‌ଗାଡ଼ି । ସେହି ପାଞ୍ଚଜଣଙ୍କ ମଧ୍ୟରୁ ଚାରିଜଣ ହେଉଛନ୍ତି ବଛା ବଛା ଏସ୍କିମୋ ଓ ଆରଟି ହେନ୍‌ସନ୍‌ ନାମରେ ଆମେରିକାରେ ଜଣେ କୃଷ୍ଣକାୟ ଲୋକ ।

 

କାପ୍‌ଟେନ ପିୟାରୀ ମନେ ମନେ ସ୍ଥିର କଲେ, ଦିନକୁ ହାରାହାରି ପଚିଶ ମାଇଲ ବେଗରେ ଗତି କରିବେ । ପାଖରେ ତ ସ୍ଳେଜ୍‌ଗାଡ଼ି ସ କୁକୁର ଅଛନ୍ତି, ଚିନ୍ତା କଣ ? ଏଇ ସ୍ଳେଜ୍‌ ଏକ ମଉଜିଆ ଧରଣର ଗାଡ଼ି । ଏଥିରେ ଚକ ନ ଥାଏ । ଦୁଇ ଖଣ୍ଡ ଲମ୍ୱା କାଠର ଦଣ୍ଡା ଉପରେ ମଞ୍ଚା ତିଆରି ହୋଇଥାଏ । ଦୁଇ ଦଣ୍ଡାର ଆଗପଟ ମୁଣ୍ଡରେ କୁକୁର ଯୋଚି ଚାଳକ ଗାଡ଼ି ଚଳାଏ । ଗାଡ଼ିର ଦୈର୍ଘ୍ୟ ଏବଂ ଲୋକ ବା ବୋଝେଇର ଓଜନ ଅନୁସାରେ କୁକୁର ସଂଖ୍ୟା ଗୋଟିକରୁ ଚୌଦ ପନ୍ଦରଟି ପର୍ଯ୍ୟନ୍ତ ହୋଇପାରେ । ବରଫର ଉପରିଭାଗ ସମତଳ ହୋଇଥିଲେ ସ୍ଳେଜ୍‌ଗାଡ଼ି ବିଜୁଳିଭଳି ଛୁଟେ । କୌଣସି କୌଣସିଠାରେ କୁକୁର ବଦଳରେ ବଲ୍‌ଗା-ହରିଣକୁ ମଧ୍ୟ ଏହି ଗାଡ଼ିଟଣା କାମରେ ଲଗାଯାଏ ।

 

ଏବେ ସ୍ଳେଜ୍‌ଗାଡ଼ିରେ ଜିନିଷପତ୍ର ସବୁ ଲଦି ମେରୁଯାତ୍ରୀମାନେ ତା ପଛେ ପଛେ ଚାଲିଲେ । ଗାଡ଼ିରେ ଚଢ଼ିବା ଦରକାର ପଡ଼ିଲାନାହିଁ । ବେଳେ ବେଳେ ସାମାନ୍ୟ ଝଡ଼ ହେଲେହେଁ ତହିଁରେ ବରଫବୃଷ୍ଟି ନ ଥାଏ । ସୂର୍ଯ୍ୟର କିରଣ ବେଶ୍‌ ପ୍ରଖର ହୋଇଯାଇଛି । ତେଣୁ ଶୀତ ଖୁବ୍‌ ଜୋର୍‌ ହେଲେ ବି ଦେହକୁ ସେତେ ବାଧୁ ନା ଥାଏ । ପୁଣି ଚଲା-ପଥର ବରଫ କ୍ଷେତ୍ରଟି ଏତେ ସମତଳ ହୋଇଛି ଯେ, ତା ଉପରେ ଗୋଡ଼ରେ ଚାଲିବାକୁ ଭାରି ମଜା ଲାଗୁଥାଏ । ଏ ଆରାମ ଛାଡ଼ି କିଏ ବା କାହିଁକି ସ୍ଳେଜ୍‌ଗାଡ଼ିରେ ଚଢ଼ିବାକୁ ମନ କରିବ ?

 

ଚାହୁଁ ଚାହୁଁ ଅପ୍ରେଲ ୫ ତାରିଖ ହୋଇଗଲା । କାପ୍‌ଟେନ ପିୟାରୀ ପାଖରେ ଥିବା ଯନ୍ତ୍ରପାତି ସାହାଯ୍ୟରେ ଗଣନା କରି ବୁଝି ପାରିଲେ ଯେ, ଉତ୍ତର-ମେରୁଠାରୁ ସେ ମୋଟେ ପଞ୍ଚତିରିଶ ମାଇଲ ଦୂରରେ ରହିଛନ୍ତି । ପାହୁଣ୍ଡର ବେଗ ଟିକିଏ ବଢ଼ାଇଦେଲେ ଗୋଟିଏ ଦିନ ଭିତରେ ଉତ୍ତର-ମେରୁରେ ପହଞ୍ଚିଯାଇ ପାରିବେ, ଭାବିଦେଲାବେଳକୁ ତାଙ୍କ ମନ ଆନନ୍ଦରେ ଅସମ୍ଭାଳ ହୋଇଉଠିଲା । ଆଉ ବିଶ୍ରାମ ନେବାକୁ ବା ନିଦ ଯିବାକୁ କି ଇଚ୍ଛା ହୁଏ । ଉଦବେଗର ମାତ୍ରା ତାଙ୍କର ଏତେ ବଢ଼ିଗଲା ଯେ କହି ହେବ ନାହିଁ । କିମିତି ଯାଇ ଲକ୍ଷ୍ୟ ସ୍ଥାନରେ ପାଦ ପକାଇବେ, ସେଇଥିରେ ଖାଲି ଧ୍ୟାନ ରହିଲା । ଏ ଯେପରି ଜାଗା, ଦେବଦୁର୍ଯ୍ୟୋଗ କଥା କିଏ କହିପାରେ ? ନାହିଁ ନାହିଁ ଯଦି ତୁଷାର-ଝଡ଼ଟାଏ ପ୍ରଚଣ୍ଡ ବେଗରେ ହଠାତ୍‌ କୁଆଡ଼ୁ ବହି ଆସେ, ତାହାହେଲେ ତାଙ୍କର ଏତେକାଳର ପରିଶ୍ରମ ଓ ଚେଷ୍ଟା ଏକାବେଳେ ପାଣିଫୋଟକାରେ ପରିଣତ ହୋଇଯିବ । ଏଇ ଯେଉଁ ପଞ୍ଚତିରିଶ ମାଇଲଟା ସାମାନ୍ୟ ଦିନକର ବାଟ ବୋଲି ମନେ-ହେଉଛି, ତହିଁରୁ ଯେ ମାଇଲିଏ ସୁଦ୍ଧା ଯାଇ ହେବନାହିଁ ତାହା କିଏ ଜାଣେ ? ତେଣୁ ମୁହୂର୍ତ୍ତେ ସୁଦ୍ଧା ନଷ୍ଟ ନ କରି ଯେତେ ଶୀଘ୍ର ଯାଇପାରନ୍ତି, ସମସ୍ତେ ପ୍ରାଣମୂର୍ଚ୍ଛା ଧାଇଁଲେ ।

 

ଆଉ ବେଶି ବାଟ ନାହିଁ—ବୋଧହୁଏ ଉତ୍ତର ମେରୁ ପାଖ ହୋଇଗଲା । ପିୟାରୀ ପୁଣ ଯନ୍ତ୍ର ନେଇ ଗଣନା କରି ବସିଲେ । ମାତ୍ର ଆଶ୍ଚର୍ଯ୍ୟ କଥା, କମ୍ପାସ ମୋଟେ ଉତ୍ତର ଦିଗ ଦେଖାଇଲା ନାହିଁ । ଦେଖାଇବା ବା କିପରି ? ସେଇ ତ ହେଲା ପୃଥିବୀର ଉତ୍ତର ସୀମାର ଶେଷସ୍ଥାନ । ତେଣିକି ଆଉ ଉତ୍ତର ଦିଗ କୁଆଡ଼ୁ ଆସିବ । ତେଣୁ କମ୍ପାସର ଆଉ ଚାରା କଣ ? ସେଠୁଁ ଯେଉଁଆଡ଼କୁ ଚାହିଁବ ସବୁ ଯେ ଦକ୍ଷିର ଦିଗ, ପୂର୍ବ ପଶ୍ଚିମ ମଧ୍ୟ ନାହିଁ ।

 

ଏବେ ପିୟାରୀ ନିଶ୍ଚିତରୂପେ ବୁଝିପାରିଲେ, ତାହାହିଁ ହେଉଛି ଉତ୍ତର-ମେରୁ-ତାଙ୍କରି ସ୍ୱପ୍ନର ବସ୍ତୁ । ବିଜୟର ଅସୀମ ଆନନ୍ଦରେ ବୁକୁ ତାଙ୍କର ଭରିଉଠିଲା । ସମଗ୍ର ପୃଥିବୀ ବର୍ତ୍ତମାନ ତାଙ୍କ ପାଦତଳେ ଶୋଇରହିଛି, ତାଙ୍କରି ମଥାରେ ସେ ଠିଆ ହୋଇ ରହିଛନ୍ତି ।

 

ସେହି ସ୍ମରଣୀୟ ଦିନଟି ହେଉଛି ୧୯୦୯ ମସିହା ଅପ୍ରେଲ ମାସ ୬ ତାରିଖ । ଯେଉଁ ସ୍ଥାନକୁ ଯିବାପାଇଁ ଦୀର୍ଘ ତିନିଶହ ବର୍ଷଧରି ମଣିଷ ଉଦ୍ୟମ କରିଆସିଥିଲା, କାପ୍‌ଟେନ୍‌ ପିୟାରୀ ସେଠାରେ ପହଞ୍ଚିପାରିଛନ୍ତି । ତାର ମହାନ୍‌ ଦୃଶ୍ୟ ନିଜ ଆଖିରେ ଦେଖିପାରିଛନ୍ତି । ଧନ୍ୟ ତାଙ୍କର ଜୀବନ, ଧନ୍ୟ ତାଙ୍କର ସାଧନା । ଯେତେକାଳ ପର୍ଯ୍ୟନ୍ତ ମଣିଷର ଇତିହାସ ରହିଥିବ, ଉତ୍ତର-ମେରୁର ନାମରୁ କାପ୍‌ଟେନ୍‌ ପିୟାରୀ ନାମକୁ କେହି ବିଚ୍ଛିନ୍ନ କରିପାରିବେ ନାହିଁ ।

 

ପିୟାରୀ ବରଫର ଗୋଟାଏ ପ୍ରକାଣ୍ଡ ସ୍ତୂପ ରଚନା କରି ତାହାରି ଶୀର୍ଷଦେଶରେ ଉଡ଼ାଇଦେଲେ ତାଙ୍କରି ଦେଶର ପତାକା––ରେଖା ଓ ତାରକା ଚିହ୍ନିତ ମାର୍କିନ ରାଜ୍ୟର ଜାତୀୟ ଧ୍ୱଜା । ଜନହୀନ ବିରାଟ ବରଫରାଜ୍ୟର ନିର୍ମଳ ଆକାଶରେ ସତେ ଯେପରି ସେହି ପତାକାଟି ମଣିଷଜାତିର ଦିଗ୍‌ବିଜୟ କାହାଣୀ ଘୋଷଣା କରି ଫର ଫର ଉଡ଼ିବାକୁ ଲାଗିଲା ।

 

ଏଭଳି ବିଚିତ୍ର ଜାଗାଟି ଛାଡ଼ିଆସିବାକୁ ପିୟାରୀଙ୍କର ସହଜରେ ମନ ହେଲାନାହିଁ । ସେଠାରେ ପ୍ରାୟ ଦୁଇ ଦିନ ରହି ସେ ଚତୁର୍ଦ୍ଦିଗର ଦୃଶ୍ୟ ଦେଖି ଦେଖି ମୁଗ୍‌ଧ ହୋଇଗଲେ ଏବଂ ସେଗୁଡ଼ିକର ଫଟୋ ଉଠାଇ ଉତ୍ତର-ମେରୁର ସ୍ମୃତିରୂପେ ପାଖରେ ରଖିଲେ ।

 

କେବଳ ଉତ୍ତରମେରୁ ଆବିଷ୍କାରରେ ପିୟାରୀଙ୍କ ଅଭିଯାନ-ବାଞ୍ଛା ସଂପୂର୍ଣ୍ଣ ହେଲାନାହିଁ । ସେ ଦେଖିଲେ, ସେଠାରେ ଉପରଭାଗଟା ଚାରିଆଡ଼େ କେବଳ ଘନ ତୁଷାରରେ ଘୋଡ଼େଇ ହୋଇ ରହିଛି । ମାତ୍ର ସେହି ବରଫ ତଳେ କଣ ଅଛି––ଜଳ ନା ସ୍ଥଳ ? ଏ ପ୍ରଶ୍ନର ସମାଧାନ ପାଇଁ ତାଙ୍କ ପ୍ରାଣ ଅତ୍ୟନ୍ତ ବ୍ୟଗ୍ର ହୋଇଉଠିଲା । ବହୁ ପରିଶ୍ରମ କରି ଯନ୍ତ୍ର ସାହାଯ୍ୟରେ ସେ ନାନା ସ୍ଥାନରେ ଛିଦ୍ର କଲେ । ଅଳ୍ପ ଗଭୀରରେ ପାଣି ପଡ଼ିଲା । ସେ ବେଶ୍‌ ଜାଣିପାରିଲେ ଯେ, ତଳେ ସମୁଦ୍ର ଅଛି-। ତହୁଁ ସମୁଦ୍ରଜଳର ଗଭୀରତା ମାପିବା ପାଇଁ ସେ ନଅ ହଜାର ଫୁଟ ଲମ୍ୱର ଗୋଟାଏ ତାର ତା ଭିତରକୁ ପୂରାଇଲେ । ତାରର ସମୁଦାୟ ଅଂଶ ପାଣିମଧ୍ୟକୁ ଚାଲିଗଲା ସିନା, ସମୁଦ୍ରର ତଳ କେଉଁଠି ହେଲେ ମିଳିଲା ନାହିଁ । ତେଣୁ ସ୍ପଷ୍ଟ ଜଣାପଡ଼ିଲା ଯେ, ଉତ୍ତର-ମେରୁ ଅଞ୍ଚଳ ଗଭୀର ସମୁଦ୍ର ଉପରେ ଅବସ୍ଥିତ ।

 

ଏହିରୂପେ ବିଜୟର ଗୌରବ ଘେନି କାପ୍‌ଟେନ ପିୟାରୀ ଉତ୍ତର ମେରୁ ଛାଡ଼ିଲେ ଏବଂ ନିର୍ବିଘ୍ନରେ ଆସି ସେରିଡ଼ାକ୍‌ ଅନ୍ତରୀପରେ ପହଞ୍ଚିଲେ । ସେହିଠାରେ ଦଳବଳ ସହିତ ସେ ରୁଜ୍‍ଭେଲ୍‌ଟ ଜାହାଜରେ ନିଜ ଦେଶକୁ ବାହୁଡ଼ିଆସିଲେ ।

 

ଉତ୍ତର ମେରୁର ଅନ୍ୟ ନାମ ସୁମେରୁ । ଏହିପରି ଦକ୍ଷିଣ ମେରୁକୁ କୁମେରୁ ବୋଲାଯାଏ-। ଶାକଲ୍‌ଟନ ନାମକ ଆୟାର୍ଲାଣ୍ଡର ଜଣେ ଲୋକ ୧୯୦୧ ମସିହାରେ ଇଂଲଣ୍ଡର ବିଖ୍ୟାତ ନାବିକ କାପ୍‌ଟେନ ସ୍କଟଙ୍କର ସହକାରୀରୂପେ କୁମେରୁ ଅଭିଯାନରେ ଯାଇଥିଲେ । ସ୍କଟଙ୍କର ସେହି ଅଭିଯାନଟି ବିଫଳ ହେଲା । ଶାକଲ୍‌ଟନ ୧୯୦୮ ମସିହାରେ ଜାନୁଆରୀ ମାସରେ ‘ନିମ୍‌ଡ଼’ ନାମକ ଜାହାଜରେ ନିଜେ ଦକ୍ଷିଣ ମେରୁ ଆବିଷ୍କାର କରିବାକୁ ବାହାରିଲେ । ନିଉଜିଲାଣ୍ଡରେ ପହଞ୍ଚିବା ପରେ ତାଙ୍କୁ ଜାହାଜ ଛାଡ଼ି ସ୍ଳେଜ୍‌ଗାଡ଼ି ସାହାଯ୍ୟରେ କୁମେରୁ ଆଡ଼କୁ ଯିବାକୁ ପଡ଼ିଲା । ତାଙ୍କ ସ୍ଳେଜକୁ ମାଞ୍ଚୁରିଆ ଦେଶର ଘୋଡ଼ା ଟାଣୁଥିଲେ । ସବୁଗୁଡ଼ିକ ଘୋଡ଼ା ବାଟରେ ମରିଯିବାରୁ ଶାକଲଟନ ଆଉ ଆଗେଇ ପାରିଲେ ନାହିଁ । ଦକ୍ଷିଣମେରୁ ପ୍ରାୟ ଶହେ ମାଇଲ ବାକୀ ଥିଲା । ସେହିଠାରୁ ତାଙ୍କୁ ଫେରିଆସିବାକୁ ହେଲା । ଦକ୍ଷିଣ-ମେରୁ ପର୍ଯ୍ୟନ୍ତ ଯାଇ ନ ପାରିଥିଲେ ହେଁ ସେ ଆଣ୍ଟାର୍କଟିକା ନାମକ ଏକ ନୂତନ ମହାଦେଶ ଆବିଷ୍କାର କଲେ । ଏହାର ସାତବର୍ଷ ପରେ ଆମଣ୍ଡସେନ ନାମକ ଜଣେ ନରଓଏବାସୀ ବହୁ ବାଧାବିଘ୍ନ ଅତିକ୍ରମ କରି ଶେଷରେ କୁମେରୁ ଆବିଷ୍କାର କଲେ । ସେହି ଆବିଷ୍କାରରୁ ଜଣାଗଲା ଯେ ଦକ୍ଷିଣ-ମେରୁ କଠିନ ଉଚ୍ଚଭୂମି ଉପରେ ଅବସ୍ଥିତ-ଉତ୍ତର-ମେରୁ ପରି ସମୁଦ୍ର ଜଳଉପରେ ନୁହେଁ ।

 

ସୁମେରୁ ଓ କୁମେରୁ ଆବିଷ୍କାର କରି ପିୟାରୀ ଓ ଆମଣ୍ଡସେନ ଜଗତର ମହାକଲ୍ୟାଣ ସାଧନ କରିଯାଇଛନ୍ତି । ତା ନ ହୋଇ ଥିଲେ ପୃଥିବୀର ଉତ୍ତର ଓ ଦକ୍ଷିଣ ଦିଗର ଶେଷ ସୀମା ବିଷୟରେ ଆମେ ଆଜି ଅନ୍ଧ ହୋଇ ରହିଥାନ୍ତେ । ଭୂମଣ୍ଡଳର ମାନଚିତ୍ର ମଧ୍ୟ ଅପୂର୍ଣ୍ଣ ରହିଥାନ୍ତା ।

Image